ବିଦ୍ୟାଳୟର ଛାତ୍ର ମୃତ୍ୟୁ ଘଟଣା: ମୃତଦେହ ରଖି ସ୍କୁଲଗେଟ୍‌ରେ ତାଲା ପକାଇଲେ ପରିବାର ଓ ଗ୍ରାମବାସୀ

ପ୍ରଶାସନ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଖଇରବଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରେ ଦ୍ୱୀତିୟ ଶ୍ରେଣୀର ଛାତ୍ରର  ମୃତ୍ୟୁ ନେଇ ପରିବାର ଓ ଗ୍ରାମବାସୀ ସ୍କୁଲ ଗେଟ୍‌ ଆଗରେ ଶବ ରଖି କ୍ଷତିପୂରଣ ସହ ସୁପରିଟେଂଣ୍ଡେଂଟଙ୍କ ବଦଳି ଦାବି ନେଇ ଧାରଣା ଦେଇଥିଲେ । ସୂଚନା ଅନୁଯାୟୀ ନୀଳଗିରି ବ୍ଲକ ଧୋବିଶିଳା ପଂତାୟତ ଅଧିନସ୍ଥ ଖଇରବଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ ଛାତ୍ର ନିବାସ ରହିଛି। ଉକ୍ତ ଛାତ୍ରାବାସରେ ଉକ୍ତ ପଂଚାୟତର ରାବୁଡିସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ପୁତ୍ର ତପୁ ସିଂ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିଲା । ତପୁ ଅସୁସ୍ଥ ହେବାରୁ ତାକୁ ଛାତ୍ର ନିବାସର ସୁପରିଟେଂଣ୍ଡେଂଟ ମନ୍ମଥ ମଲ୍ଲିକ ୩ ତାରିଖ ଦିନ ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ । ଅବସ୍ଥା ଗୁରୁତହେବାରୁ ଶ୍ରୀମଲ୍ଳିକ ତପୁର ବାପା ପୂର୍ଣ୍ଣଚନ୍ଦ୍ରଙ୍କୁ ଡକାଇ ଘରକୁ ପଠାଇ ଦେଇଥିଲେ ।

ଆଜି ସକାଳୁ ତପୁର ଦେହ ଗୁରୁତର ହେବାରୁ ପରିବାର ଲୋକେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ସକାଳ ପ୍ରାୟ ୯ଟାରେ ତାର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ପ୍ରଚାରିତ ହେବା କ୍ଷଣି ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା । ଛାତ୍ର ନିବାସର ସୁପରିଟେଂଣ୍ଡେଂଟ ମନ୍ମଥ ମଳ୍ଲିକ, ପ୍ରଧାନ ଶିକ୍ଷୟିତ୍ରୀ କିରଣବାଳା ମଲ୍ଲିକ ଅବହେଳା ପାଇଁ ଛାତ୍ର ତପୁଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଗ୍ରାମର ଶତାଧିକ ଯୁବକ ଯୁବତୀମାନେ ସ୍କୁଲରେ ପହଂଚି ହଙ୍ଗାମା କରିବା ସହିତ ମୃତଦେହକୁ ସ୍କୁଲ ଗେଟ୍‌ ଆଗରେ ରଖି ଗେଟରେ ତାଲା ପକାଇବା ସହ ନ୍ୟାୟ ପାଇଁ ଦିନ ୨ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ପରେ ପ୍ରଶାସନର ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

 

ସମ୍ବନ୍ଧିତ ଖବର