ମିଛ ରିପୋର୍ଟରେ ଏମ୍‌ସିଏଲ୍‌କୁ କୁଲଡ଼ା ଖଣି

୩୦ ବର୍ଷ ପାଇଁ ଖଣି ସମ୍ପ୍ରସାରିତ, ସ୍ବତନ୍ତ୍ର କରିଡରରେ କୋଇଲା ପରିବହନ ଦର୍ଶାଯାଇଥିଲା

ସୁନ୍ଦରଗଡ଼ : କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ (ଏମଓଇଏଫସିସି) ପ୍ରଭାବ ଆକଳନ ବିଭାଜନର ମିଛ ରିପୋର୍ଟ ଆଧାରରେ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍ (ଏମସିଏଲ)କୁ ୩୦ ବର୍ଷ ପାଇଁ ମିଳିଛି କୁଲଡା ଖୋଲାମୁହଁ କୋଇଲା ଖଣି। ଏମଓଇଏଫସିସି ୨୦୧୯ ନଭେମ୍ବର ୧ରେ ମନିଟରିଂ କରି ଦର୍ଶାଇଥିଲା ଯେ ଏମସିଏଲ ଗାଁ ରାସ୍ତାକୁ ଏଡ଼ାଇ ବାଏପାସ୍ ବା ସ୍ବତନ୍ତ୍ର କରିଡରରେ କୋଇଲା ପରିବହନ ଓ ପରିବେଶ ମଞ୍ଜୁରି ଆଇନର ସଠିକ ଅନୁପାଳନ କରୁଛି। ୨୦୧୯ ଡିସେମ୍ବର ୨ରେ ଏହି ରିପୋର୍ଟ ଦାଖଲ ହେବା ପରେ ପରେ ମୂଲ୍ୟନିରୂପଣ ବିଶେଷଜ୍ଞ କମିଟି (ଏକ୍ସପର୍ଟ ଏଫ୍ରିଜଲ କମିଟି)ର ୨୦୧୯ ଡିସେମ୍ବର ୫ରେ ଅନୁଷ୍ଠିତ ବୈଠକରେ କୁଲଡା ଖଣିକୁ ୩୦ ବର୍ଷ ବା ଆଜୀବନ (ଲାଇଫ୍ଟାଇମ୍) ସମ୍ପ୍ରସାରଣ ପାଇଁ ସୁପାରିସ କରିଥିଲେ। ଏହାପରେ ଏମଓଇଏଫସିସି ଏମ୍‌ସିଏଲ ହାତରେ ପ୍ରତି ବର୍ଷ ୧୦ ମିଲିୟନ ଟନ୍‌ରୁ ୧୪ ମିଲିୟନ ଟନ୍‌କୁ ବୃଦ୍ଧି କରି ୩୦ ବର୍ଷ ପାଇଁ କୁଲଡା ଖଣିକୁ ଟେକି ଦେଇଛି। କିନ୍ତୁ ବାସ୍ତବରେ ଏମସିଏଲ କୋଇଲା ପରିବହନ ପାଇଁ ହେମଗିର ବ୍ଲକ୍‌ର ଡୁଡୁକା ଓ ଟାଙ୍ଗରପାଲି ବ୍ଲକ୍‌ର ଉଜ୍ବଳପୁର ଗାଁକୁ ଏଡ଼ାଇ ଦୁଇଟି ୨ କିଲୋମିଟର ବିଶିଷ୍ଟ ବାଏପାସ୍‌ ରାସ୍ତା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବାଏପାସ୍ ବା ସ୍ବତନ୍ତ୍ର କୋଲ୍ କରିଡର ନିର୍ମାଣ କରିନାହିଁ। ଏସ୍ଥିତିରେ ଏମଓଇଏଫସିସି କେମିତି ଏପରି ମିଛ ରିପୋର୍ଟ ଦେଲା ବୋଲି ଖଣି ପ୍ରଭାବିତ ଅଞ୍ଚଳବାସୀ ପ୍ରଶ୍ନ କରିବା ସହ ଚଞ୍ଚକତା ପୂର୍ବକ କରାଯାଇଥିବା ଖଣି ସମ୍ପ୍ରସାରଣକୁ ତୁରନ୍ତ ବାତିଲ ପାଇଁ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୯ରୁ ଗାଁ ରାସ୍ତା ଦେଇ ଏ ପ୍ରକାର ବେଆଇନ କୋଇଲା ପରିବହନକୁ ବନ୍ଦ କରାଯିବ ବୋଲି ହେମଗିର ଅଞ୍ଚଳରେ ବିସ୍ଥାପିତଙ୍କ ଜୀବନଜୀବିକା ପାଇଁ ଲଢ଼େଇ କରୁଥିବା ଜନଶକ୍ତି ବିକାଶ ପରିଷଦ ଘୋଷଣା କରିଛି।

ଏମସିଏଲ ୨୦୦୭-୦୮ରେ କୁଲଡା ଖଣି ପାଇଥିଲା। ଏଥିରୁ ସେ ପ୍ରତିବର୍ଷ ୧୦ ମିଲିୟନ ଟନ୍ କୋଇଲା ଉତ୍ପାଦନ କରୁଥିବା ବେଳେ ୨୦୧୭ରେ ଖଣି ସମ୍ପ୍ରସାରଣ ପାଇଁ ଆବେଦନ କରିଥିଲା। ଏଥିପାଇଁ ୨୦୧୭ ଡିସେମ୍ବର ୨୦ରେ ପରିବେଶ ମନ୍ତ୍ରାଳୟ ପକ୍ଷରୁ ବରପାଲି ଠାରେ ଜନଶୁଣାଣି ଡକାଯାଇଥିଲା। ଯେଉଁଥିରେ ପ୍ରଭାବିତ ଗୋଷ୍ଠୀ ପ୍ରତିନିଧିମାନେ ପ୍ରଭାବିତ ଗାଁର ଦାବି ସମୁହ ଓ ପ୍ରଦୂଷଣକୁ ସମ୍ପୂର୍ଣ୍ଣ ଭାବେ ରୋକିବା ପରେ ସମ୍ପ୍ରସାରଣ ଅନୁମତି ପାଇଁ ସମ୍ମତି ଦେବେ ବୋଲି କହି ବୈଠକକୁ ସମ୍ପୂର୍ଣ୍ଣ ବର୍ଜନ କରିଥିଲେ। ଲୋକେ ନଆସିବାରୁ ଉକ୍ତ ଦିନ ଜନଶୁଣାଣିକୁ ସ୍ଥଗିତ ରଖିଥିଲା ପ୍ରଶାସନ। ପରେ ୨୦୧୮ ଜାନୁଆରି ୧୦ରେ ଏମସିଏଲ ଷ୍ଟାଡ଼ିୟମୟରେ ଦ୍ବିତୀୟ ଜନଶୁଣାଣି ଆୟୋଜିତ ହୋଇଥିଲା। ଏଥିରେ ପ୍ରଭାବିତ ପରିବାରମାନେ ଏକତ୍ରିତ ହୋଇ ଖଣି ଓ ପ୍ରଶାସନ ସହ ପରିବେଶ, ଜୀବନଜୀବିକା ପାଇଁ ହୋଇଥିବା ଚୁକ୍ତିନାମାପତ୍ରକୁ ହାତରେ ଧରି ଏହାର ସଠିକ ଅନୁପାଳନ କରାଯାଉ ନ ଥିବା ଅଭିଯୋଗ କରି ପ୍ରବଳ ବିରୋଧ କରିଥିଲେ। କିନ୍ତୁ ପ୍ରଶାସନ ଲୋକଙ୍କ ମତାମତକୁ ଗୁରୁତ୍ବ ନଦେଇ ଜନଶୁଣାଣି ଶେଷ ହୋଇଥିବା ଘୋଷଣା କରିଥିଲେ।

ପରବର୍ତ୍ତୀ ସମୟରେ ପ୍ରଭାବିତ ଲୋକେ ମୂଲ୍ୟନିରୂପଣ ବିଶେଷଜ୍ଞ କମିଟି ପାଖରେ ଜନଶୁଣାଣି ଠିକ ଭାବେ ହୋଇ ନଥିବା ଓ ପରିବେଶ ସର୍ତ୍ତାବଳୀ ବ୍ୟାପକ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଥିଲେ। ୨୦୧୮ ଫେବ୍ରୁଆରି ୨୭ରେ ବିଶେଷଜ୍ଞ କମିଟି ଅଭିଯୋଗକୁ ଭିତ୍ତି କରି ମାତ୍ର ବର୍ଷେ ପାଇଁ ୨୦୧୯ ମାର୍ଚ୍ଚ ୩୧ ଯାଏ ଖଣି ସମ୍ପ୍ରସାରଣ ପାଇଁ ସୁପାରିସ କରି ପରିବେଶ ସଂକ୍ରାନ୍ତୀୟ ସମସ୍ତ ସର୍ତ୍ତାବଳୀର ସଠିକ ଅନୁପାଳନ ନିର୍ଦ୍ଦେଶ ଦେଇଥିଲେ। ବିଶେଷତଃ ଖଣି କାର୍ଯ୍ୟ ଓ ଖଣିଜ ଦ୍ରବ୍ୟ ପରିବହନରେ ବ୍ୟବହୃତ ରାସ୍ତାରେ ହେଉଥିବା ଧୂଳିକୁ ୨୪ ଘଣ୍ଟା ପାଣି ସିଞ୍ଚନ କରି ହ୍ରାସ ଘଟାଇବା, ଖଣି ପାର୍ଶ୍ବବର୍ତ୍ତୀ ଗାଁ ଲୋକଙ୍କ ଜୀବନଜୀବିକାର ବିକାଶ, ତାଲିମ ପ୍ରଦାନ କରି ସେମାନଙ୍କୁ ରୋଜଗାରକ୍ଷମ କରିବା, ଧୂଳିକୁ ଦମନ ପାଇଁ ଖଣି ସୀମାରେ ୭୫ ମିଟର ଓସାରରେ ସବୁଜ ବଳୟ ସୃଷ୍ଟି ଓ ଗାଁ ଭିତରେ କୋଇଲା ପରିବହନକୁ ସମ୍ପୂର୍ଣ୍ଣ ଏଡ଼ାଇବାକୁ ବାଏପାସ ବା ସ୍ବତନ୍ତ୍ର କରିଡର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ମଧ୍ୟରେ କୁଲଡା ଖଣିକୁ ପୁଣି ବର୍ଷେ ପାଇଁ ସମ୍ପ୍ରସାରିତ କରାଯାଇଥିଲା। କିନ୍ତୁ ଏମସିଏଲ ଖଣିଜ ଦ୍ରବ୍ୟ ପରିବହନ, ସଂରକ୍ଷଣ ଓ ବୋଝେଇରେ ସମସ୍ତ ସର୍ତ୍ତ, ଆଦେଶନାମା ଉଲ୍ଲଂଘନ ଜାରି ରଖିଲେ। ଏହା ମଧ୍ୟରେ ମୂଲ୍ୟ ନିରୂପଣ ବିଶେଷଜ୍ଞ କମିଟି କୁଲଡା ଖଣି ପ୍ରକଳ୍ପର କୋଇଲା ପରିବହନ ଓ ପରିବେଶ ମଞ୍ଜୁରି ନିୟମ ବା ସର୍ତ୍ତାବଳୀର ସଠିକ ଅନୁପାଳନ ହେଉଛି କି ନାହିଁ ତାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଭୁବନେଶ୍ବରସ୍ଥିତ ଏମଓଇଏଫସିସି ଗତ ୨୦୧୯ ଡିସେମ୍ବର ୨ରେ କୁଲଡା ପ୍ରକଳ୍ପ ସମ୍ପର୍କରେ ମନିଟରିଂ ରିପୋର୍ଟ ଦାଖଲ କରି ବିଶେଷ ସର୍ତ୍ତାବଳୀର ସଠିକ ଅନୁପାଳନ ହେଉଥିବା ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର