ଯାଜପୁରସଦର: ମଦ ଦୋକାନ ଖୋଲିବା ପାଇଁ ଦିଆଯାଇଛି ଭୁଲ୍‌ ରିପୋର୍ଟ। ବିଂଝାରପୁରର ପୂର୍ବତନ ଭାରପ୍ରାପ୍ତ ତହସିଲଦାର ପ୍ରସ୍ତାବିତ ସ୍ଥାନ ବସ୍ତିଶୂନ୍ୟ ବୋଲି ଅବକାରୀ ବିଭାଗକୁ ରିପୋର୍ଟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ପୁନର୍ବାର ଜିଲ୍ଲାପାଳଙ୍କ ନିକଟରେ ଅଭି‌ଯାଗ ହୋଇଛି। ଆଜି ପୁଣି ତହସିଲ ଓ ଅବକାରୀ ବିଭାଗ ପକ୍ଷରୁ ସ୍ଥାନ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଂଝାରପୁର ତହସିଲ ଅଧୀନ ଘଣ୍ଟିଆଳି ପଞ୍ଚାୟତର ଅରେଇ-ମଇଁଦା ରାସ୍ତା ପାର୍ଶ୍ବର ବଡ଼ପାଳ ମୌଜାରେ ପ୍ରସ୍ତାବିତ ଏହି ମଦ ଦୋକାନ ପାଇଁ ଏବେ ବିବାଦ ଦେଖାଦେଇଛି।

Advertisment

ଏହି ମଦ ଦୋକାନକୁ ବିରୋଧ କରି ଘଣ୍ଟିଆଳି, ଅରେଇ ଓ ଗୁହାଳି ସରପଞ୍ଚ ବାରମ୍ବାର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। ସ୍ଥାନୀୟ ଜନପ୍ରତିନିଧିଙ୍କ ବିରୋଧ ସତ୍ତ୍ବେ ‌ସେହି ସ୍ଥାନରେ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ସ୍ଥିର କରିଛି। ଯେନତେନ ପ୍ରକାର ଏହାକୁ ଠିକ୍‌ ଜାଗା ଭାବେ ଚିହ୍ନଟ କରିବାକୁ ଉଦ୍ୟମ କରାଯାଇଛି। ତତ୍କାଳୀନ ଭାରପ୍ରାପ୍ତ ତହସିଲଦାର ଏହି ପ୍ରସ୍ତାବିତ ସ୍ଥାନରେ କୌଣସି ବସ୍ତି ନଥିବା ସଂକ୍ରାନ୍ତରେ ଅବକାରୀ ବିଭାଗକୁ ରିପୋର୍ଟ ଦେଇଥିବାବେଳେ ବାସ୍ତବରେ ସେହି ନିକଟରେ ଅନୁସୂଚିତ ଜାତି ଲୋକଙ୍କ ବସ୍ତି ରହିଛି। ବହୁ ବର୍ଷ ହେଲା ସେମାନେ ସେଠାରେ ରହୁଥିବା ବେଳେ ଆଧାର କାର୍ଡ ଭୋଟର କାର୍ଡ ଓ ରାସନ କାର୍ଡ ମଧ୍ୟ ରହିଛି। ଏନେଇ ପୁନର୍ବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଏହାର ପୁନଃ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଆଜି ବିଂଝାରପୁରର ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକ, ଲେଙ୍କାସାହି ଆର୍‌ଆଇ, ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନା ପ୍ରସ୍ତାବିତ ସ୍ଥାନକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି। ଆର୍‌ଆଇଙ୍କ ଜରିଆରେ ଆଉ ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଆଲୋଚନା କରାଯାଇଛି। ସେହି ସ୍ଥାନରେ ଠିପି ଖୋଲା ମଦ ଦୋକାନ ‌ହେଲେ ୩ ଟି ପଞ୍ଚାୟତ ପ୍ରଭାବିତ ହେବ। ନିକଟରେ ଥିବା ବରୁଣେଶ୍ବର ମହାବିଦ୍ୟାଳୟ, ବରୁଣେଶ୍ବର ମନ୍ଦିର, ପ୍ରାଥମିକ ସ୍କୁଲ ମଧ୍ୟ ରହିଛି। ତେଣୁ ଏହି ସ୍ଥାନରେ ମଦ ଦୋକାନକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରୁଛନ୍ତି।