ପାଳଲହଡ଼ା : ପ୍ରକଳ୍ପ ଗୋଟିଏ ପଞ୍ଚାୟତର। ପ୍ରକଳ୍ପର ସୂଚନା ଫଳକ ଲାଗିଛି ଅନ୍ୟ ପଞ୍ଚାୟତରେ। ଏ ଦୁଇ ପଞ୍ଚାୟତ ମଝିରେ ରହିଛି ଆହୁରି ୩ଟି ପଞ୍ଚାୟତ। ତେବେ ବାସ୍ତବରେ କାମ ହୋଇଛି, ନା ଲୁଚାଇ ଛପାଇ କେବଳ ଫଳକ ଲଗାଇ ମିଛ ବିଲ୍ କରି ଟଙ୍କା ଉଠାଯାଇଛି, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ଘଟଣା ପାଳଲହଡ଼ା ବ୍ଲକ୍ରେ ଆଲୋଡ଼ନ ଖେଳାଇଛି।
ପାଳଲହଡ଼ା ବ୍ଲକ୍ର ଦୁର୍ଗମ ପଞ୍ଚାୟତ ହେଉଛି ବରଡ଼ିହ। ଏହି ପଞ୍ଚାୟତର ଖଡ଼କାରୁ କୁମ୍ଭାରମାଟି ପର୍ଯ୍ୟନ୍ତ କଂକ୍ରିଟ୍ ରାସ୍ତା ନିର୍ମାଣ ହୋଇଛି ବୋଲି ଏକ ସୂଚନା ଫଳକ ଲାଗିଛି ପେଚାମୁଣ୍ଡି ପଞ୍ଚାୟତରେ। ପେଚାମୁଣ୍ଡି ପଞ୍ଚାୟତ ଜୋକପାଣି ଗାଁରେ ସାଢ଼େ ୩ ଲକ୍ଷ ଟଙ୍କାରେ ନବନିର୍ମିତ ବର୍ଜ୍ୟବସ୍ତୁ ପରିଚାଳନା ଗୃହର କୋଠରି ଭିତର ପାଖରେ ଏହି ଫଳକ ଲେଖାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ କମିସନ ଅନୁଦାନରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହୋଇଥିବା ଉକ୍ତ ଫଳକରେ ଉଲ୍ଲେଖ ରହିଛି।
ତେବେ ବରଡ଼ିହ ପଞ୍ଚାୟତର ରାସ୍ତା ନିର୍ମାଣ ଫଳକ ସେଠାରୁ ୪୦ କିମି ଦୂର ପେଚାମୁଣ୍ଡି ପଞ୍ଚାୟତରେ କିଏ ଓ କାହିଁକି ଲେଖିଛି ସେ ନେଇ କେହି ମୁହଁ ଖୋଲୁନାହାନ୍ତି। ପୁଣି ଏହି ଦୁଇ ପଞ୍ଚାୟତ ମଧ୍ୟରେ ଆହୁରି ୩ଟି ପଞ୍ଚାୟତ ରହିଛି। ଏସବୁ ପଞ୍ଚାୟତ ଡେଇଁ ବରଡ଼ିହରେ ନିର୍ମିତ ପ୍ରକଳ୍ପର ସୂଚନା ଫଳକ ପେଚାମୁଣ୍ଡି ପଞ୍ଚାୟତରେ ଏକ କୋଠରିର ଭିତର ପାଖରେ କାହିଁକି ଲେଖାଯାଇଛି ତାହା ସନ୍ଦେହ ସୃଷ୍ଟି କରିଛି। ଏ ସଂପର୍କରେ ଆମ ପ୍ରତିନିଧି ଖୋଳତାଡ଼ କରିଥିଲେ। ବରଡ଼ିହ ପଞ୍ଚାୟତର ଖଡ଼କା-କୁମ୍ଭାରମାଟି କଂକ୍ରିଟ୍ ରାସ୍ତା ନିର୍ମାଣ ହୋଇ ନଥିବା ଜଣାପଡ଼ିଛି। ମିଛ ବିଲ୍ କରି ଅର୍ଥ ହଡ଼ପ ପାଇଁ ଏଭଳି ମିଛ ଫଳକ ଲେଖାଯାଇଥିବା ଚର୍ଚ୍ଚା ହେଉଛି।
ଏ ସମ୍ପର୍କରେ ବରଡ଼ିହ ସରପଞ୍ଚ କପି ଦେହୁରୀଙ୍କୁ ପଚାରିବାରୁ ଏଭଳି କୌଣସି କାର୍ଯ୍ୟାଦେଶ ଦିଆଯାଇ ନଥିବା ଓ ରାସ୍ତା ବିଷୟରେ ସେ ଜାଣି ନଥିବା କହିଛନ୍ତି। ସେହିପରି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ମଧ୍ୟ ଏ ବାବଦରେ ଜାଣି ନଥିବା ଓ ଫଳକ କିଏ ଲଗାଇଲା, ସେ କହିପାରିବେ ନାହିଁ ବୋଲି କହିଛନ୍ତି। ଅପରପକ୍ଷେ, ଏଭଳି ଜାଲିଆତି ଘଟଣା ସମ୍ପର୍କରେ ବିଡିଓ ଦିଲୀପ କୁମାର ବାରାଙ୍କୁ ଜଣାଇବାରୁ ସେ ନିଜେ ଏହାର ତଦନ୍ତ କରିବେ ଓ ସତ୍ୟାସତ୍ୟ ପଦାକୁ ଆଣି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ‘ସମ୍ବାଦ’କୁ ପ୍ରତିକ୍ରିୟାରେ ଜଣାଇଛନ୍ତି।