ମିଛ ପରେ ମିଛ ତଥ୍ୟ ଦେଇ ଚାଲିଛି ଗ୍ରାମ୍ୟ ଜଳଯୋଗାଣ ବିଭାଗ

ଘୁ.ଉଦୟଗିରି: ମୁଣ୍ଡଫଟା ଖରାକୁ ଅସହ୍ୟ ଗରମ ଓ ଗୁଳୁଗୁଳି। ଏଥିରେ ପାନୀୟ ଜଳ ସମସ୍ୟା ଲୋକଙ୍କ ସମସ୍ୟାକୁ ଦ୍ୱିହୁଣିତ କରୁଥିବା ବେଳେ ସରକାରୀ ଅଧିକାରୀ ଲୋକଙ୍କ ସମସ୍ୟା ସମାଧାନ କରିବା ବଦଳରେ ମିଛ ତଥ୍ୟ ଦେଇ ଲୋକଙ୍କ ରାଗକୁ ଆହୁରି ବଢ଼ାଇବାରେ ଲାଗିଛନ୍ତି। ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଗୁରୁତର ରୂପ ଧାରଣ କରିଥିବା ବେଳେ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବା ହେତୁ ଲୋକ ଟୁଇଟର ସାହାରା ନେଇ ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ବିଭାଗୀୟ ସଚିବଙ୍କୁ ନିଜ ସମସ୍ୟାକୁ ଅବଗତ କରାଇବା ସହ ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରିଥାନ୍ତି। ହେଲେ ଉପର ମୁଣ୍ଡରୁ ଜିଲ୍ଲା ସ୍ଥରକୁ ଏବଂ ଜିଲ୍ଲାରୁ ବ୍ଲକ ସ୍ଥରକୁ ଵିଭାଗୀୟ ଅଧିକାରୀଙ୍କୁ ସମସ୍ୟାର ସମାଧାନ ପାଇଁ ସୂଚନା ଆସିଲେ ଅଧିକାରୀମାନେ ସମସ୍ୟା ସମାଧାନ ନ କରି ପୁରୁଣା ଫୋଟକୁ ମୋବାଇଲ ରେ ଅପଲୋଡ଼ କରି ଭୁଲ ତଥ୍ୟ ଦେଇ ଖୁସି କରିବାକୁ ଚେଷ୍ଟା କରୁଥିବା ଖବର ଲୋକ ଜାଣିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଏହିଭଳି ଏକ ଖବର ସମ୍ବାଦରେ ପ୍ରକାଶ ପାଇଥିଲା। ହେଲେ ପୁଣି ଆଜି ଆଉ ଗୋଟିଏ ଏହିଭଳି ମିଛ ଟୁଇଟ୍‌ ସାମନାକୁ ଆସିଛି। ୧୬ତାରିଖ ଦିନ ସମ୍ବାଦରେ ଗଞ୍ଜୁଗୁଡା ଅଙ୍ଗନବାଡି କେନ୍ଦ୍ରରେ ପାଣି ନାହିଁ ଶୀର୍ଷକ ଏକ ଖବର ପ୍ରକାଶ ପାଇବା ପରେ ଏହି ଖବରକୁ ନେଇ ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ବିଭାଗୀୟ ସଚିବ, ଜିଲ୍ଲାପାଳଙ୍କୁ ଏକ୍ସରେ ଟ୍ୟୁଟ କରିଥିଲେ କଳିଙ୍ଗାର ଜଣେ ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ। ଫୁଲବାଣୀ ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପୁରୁଣା ଫୋଟୋକୁ ଏକ୍ସରେ ଅପଲୋଡ଼ କରି ମିଛ ତଥ୍ୟ ଦେଇଥିବା ସୁଚନା ଦେଇଛନ୍ତି ଆମନ ଚନ୍ଦ୍ର ନାୟକ।
ପ୍ରାପ୍ତ ସୂଚନାନୁସାରେ ଗଂଜୁଗୁଡ଼ା ଆଦର୍ଶ ଅଙ୍ଗନୱାଡ଼ି ଠାରୁ ମାତ୍ର  ୩୦ ମିଟର ଦୂରରେ ଥିବା ନଳକୂପ ଟି ସଂପୂର୍ଣ୍ଣ ଭଲ ଅଛି ଏବଂ ଅଙ୍ଗନୱାଡ଼ି କେନ୍ଦ୍ରର ପିଲାମାନେ ତାହା ପିଇବା ନିମନ୍ତେ ବ୍ୟବହାର କରୁଛନ୍ତି ବୋଲି ବିଭାଗୀୟ ଅଧିକାରୀ ରିପୋର୍ଟ ପ୍ରଦାନ କରିଛନ୍ତି କିନ୍ତୁ ତାର ବାସ୍ଥବ ଚିତ୍ର ସମୂର୍ଣ୍ଣ ଅଲଗା କାରଣ ଅଙ୍ଗନୱାଡ଼ି ଠାରୁ ୩୦ ମିଟର ଦୂରରେ ଗୋଟିଏ ନଳକୂପ ଅଛି ସତ କିନ୍ତୁ ସେହି ନଳକୂପରୁ ମଧ୍ୟ ସଂପୂର୍ଣ୍ଣ କାଦୁଅ ଓ କଳଙ୍କି ଲୌହଯୁକ୍ତ ପାଣି ବାହାରୁଚି ଏହା ମଧ୍ୟ ସମୂର୍ଣ ବ୍ୟବହାର ଅନୁପଯୋଗୀ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।  ବିଭାଗୀୟ ଅଧିକାରୀ ମାନେ ମିଥ୍ୟା ରିପୋର୍ଟ ପ୍ରଦାନ କରି  ଛୋଟଛୋଟ ଅଙ୍ଗନୱାଡ଼ି ପିଲାଙ୍କ ସ୍ବାସ୍ଥ୍ୟ  ସହିତ ଖେଳୁଛନ୍ତି ବୋଲି ମଧ୍ୟ ଅଭିଯୋଗ କରୁଛନ୍ତି। ଏଣୁ ମିଥ୍ୟା ରିପୋର୍ଟ ପ୍ରଦାନ ନ କରି ଯଥାଶୀଘ୍ର ଗଞ୍ଜୁଗୁଡ଼ା ଅଙ୍ଗନୱାଡ଼ି ନିକଟରେ ଏକ ନୂତନ ନଳକୂପ ଖନନ କରିବା ନିମନ୍ତେ ଗ୍ରାମବାସୀ ଏବଂ  ଅଭିଭାବକ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ସମ୍ବନ୍ଧିତ ଖବର