ମିଥ୍ୟା ସତ୍ୟପାଠ ଅଭିଯୋଗ: ଥାନାରେ ହାଜର ପାଇଁ ନିର୍ଦ୍ଦେଶ

ଆନନ୍ଦପୁର : ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ୩୪ ନମ୍ବର ଜିଲ୍ଲାପରିଷଦ ଜୋନ୍‌ର ବିଜେପି ପ୍ରାର୍ଥୀ ବିବେକାନନ୍ଦ ରାଉତ (ବାଜୁଆ)ଙ୍କ ନାମରେ ନିର୍ବାଚନୀ ମାମଲା ରୁଜୁ ହୋଇଛି। ନିର୍ବାଚନ ଅଧିକାରୀ ତଥା ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ଅଭିଯୋଗକ୍ରମେ ଆନନ୍ଦପୁର ଥାନାରେ ତାଙ୍କ ବିରୋଧରେ କେସ୍ ନମ୍ବର ୩୨/୨୦୨୨ ଦଫା ୧୭୭/୧୮୧/୪୬୫/୪୨୦ରେ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୫ଟା ମଧ୍ୟରେ ଆନନ୍ଦପୁର ଥାନାରେ ହାଜର ହୋଇ ମକଦ୍ଦମା ସମ୍ପର୍କରେ ବୟ‌ାନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଥାନାରେ ହାଜର ନହେଲେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୧୭୪ ଅନୁସାରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି।

ଏନେଇ ଆନନ୍ଦପୁର ଥାନା ଅଧିକାରୀ ମନୋରଂଜନ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ବିବେକାନନ୍ଦଙ୍କ ବିରୋଧରେ ୨୦୦୭ ମସିହାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସେ ଦଣ୍ଡିତ ହୋଇଥିଲେ। ତେବେ ପ୍ରାର୍ଥିପତ୍ର ଦାଖଲ ବେଳେ ସେ ଦେଇଥିବା ସତ୍ୟପାଠରେ ଏନେଇ ଉଲ୍ଲେଖ କରିନାହାନ୍ତି। ବିବେକାନନ୍ଦ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ପ୍ରତିପକ୍ଷ ବିଜେଡି ପ୍ରାର୍ଥୀ ସୋମନାଥ ଦାସ ପୂର୍ବରୁ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ଶ୍ରୀ କୁଅଁରଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ ‌‌ହୋଇଥିବା ନେଇ ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ ଏନେଇ ବିବ‌େକାନନ୍ଦଙ୍କୁ ପଚାରିବାରୁ, ସେ ନୋଟିସ ପାଇଛନ୍ତି। ଆସନ୍ତାକାଲି ସେ ଥାନାରେ ଉପସ୍ଥିତ ହୋଇ ଅଭିଯୋଗ ସମ୍ପର୍କରେ ନିଜର ପକ୍ଷ ରଖିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର