ବାପା ଓ ସାବତ ମା’ଙ୍କ ଅମାନୁଷିକ କାଣ୍ଡ : ୯ ବର୍ଷର ପୁଅକୁ ମାଡ଼, ଚେଙ୍କ

ଔପଦା : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ କଳାଶୁଣି ଚନ୍ଦ୍ରପଡ଼ା ଗ୍ରାମରେ ଏମିତି ଏକ ଘଟଣା ଘଟିଛି, ଯାହା ରକ୍ତ ସଂପର୍କକୁ କଳଙ୍କିତ କରିଛି। ଅମଣିଷ ବାପାମା’ ପୁଅକୁ ମାଡ଼ ମାରିବା ସହ ଦେହର ବିଭିନ୍ନ ସ୍ଥାନରେ ଚେଙ୍କ ଦେଇଥିବା ଜଣାପଡ଼ିଛି।

ଗତକାଲି ରାତିରେ ଜଣେ ୯ ବର୍ଷର ନାବାଳକ ସିମୁଳିଆ ବ୍ଲକ୍‌ ଅଡ଼ା ବଜାରରେ କାନ୍ଦି କାନ୍ଦି ଏଣେତେଣେ ବୁଲୁଥିବା ସ୍ଥାନୀୟ କିଛି ଲୋକ ଦେଖିଥିଲେ। ସେମାନେ ତାକୁ ପଚରାଉଚରା କରିଥିଲେ। ପରେ ଏ ନେଇ ଖଇରା ଚାଇଲ୍‌ଡ ଲାଇନ୍‌କୁ ଖବର ଦିଆଯାଇଥିଲା। ଚାଇଲ୍‌ଡ ଲାଇନ୍‌ର ନିର୍ଦେଶକ ମଦନମୋହନ ବେହେରାଙ୍କ ନିର୍ଦେଶ କ୍ରମେ ଟିମ୍‌ ଲିଡର ତପସ୍ୱିନୀ ରାଉତ, ପଞ୍ଚାନନ ତ୍ରିପାଠୀ ଓ ଚିନ୍ମୟ ପାଢ଼ୀ ସେଠାରେ ପହଞ୍ଚି ନାବାଳକକୁ ଉଦ୍ଧାର କରିବା ସହ ସିମୁଳିଆ ଥାନାକୁ ଖବର ଦେଇଥିଲେ। ଆସନ୍ତାକାଲି ନାବାଳକକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ହାଜର କରାଯିବ ବୋଲି ଜଣାପଡ଼ିଛି। ତେବେ ଚାଇଲ୍‌ଡ ଲାଇନ୍‌ର ସୂଚନା ଅନୁସାରେ; ନାବାଳିକାର ବାପା ତରୁଣ ସରକାର (୩୫) ଓ ସାବତ ମାଆ ମାଣିକ(୨୫) ପୁଅକୁ ବିଭିନ୍ନ ସମୟରେ ହୋଟେଲ୍‌ ଓ ଅନ୍ୟ ଲୋକଙ୍କ ଘରେ କାମ କରିବାକୁ ବାଧ୍ୟ କରୁଥିଲେ। ତେବେ ସେ କାମ କରିବାକୁ ମନା କରିବାରୁ ବାପା ତରୁଣ ଓ ସାବତ ମା’ ମାଣିକ ମାଡ଼ ମାରିବା ସହ ଗରମ ଲୁହାରଡ୍‌ରେ ଚେଙ୍କ ଦେଇଥିଲେ। ଫଳରେ ନାବାଳକ ଜଣକ ଘରୁ ଭୟରେ ପଳାଇ ଆସିଥିଲା।

ସମ୍ବନ୍ଧିତ ଖବର