ଭିମ୍‌ସାରରେ ନକଲି ଗବେଷଣା ଅଭିଯୋଗ : ବର୍ଷେ ହେଲା ଏଥିକ୍ସ କମିଟି ଅଚଳ

ସମ୍ବଲପୁର : ଭିମସାରରେ ନକଲି ଗବେଷଣା ନେଇ ଗୁରୁତର ଅଭିଯୋଗ ହୋଇଛି। ଏଠାରେ ବର୍ଷେ ହେଲା ଅଚଳ ହୋଇ ପଡ଼ିଛି ଏଥିକ୍ସ କମିଟି। ଏଥିସଂକ୍ରାନ୍ତରେ ଜଣେ ଡାକ୍ତର ଲିଖିତ ଭାବରେ ଅଭିଯୋଗ କରିଛନ୍ତି। କେବଳ ଗୋଟିଏ ବିଭାଗ ନୁହେଁ ବିଭିନ୍ନ ବିଭାଗରେ ଏଭଳି ଚାଲୁଥିବା କୁହାଯାଉଛି। ମାତ୍ର ଏହି ଅଭିଯୋଗକୁ ଭିମସାର ନିର୍ଦେଶକ ଅସ୍ବୀକାର କରିଛନ୍ତି। ଗବେଷଣା ସଂକ୍ରାନ୍ତରେ ଭିମସାରର ଯୋଜନା ବିଷୟରେ କହିଛନ୍ତି।

ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଗବେଷଣା ପ୍ରତିଷ୍ଠାନ କେବଳ ସାଧାରଣ ମେଡିକାଲ କଲେଜ ନୁହେଁ ଏକ ଗବେଷଣା ପ୍ରତିଷ୍ଠାନ ଅଟେ। ନିୟମ ଦୃଷ୍ଟିରୁ ଏଠାରେ କାର୍ଯ୍ୟରତ ପ୍ରଫେସର, ସହକାରୀ ଏବଂ ସହଯୋଗୀ ପ୍ରଫେସର ଭିମସାରରେ ହେଉଥିବା ଚିକିତ୍ସା ବ୍ୟବସ୍ଥାର ଗବେଷଣା କରି ୟୁଜିସି ଅନୁମୋଦିତ ଜର୍ନାଲରେ ପ୍ରକାଶିତ କରିବା ଉଚିତ। ଏଭଳି ଗବେଷଣାରୁ ନୂଆ ତଥ୍ୟ, କୌଶଳ ମିଳିବାରେ ସହାୟକ ହୁଏ। ଯାହାକି ଚିକିତ୍ସା ପଦ୍ଧତିର ସ୍ତରକୁ ଉନ୍ନତ କରିଥାଏ। ରକ୍ତ ଶିକୁଳି ବିଭାଗର ମୁଖ୍ୟ ସ୍ବର୍ଗତ ଡ.ଦିଲ୍ଲୀପ ପଟେଲଙ୍କ କାର୍ଯ୍ୟକାଳ ସମୟରେ ବୁର୍ଲା ମେଡିକାଲ ରକ୍ତ ଶିକୁଳି ୟୁନିଟରେ ହେଉଥିବା ଗବେଷଣା ଏହାର ଉଦାହରଣ ଅଟେ। ଏଥିଯୋଗୁଁ ଦେଶ, ବିଦେଶରୁ ଗବେଷକମାନେ ଆସି ଗବେଷଣା ଏବଂ ଶିକ୍ଷାର ଲାଭ ନେଇଥିଲେ। ଗବେଷଣା କାର୍ଯ୍ୟର ତଦାରଖ ଏବଂ ଜର୍ନାଲରେ ଏହାର ପ୍ରକାଶନ ନେଇ ଏଥିକ୍ସ କମିଟି ଥାଏ। ନିୟମ ଦୃଷ୍ଟିରୁ ପ୍ରଫେସର, ସହକାରୀ ଏବଂ ସହଯୋଗୀ ପ୍ରଫେସରମାନେ ଜର୍ନାଲକୁ ପଠାଇବା ପୂର୍ବରୁ ଏଥିକ୍ସ କମିଟିକୁ ସେମାନଙ୍କର ଗବେଷଣା ସଂଦର୍ଭ ପଠାଇଥାଆନ୍ତି। କମିଟିର ଅନୁମୋଦନ ପରେହିଁ ଜର୍ନାଲରେ ପ୍ରକାଶିତ ହୋଇଥାଏ। ପ୍ରାୟ ବର୍ଷେ ହେଲା ଭିମସାରରେ ଏଥିକ୍ସ କମିଟି ଅଚଳ ହୋଇ ପଡ଼ିଛି। ୨୦୧୬ ମସିହାରେ ବରିଷ୍ଠ ଡାକ୍ତର ମୀନକେତନ କରଙ୍କ ଅଧ୍ୟକ୍ଷତାରେ ଅନ୍ୟାନ୍ୟ ଡାକ୍ତରମାନଙ୍କୁ ନେଇ ଏହାର ଗଠନ ହୋଇଥିଲା। ୨୦୧୯ ମସିହା ଅଗଷ୍ଟ ମାସରେ କମିଟିର କାର୍ଯ୍ୟକାଳ ପୂର୍ଣ୍ଣ କରିବା ପରେ ନୂଆ କମିଟିମାନ ଗଠନ କରାଯାଉ ନାହିଁ।

ଗବେଷଣାକୁ ପ୍ରୋତ୍ସାହନ ପାଇଁ ଏହାକୁ ପଦୋନ୍ନତି ସହିତ ଜୋଡ଼ି ଦିଆଯାଇଛି। ପଦୋନ୍ନତି ପାଇଁ ବର୍ତ୍ତମାନ ନକଲି ଗବେଷଣା ହେଉଥିବା ଅଭିଯୋଗ ହୋଇଛି। ଭିମସାରରେ ଯେଉଁ ଚିକିତ୍ସା ବ୍ୟବସ୍ଥା ନାହିଁ ତାର ଗବେଷଣା କରାଯାଇ ଜର୍ନାଲମାନଙ୍କରେ ପ୍ରକାଶିତ ହୋଇଛି। କେଉଁଭଳି ଜର୍ନାଲରେ ଗବେଷଣା ସଂଦର୍ଭ ପ୍ରକାଶିତ ହେବ ଏହାକୁ ନେଇ ୟୁଜିସି ପକ୍ଷରୁ ତାଲିକା ଜାରି ରହିଛି। ଏଥିରେ ପ୍ରାୟ ୮୦୦ ଜର୍ନାଲର ନାମ ମଧ୍ୟ ରହିଛି। ମାତ୍ର ଭିମସାରର କିଛି ଗବେଷକଙ୍କ ଗବେଷଣା ଏହିଭଳି ଜର୍ନାଲରେ ପ୍ରକାଶିତ ନହୋଇ ଅଣସ୍ବୀକୃତ ଜର୍ନାଲରେ ପ୍ରକାଶିତ ହେଉଛି। ଏମ୍‌ସିଆଇ ପ୍ରକାଶିତ ନୋଟିଫିକେସନରେ ଏଭଳି ନକଲି ଗବେଷଣା ସମ୍ପର୍କରେ ଉଲ୍ଲେଖ ରହିଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ଭିମସାରର ୩୮ ସହଯୋଗୀ ଏବଂ ସହକାରୀ ପ୍ରଫେସରଙ୍କ ପଦୋନ୍ନତି ପାଇଁ ନୋଟିଫିକେସନ ହୋଇଛି। ଡିସେମ୍ବର ୪ ତାରିଖ ପରିଚାଳନା ପରିଷଦରେ ଏଥିସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେବ। ଏଥିଯୋଗୁଁ ନକଲି ଗବେଷଣା ପ୍ରସଙ୍ଗ ଚର୍ଚାର ବିଷୟ ହୋଇଛି। ନିର୍ଦିଷ୍ଟ ଗୋଟିଏ କି ଦୁଇଟି ବିଭାଗ ନୁହେଁ ଅନେକ ବିଭାଗର ଗବେଷକ ପଦୋନ୍ନତି ପାଇଁ ନକଲି ଗବେଷଣା କରୁଥିବା କୁହାଯାଉଛି।

ଅହେତୁକ ଅଭିଯୋଗ, ଭିମସାରରେ ଚାଲିଛି କ୍ଲିନିକାଲ ରିସର୍ଚ: ନିର୍ଦେଶକ
ଭିମସାର ନିର୍ଦେଶକ ପ୍ରଫେସର ଲଲିତ ମେହେର ନକଲି ଗବେଷଣା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଏଠାରେ କାର୍ଯ୍ୟରତ ଡାକ୍ତରମାନେ କ୍ଲିନିକାଲ ରିସର୍ଚ କରୁଛନ୍ତି। ଏହା କରିବାକୁ ସେମାନେ ବାଧ୍ୟ ମଧ୍ୟ। ଏଥିସହ ଗବେଷଣାକୁ ପ୍ରୋତ୍ସାହନ ପାଇଁ ଭିମ୍‌ସାର ପକ୍ଷରୁ ମଲ୍ଟିପୁଲ ଡିପାର୍ଟମେଣ୍ଟାଲ ରିସର୍ଚ ୟୁନିଟ୍‌ କରାଯିବ। ଏଥିରେ ବିଭିନ୍ନ ପ୍ରକାର ଗବେଷଣା କରାଯିବା ସହିତ ଉପକରଣ ବି କ୍ରୟ କରାଯିବ। ଡାକ୍ତରମାନେ ନିଜ ତରଫରୁ ଅନେକ ଫେଲୋସିପ ଆବେଦନ କରି ଥାଆନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାର ଅନୁଦାନ ବ୍ୟବସ୍ଥା ରହିଛି। ପୂର୍ବରୁ ଏଠାରେ ଥିବା ଏଥିକ୍ସ କମିଟି ତାର କାର୍ଯ୍ୟକାଳ ପୂରଣ କରିଛି। ଖୁବ ଶିଘ୍ର ନୂଆ କମିଟି କାର୍ଯ୍ୟ କରିବ। ପଦୋନ୍ନତି ସମୟ ଆସିଥିବାରୁ ଏଭଳି ଗୁରୁତ୍ବହୀନ ଅଭିଯୋଗ ହେଉଛି। ଏଥିଯୋଗୁଁ ଭିମ୍‌ସାରର ଭାବମୂର୍ତ୍ତି ପ୍ରଭାବିତ ହେଉଛି। ପଦୋନ୍ନତି ପାଇଁ ଯଦି ନକଲି ଗବେଷଣା ହୋଇଛି ତେବେ ଏହା ନାକଚ ହୋଇଯିବ। ଏଥିସଂକ୍ରାନ୍ତରେ ଗୋଟିଏ କମିଟି ମଧ୍ୟ ଗଠନ ହୋଇଛି। ମନଇଚ୍ଛା କାହାକୁ ପଦୋନ୍ନତି ଦିଆଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର