ଜାଲ୍‌ ଶିକ୍ଷକ ତଦନ୍ତ ଶିଥିଳ, ଓଡ଼ିଶା କଥା ଶୁଣୁନି ଆନ୍ଧ୍ର ବିଶ୍ବବିଦ୍ୟାଳୟ

ଚିଠି ଦିଆନିଆରେ ସୀମିତ ଶିକ୍ଷା ବିଭାଗ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦାଖଲ କରି ବହୁ ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରମାଣ ମିଳିବା ପରେ ଜିଲ୍ଲା ଶିକ୍ଷା ବିଭାଗ ତଦନ୍ତ ଜାରି ରଖିଛି। କିନ୍ତୁ ବିଭିନ୍ନ କାରଣ ଯୋଗୁଁ ଏବେ ଜାଲ୍‌ ଶିକ୍ଷକ ତଦନ୍ତ ପ୍ରକ୍ରିୟା ଶିଥିଳ ପଡ଼ିଯାଇଥିବା ମନେ ହେଉଛି। ଜିଲ୍ଲାର ୨୨ଟି ବ୍ଲକ୍‌ରେ ୩୪୭ ଜଣ ଶିକ୍ଷକ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଜରିଆରେ ଚାକିରି ପାଇଥିବା ନେଇ ଅଭିଯୋଗ ଆସିଛି। ଏହି ଶିକ୍ଷକମାନଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରତି ବ୍ଲକ୍‌ର ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି।

କିନ୍ତୁ ଅଦ୍ୟାବଧି ସମସ୍ତ ବ୍ଲକ୍‌ରୁ ସମ୍ପୃକ୍ତ ଶିକ୍ଷକଙ୍କ ଅସଲି ଶିକ୍ଷା ପ୍ରମାଣପତ୍ର ଆସି ନାହିଁ। ଅନ୍ୟପଟେ କିଛି ଶିକ୍ଷକ ଆନ୍ଧ୍ରପ୍ରଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରମାଣପତ୍ର ଦାଖଲ କରି ଚାକିରି ପାଇଛନ୍ତି। ଏଣୁ ଜିଲ୍ଲା ବିଭାଗ ତରଫରୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ଚିଠି କରାଯାଇଛି। ବାରମ୍ବାର ଚିଠି କରାଯାଇଥିଲେ ସୁଦ୍ଧା ଆନ୍ଧ୍ର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓଡ଼ିଶା ଶିକ୍ଷା ବିଭାଗର କଥା ଶୁଣୁ ନାହାନ୍ତି। ଏପରିକି ଚିଠିର କୌଣସି ଉତ୍ତର ମଧ୍ୟ ଦେଉ ନଥିବା ଜଣେ ଅଧିକାରୀ କହିଛନ୍ତି। ଯାହାଫଳରେ ଜାଲ୍‌ ଶିକ୍ଷକ ତଦନ୍ତ ପ୍ରକ୍ରିୟା ଅଧାବାଟରେ ରହି ଯାଇଛି।

ଗଞ୍ଜାମ ଜିଲ୍ଲାରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଶହ ଶହ ଶିକ୍ଷକ ଚାକିରି ପାଇଥିବା ଅଭିଯୋଗ ହୋଇଥିଲା। ୨୦୧୯ ମସିହା ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ତଦନ୍ତ ନିର୍ଦ୍ଦେଶ ଜାରି ହୋଇଥିଲା। ହେଲେ ଶିକ୍ଷା ବିଭାଗ ତରଫରୁ ଲୋକ ଦେଖାଣିଆ ତଦନ୍ତ କରି ମାମଲାକୁ ରଫାଦଫା ପାଇଁ ଉଦ୍ୟମ କରାଯାଇଥିଲା।

ତେବେ ଏହା ଉପରେ କିଛି ସୂଚନା ଅଧିକାର କର୍ମୀ ଶିକ୍ଷା ବିଭାଗକୁ ତଥ୍ୟ ମାଗିବା ପରେ ପୁଣି ଥରେ ଗଞ୍ଜାମ ଜିଲ୍ଲା‌ରେ ଜାଲ୍‌ ଶିକ୍ଷକଙ୍କ ଫାଇଲ୍ ଖୋଲିଥିଲା। ୨୦୨୦ରେ ଅଲ୍‌ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ ଏବଂ ଅଲ୍‌ ଇଣ୍ଡିଆ ୟୁଥ୍‌ ଲିଗ୍‌ ପକ୍ଷରୁ ୪ଟି ପର୍ଯ୍ୟାୟରେ ବିଭିନ୍ନ ବ୍ଲକ୍‌ରେ ୧୬୧ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ବିରୋଧରେ ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ପୁଣି ଗତବର୍ଷ ଡିସେମ୍ବର ମାସରେ ପ୍ରକାଶ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତି ୧୧୫ ଜଣ ଜାଲ୍‌ ଶିକ୍ଷକ ଚାକିରି ପାଇଥିବା ନେଇ ଅଭିଯୋଗ ଆଣିଥିଲେ। ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଏହାର ମଧ୍ୟ ତଦନ୍ତ ଆରମ୍ଭ କରାଯାଇଥିଲା।

ଏବେ ଜାଲ୍‌ ଶିକ୍ଷକଙ୍କ ସଂଖ୍ୟା ୩୪୭ରେ ପହଞ୍ଚିଲାଣି। ଯାହାର ତଦନ୍ତ ଜାରି ରଖିଛି ଶିକ୍ଷା ବିଭାଗ। ୩୪୭ଜଣ ଶିକ୍ଷକଙ୍କ ମଧ୍ୟରୁ ୬୩ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ତନ୍ମଧ୍ୟରୁ ପୁଲିସ କିଛି ଶିକ୍ଷକଙ୍କୁ ଗିରଫ କରିଛି। ସେହିପରି କାର୍ଯ୍ୟାନୁଷ୍ଠାନ ଭୟରେ ୮ଜଣ ଶିକ୍ଷକ ଚାକିରି ଛାଡ଼ି ଫେରାର୍ ହୋଇଯାଇଛନ୍ତି। ବଳକା ରହିଥିବା ୨୭୬ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଶିକ୍ଷା ପ୍ରମାଣପତ୍ର ନକଲ ପ୍ରଦାନ କରିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି। ଜାଲ୍‌ ଶିକ୍ଷା ପ୍ରମାଣପତ୍ର ନେଇ ସୂଚନା ଅଧିକାର କର୍ମୀ ସମରଜିତ ମହାନ୍ତି ହାଇକୋର୍ଟରେ ଏକ ପିଟିସନ୍‌ ରୁଜୁ କରିଛନ୍ତି। ତା’ର ଶୁଣାଣି ଜାରି ରହିଛି। ଜାଲ୍‌ ଶିକ୍ଷକ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ଉପରେ ଉତ୍ତର ରଖିବା ପାଇଁ ହାଇକୋର୍ଟ ପୂର୍ବରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ ସାରିଛନ୍ତି।

ସେହିପରି ଆନ୍ଧ୍ର ଶିକ୍ଷାନୁଷ୍ଠାନର ଶିକ୍ଷା ପ୍ରମାଣପତ୍ର ଦେଇ କିଛି ଶିକ୍ଷକ ଚାକିରି ପାଇଛନ୍ତି। ତାଙ୍କର ପ୍ରମାଣପତ୍ର ଯାଞ୍ଚ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଆନ୍ଧ୍ର ବିଶ୍ବବିଦ୍ୟାଳୟ ଓ  ଗୁଣ୍ଟୁର୍‌ରେ ଥିବା ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କୁ ଚିଠି କରାଯାଇଛି। ହେଲେ ସେଠାରୁ କୌଣସି ଉତ୍ତର ଆସୁ ନାହିଁ। ଏପରିକି କର୍ଣ୍ଣାଟକର ଗୁଲବର୍ଗ ବିଶ୍ବବିଦ୍ୟାଳୟ ଓ ବେଙ୍ଗାଲୁରୁ ବିଶ୍ବବିଦ୍ୟାଳୟ କୁଳପତିଙ୍କ ମଧ୍ୟ ଚିଠି କରାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ତରଫରୁ ଅସଲି ଶିକ୍ଷା ପ୍ରମାଣପତ୍ରର ନକଲ ଯୋଗାଇ ଦିଆଯାଇ ନାହିଁ। ଯାହାଫଳରେ ତଦନ୍ତ ପ୍ରକ୍ରିୟା ଆଗେଇପାରୁନି।
ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି କହନ୍ତି, ଯେଉଁ ଶିକ୍ଷକମାନଙ୍କ ନାମରେ ଅଭିଯୋଗ ଆସିଛି, ତାଙ୍କର ଶିକ୍ଷା ପ୍ରମାଣପତ୍ର ଦାଖଲ କରିବା ପାଇଁ ବିଇଓମାନଙ୍କୁ ଚିଠି କରାଯାଇଛି। କିଛି ବ୍ଲକ୍‌ର ବିଇଓ ପ୍ରମାଣପତ୍ର ଦାଖଲ କରିଛନ୍ତି। ଅନ୍ୟ ବିଇଓମାନେ ଶିକ୍ଷା ପ୍ରମାଣପତ୍ର ଦେଇଥିବା ଶିକ୍ଷାନୁଷ୍ଠାନକୁ ଚିଠି କରିଛନ୍ତି। ସେଠାରୁ ଶିକ୍ଷା ପ୍ରମାଣପତ୍ର ଆସିବାରେ ବିଳମ୍ବ ହେଉଛି। ଏଣୁ ସମସ୍ତ ବ୍ଲକ୍‌ର ବିଇଓ ପ୍ରମାଣପତ୍ର ଦାଖଲ କରିପାରି ନାହାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର