ମାନବିକତା ଭୁଲିଗଲେ: ଅନ୍ୟ ଜାତିର ବିବାହ କରିଥିଲେ ବୋଲି ମୃତକଙ୍କ ଶବକୁ ଛୁଇଁଲେନି ପରିବାର ଓ ଗ୍ରାମବାସୀ

ରାଉରକେଲା: ମାନବିକତା ଭୁଲିଗଲେ ପରିବାର ଓ ଗ୍ରାମବାସୀ। ଅନ୍ୟ ଜାତିର ଝିଅକୁ ବିବାହ କରିଥିବାରୁ ଯୁବକଙ୍କ ଶବକୁ ଛୁଇଁଲେନି। ଚାରିକାନ୍ଧ ଦ‌େଲେନି ପରିବାର ଓ ଆତ୍ମସ୍ବଜନ। ପାହାଡ ଉପରେ ପଡିଥିବା ଯୁବକଙ୍କ ଶବ ସଂକ୍ରାନ୍ତରେ ଗ୍ରାମବାସୀ ଜାଣିଥିଲେ ମଧ୍ୟ କାହାରିକୁ ସୂଚନା ଦେଇଥିଲେ। ହାତୀ ଘୋଡାଇବାକୁ ଯାଇଥିବା ବନକର୍ମଚାରୀ ଯୁବକଙ୍କ ମୃତ ଶବ ପଡିଥିବା ଦେଖି ମହୁଲପଦା ପୁଲିସକୁ ସୂଚନା ଦେଇଥିଲେ। ଶେଷରେ ମାନବିକତାର ପରିଚୟ ଦେଇଥି‌ଲେ ପୁଲିସ ଅଧିକାରୀ ଓ କର୍ମଚାରୀ। ତିନି କିଲୋମିଟର ରାସ୍ତା ଅତିକ୍ରମ କରି ଯୁବକଙ୍କ ଶବକୁ ପାହାଡ ତଳକୁ ଆଣିଥିଲେ। ପରେ ସଂସ୍କାର ମଧ୍ୟ କରିଥିଲେ। ଏମିତି ଅମାନବୀୟ ଘଟଣା ଏବେ ସୁନ୍ଦରଗଡ଼ ଜିଲ୍ଲାର ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ଜଣକ ହେଉଛନ୍ତି ଫୁଲଝର ତଳଗିନିଆ ଗ୍ରାମର ହେମନ୍ତ ମୁଣ୍ଡାରୀ (୩୦)। ଏମିତି ଦୁଃଖଦ ଘଟଣା ଘଟିଥିଲା କୁଳିପୋଷ ଫରେଷ୍ଟ ରେଞ୍ଜର ଫୁଲଝର ନିକଟ ଉପରଜିନିଆ ଜଙ୍ଗଲରେ।

ଆଜି ପୂର୍ବାହ୍ନରେ ଗାଁ ନିକଟକୁ ପଶି ଆସିଥିବା ହାତୀପଲକୁ ହେମନ୍ତ ଘଉଡାଉଥିଲେ। ଏକ ଦନ୍ତା ହାତୀ ସାମ୍ନାକୁ ଆସିଯାଇଥିଲା। କିଛି ବୁଝିବା ପୂର୍ବରୁ ହାତୀଟି ହେମନ୍ତଙ୍କୁ ଶୁଣ୍ଢରେ ଟେକି ନେଇ ପାଦରେ ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ହେମନ୍ତ ଅନ୍ୟ ଜାତିର ଝିଅକୁ ବିବାହ କରିଥିବାରୁ ପରିବାର ଓ ଗ୍ରାମବାସୀ ତାଙ୍କୁ ବାସନ୍ଦ କରିଥିଲେ। ଏଥିପାଇଁ ଆତ୍ମୀୟ ସ୍ୱଜନ ହେମନ୍ତର ଶବକୁ ଛୁଇଁବାକୁ ମନା କରିଦେଇଥିଲେ। ଏହି ସମୟରେ ମହୁଲପଦା ଥାନା ପୁଲିସ କର୍ମଚାରୀ ମାନେ ମାନବିକତା ଦେଖାଇଥିଲେ । ପୁଲିସ ଅଧିକାରୀ ଏବଂ କର୍ମଚାରୀ ମାନେ ପାହାଡ଼ ଉପରୁ ୩ କିଲୋମିଟର ରାସ୍ତା ଅତିକ୍ରମ କରି ହେମନ୍ତଙ୍କ ଶବ ତଳକୁ ଆଣିଥିଲେ। ଉଲ୍ଲେଖଯୋଗ୍ୟ, ଗତ ଦୁଇ ସପ୍ତାହ ମଧ୍ୟରେ ବଣାଇ ବନଖଣ୍ଡରେ ହାତୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଦୁଇ ଶିଶୁଙ୍କ ସମେତ ଅନେକ ଗୁରୁତର ହୋଇଛନ୍ତି। ସଂପ୍ରତି ବଣାଇର ବିଭିନ୍ନ ରେଞ୍ଜରେ ହାତୀ ଆକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କ ସୁରକ୍ଷା ନିମନ୍ତେ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।

ସମ୍ବନ୍ଧିତ ଖବର