କେନ୍ଦ୍ର-ରାଜ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ମୂଲ୍ୟହୀନ
କୁଆଡ଼େ ଗଲା ଆନ୍ତର୍ଜାତିକ ବିଶେଷଜ୍ଞଙ୍କ କମିଟି
ସଂଗ୍ରହ ହୋଇପାରିଲାନି କୋଣାର୍କର କଳାକୃତି
ଝାଉଁଗଛ ଲଗାଇବା ବି ଗୁରୁତ୍ବ ବହନ କରୁନି
ଭୁବନେଶ୍ବର, (ଚୌଧୁରୀ ଅମିତାଭ ଦାସ) : ୨୦୧୮ ଡିସେମ୍ବର ୧୦ ତାରିଖ। ରାଜ୍ୟ ଅତିଥି ଭବନରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ନେଇ ଲମ୍ବା ସମୟ ଧରି ଚାଲିଲା ମାନସ ମନ୍ଥନ। ବୈଠକରୁ ବାହାରି କେନ୍ଦ୍ରର ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଲେ, ‘ଆନ୍ତର୍ଜାତିକ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯାଇ କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥିତି ଯାଞ୍ଚ୍ କରାଯିବ। ଏହି କମିଟି ଗୋଟିଏ ମାସ ଭିତରେ ତାହାର ରିପୋର୍ଟ ଦେବ।’ ତତ୍କାଳୀନ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବି ସମାନ କଥା ଦୋହରାଇଲେ।
ଏହା ମଧ୍ୟରେ ପାଖାପାଖି ୩ ବର୍ଷ ହୋଇଗଲାଣି। କମିଟି ରିପୋର୍ଟ ଦେବା ଦୂରର କଥା; ଆଦୌ କମିଟି ଗଠନ ମଧ୍ୟ ହେଲା ନାହିଁ। ସବୁଠାରୁ ଦୁର୍ଭାଗ୍ୟର ବିଷୟ ହେଲା ଯେ ସେହିଦିନ ବୈଠକର ଯେଉଁ ଲିଖିତ ବିବରଣୀ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍ଆଇ) ନିକଟରେ ଅଛି ସେଥିରେ ‘ଆନ୍ତର୍ଜାତିକ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ’ ସମ୍ପର୍କରେ ଆଦୌ ଉଲ୍ଲେଖ ନାହିଁ। ଏବେ ଏଏସ୍ଆଇ ପକ୍ଷରୁ କୁହାଯାଉଛି ଯେ ଏପରି କୌଣସି ନିଷ୍ପତ୍ତି ସେହି ବୈଠକରେ ହୋଇ ନ ଥିଲା।
କୋଣାର୍କ ସୂର୍ଯ୍ୟ ମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର କଢ଼ାଯାଇ ସାଧା ପଥର ଲଗାଯିବା ନେଇ ହୋଇଥିବା ଅଭିଯୋଗ ଉପରେ ସେହି ସମୟରେ ପ୍ରବଳ ବାଦାନୁବାଦ ହୋଇଥିଲା। ସାରା ରାଜ୍ୟରେ ଏ ନେଇ ପ୍ରତିବାଦର ସ୍ବର ଉଠିଲା। କୋଣାର୍କର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଓ ଏଏସ୍ଆଇ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି ବୋଲି ଅଭିଯୋଗ ହେଲା। ଏହା ପରେ ଭୁବନେଶ୍ବରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ କୋଣାର୍କର ସୁରକ୍ଷା ନେଇ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। କିନ୍ତୁ ମୁଖ୍ୟ ପ୍ରସଙ୍ଗ ଥିଲା କାରୁକାର୍ଯ୍ୟପୂର୍ଣ୍ଣ ପଥର କଢ଼ାଯିବା। ଯଦିଓ ଏଏସ୍ଆଇ ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା, କିନ୍ତୁ ତାହା ଉପରେ ଅଧିକ ଅନୁଧ୍ୟାନ ପାଇଁ ମତପ୍ରକାଶ ପାଇଥିଲା। ଏହି ପ୍ରସଙ୍ଗକୁ ଫୋକସରେ ରଖି ବୈଠକ ପରେ ଦୁଇ ମନ୍ତ୍ରୀ ଗଣମାଧ୍ୟମରେ ବିବୃତି ଦେଲେ।
କିନ୍ତୁ ପରବର୍ତ୍ତୀ ସମୟରେ ବୈଠକର ବିବରଣୀରୁ ତାହା ଉଡ଼ିଗଲା। ପ୍ରଶ୍ନ ଉଠୁଛି, ମନ୍ତ୍ରୀ ମିଛ କହିଥିଲେ ନା ଏଏସ୍ଆଇ କର୍ତ୍ତୃପକ୍ଷ ଚତୁରତାର ସହ ଏହି ନିଷ୍ପତ୍ତିକୁ ବୈଠକ ବିବରଣୀରୁ ବାଦ୍ ଦେଇଦେଲେ? କୋଣାର୍କ ସୂର୍ଯ୍ୟ ମନ୍ଦିର ପରି ଓଡ଼ିଶାବାସୀଙ୍କ ଭାବପ୍ରବଣତା ସହ ଜଡ଼ିତ ଏକ କୀର୍ତ୍ତିରାଜିକୁ ନେଇ ଏପରି ଷଡ଼ଯନ୍ତ୍ର ଆଶ୍ଚର୍ଯ୍ୟଜନକ।
ସେହି ବୈଠକରେ ହୋଇଥିବା ଅନେକ ନିଷ୍ପତ୍ତି ଏ ଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ। ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା ଯେ ମହାବାତ୍ୟା ପରେ ସମୁଦ୍ରକୁ ଲାଗି କୋଣାର୍କ ଚତୁଃପାର୍ଶ୍ବରେ ଥିବା ସୁଉଚ୍ଚ ଝାଉଁ ଜଙ୍ଗଲ ନଷ୍ଟ ହୋଇଯିବା ପରେ ସୂର୍ଯ୍ୟ ମନ୍ଦିରକୁ ସିଧାସଳଖ ଲୁଣି ପବନ ମାଡ଼ ହେଉଛି। ଏହା ଦ୍ବାରା ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟର ଦ୍ରୁତ ଅବକ୍ଷୟ ଘଟୁଛି। ସେଠାରେ ଯେଉଁ କାଜୁ ଜଙ୍ଗଲ ଅଛି, ତାହା ମନ୍ଦିରକୁ ଲୁଣି ପବନରୁ ସୁରକ୍ଷା ଦେବାକୁ ସମର୍ଥ ନୁହେଁ। ତେଣୁ ପୁଣି ଥରେ ଝାଉଁ ଜଙ୍ଗଲ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି। ନୂଆ ଜଙ୍ଗଲ ସୃଷ୍ଟି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ଏଥି ପାଇଁ ମଧ୍ୟ ବିଶେଷଜ୍ଞମାନଙ୍କର ଏକ କମିଟି ଅନୁଧ୍ୟାନ କରିବ ବୋଲି କୁହାଯାଇଥିଲା। ନା ଅନୁଧ୍ୟାନ ହେଲା ନା ନୂଆ ଜଙ୍ଗଲ ସୃଷ୍ଟି ହେଲା। ତିନି ବର୍ଷ ହେଲା ଏ ଦିଗରେ ଆଖିଦୃଶିଆ ଅଗ୍ରଗତି ହୋଇ ନାହିଁ। ଯଦି ଝାଉଁ ଜଙ୍ଗଲ ମନ୍ଦିରର ସୁରକ୍ଷା ପାଇଁ ଅତି ଜରୁରୀ ଅଟେ, ତେବେ ସେଥି ପାଇଁ ତତ୍ପରତା କିପରି ପ୍ରକାଶ ପାଉ ନାହିଁ ତାହା ଆଶ୍ଚର୍ଯ୍ୟର ବିଷୟ।
ବୈଠକରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା ଯେ ବିଭିନ୍ନ ସ୍ଥାନରେ ବହୁ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପାଖରେ ସୂର୍ଯ୍ୟମନ୍ଦିରର କଳାକୃତି ରହିଯାଇଛି। ସେସବୁକୁ ସଂଗ୍ରହ କରି କୋଣାର୍କସ୍ଥିତ ପ୍ରତ୍ନତତ୍ତ୍ବ ସଂଗ୍ରହାଳୟରେ ସ୍ଥାନ ଦିଆଯିବ। କିନ୍ତୁ ଏ ଦିଗରେ ସର୍ବନିମ୍ନ ପ୍ରକ୍ରିୟା ଏ ଯାଏ ଆରମ୍ଭ ହୋଇ ନାହିଁ। ଓଡ଼ିଆ ଅସ୍ମିତା ସହ ଜଡ଼ିତ ଏହି ମନ୍ଦିର ପାଇଁ ଏତିକି କାମ କରିବାକୁ ଏଏସ୍ଆଇକୁ ତିନି ବର୍ଷ ହେଲା ସମୟ ମିଳୁନି।
ଯଦି କେନ୍ଦ୍ର ଓ ରାଜ୍ୟର ସଂସ୍କୃତି ମନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଥିବା ବୈଠକକୁ ଏଏସ୍ଆଇ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉ ନାହାନ୍ତି, ତେବେ ଏହାର ଅଧିକାରୀମାନେ କିପରି ନିଷ୍ଠାର ସହ ସଂରକ୍ଷଣ କାର୍ଯ୍ୟ କରୁଥିବେ ତାହା ଧରାପଡ଼ିଯାଉଛି। ଯଦି ଆଲୋଚନା ହୋଇଥିବା ପ୍ରସଙ୍ଗ ଏଏସ୍ଆଇ ପାଇଁ ସେତେଟା ଗୁରୁତ୍ବ ବହନ କରୁନି, ତେବେ ସେହି ବୈଠକ ଆୟୋଜନ କରିବାର ଆବଶ୍ୟକତା କ’ଣ ଥିଲା?
କୌତୂହଳ କଥା ହେଉଛି, ୨୦୧୮ ଡିସେମ୍ବର ୧୦ ତାରିଖରେ ହୋଇଥିବା ବୈଠକରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଛି, ତାହାର କାର୍ଯ୍ୟକାରିତା ତଥା ଅଗ୍ରଗତି ନେଇ ୩୦ ଦିନ ପରେ ପୁଣି ଥରେ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯିବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଥିଲେ। କିନ୍ତୁ ମନ୍ତ୍ରୀ ସେ କଥା ମଧ୍ୟ ରଖି ନ ଥିଲେ। ନୂଆଦିଲ୍ଲୀ ଫେରିଲା ପରେ ସେ ଏହାକୁ ଭୁଲିଗଲେ ଓ ଆଉ ବୈଠକ ହୋଇ ନାହିଁ।
ଏଏସ୍ଆଇର କାର୍ଯ୍ୟକଳାପ ଯେତିକି ଉଦବେଗଜନକ, ରାଜ୍ୟ ସଂସ୍କୃତି ବିଭାଗର ଏମିତି ବେପରୱା ଆଭିମୁଖ୍ୟ ସେତିକି ଚିନ୍ତାଜନକ। ସେହି ବୈଠକରେ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ସମେତ ବିଭାଗର ସବୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ କରାଗଲା କି ନାହିଁ, କେବେ କାର୍ଯ୍ୟକାରୀ ହେବ, ସେ ଦିଗରେ ବିଭାଗ ନିଜ ଆଡ଼ୁ ଜାଣିବା ପାଇଁ ଉଚିତ ମଣି ନାହିଁ। କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡ଼ିଶାର ଏକ ପରିଚୟ ହୋଇଥିଲା ବେଳେ ରାଜ୍ୟ ସଂସ୍କୃତି ବିଭାଗର ଏପରି ନୀରବତା ଆଶ୍ଚର୍ଯ୍ୟର ବିଷୟ।