କଅଁଳ ମୁଣ୍ଡରେ ପରିବାର ବୋଝ : ଦିନରେ ଜୋତା ସିଲେଇ, ରାତିରେ ପାଠପଢ଼ା

ଢେଙ୍କାନାଳ,(ପ୍ରସନ୍ନ ପଟ୍ଟନାୟକ): ପେଟକୁ ଦି ମୁଠା ଖାଇବା ଯୋଗାଡ଼ିବା ସାଙ୍ଗକୁ ପରିବାର ପ୍ରତିପୋଷଣ ପାଇଁ କଅଁଳ ହାତ କରୁଛି ଜୋତା ପଲିସ୍ । ଯେଉଁ ବୟସରେ ଖେଳିବୁଲି ପାଠପଢ଼ି ନିଜ ଭବିଷ୍ୟତ ଗଢିବାର ସ୍ୱପ୍ନ ଦେଖିବା କଥା, ସେହି ବୟସରେ ଜଞ୍ଜାଳର କଷାଘାତରେ ପରିବାରର ବୋଝ ମୁଣ୍ଡେଇଛି ୧୨ ବର୍ଷର ନାବାଳକ ରୁଦ୍ର ଗୁରୁ । ଦିନରେ ଜୋତା ସିଲେଇ କରୁଥିବା ବେଳେ ରାତିରେ ପାଠ ପଢୁଛି । ସହରର ମୁଖ୍ୟ ରାସ୍ତା କଡ଼ରେ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବସି ଏହି କଅଁଳ ହାତ ପ୍ରତିଦିନ ଜୋତା ସିଲେଇ/ପଲିସ୍‌ କରି ତିନିପ୍ରାଣୀ ପରିବାର ମୁହଁରେ ଦାନା ଦେଉଥିଲା ବେଳେ ପ୍ରଶାସନିକ ଅଧିକାରୀମାନଙ୍କର ନଜର କିନ୍ତୁ ସେଆଡ଼କୁ ଏଯାଏଁ ପହଂଚି ପାରିଲା ନାହିଁ। ଅର୍ଥାଭାବରୁ ପଢିବାରେ ସମସ୍ୟା ହେଉଥିଲେ ମଧ୍ୟ ରୁଦ୍ରଙ୍କର ପଢିବାର ମନୋବଳ ଭାଙ୍ଗି ନାହିଁ।

ପୌରାଞ୍ଚଳର ୧୮ ନମ୍ବର ୱାର୍ଡ଼ ରାମେଶ୍ୱରପୁର ଅଞ୍ଚଳରେ ରୁଦ୍ରଙ୍କ ଘର । ତାଙ୍କ ବାପା ଅକ୍ଷୟ ଗୁରୁ ୨୦୧୭ ମସିହାରେ ଲିଭର ଜଣ୍ଡିସ୍‌ରେ ଆରପାରିକୁ ଚାଲିଗଲେଣି। ଘରେ ଏବେ ରହିଛନ୍ତି ମା ଓ ବଡ଼ ଭଉଣୀ। ସେ ସ୍ଥାନୀୟ ସୌଦାମିନୀ ସ୍ମୃତି ବିଦ୍ୟାପୀଠରେ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି। ସେହିପରି ଅର୍ଥାଭାବ ଯୋଗୁଁ ବଡ଼ ଭଉଣୀ ମାମାଲି ମାଟ୍ରିକ୍ ପାସ୍ କରିବା ପରେ ଆଗକୁ ପଢ଼ିବାର ସୁବିଧା ନପାଇ ଏବେ ଘରେ ବସିଛନ୍ତି। ରୋଜଗାର ପାଇଁ ଅନ୍ୟ କୌଣସି ପନ୍ଥା ନଥିବା ବେଳେ ପରିବାର ଚଳାଇବା ପାଇଁ ନିଜେ ଅଣ୍ଟା ଭିଡ଼ିଛନ୍ତି ବିଚରା ରୁଦ୍ର । ସହରର ଗଣେଶବଜାର ମୁଖ୍ୟ ରାସ୍ତାକଡ଼ରେ ଥିବା ନିଜ ବଡବାପାଙ୍କ ଛୋଟ ଉଠା ଜୋତା ଦୋକାନରେ ସକାଳୁ ସଞ୍ଜ ଯାଏଁ ଜୋତା ମରାମତି କରି ସେଥିରୁ ଯେତିତି ଟଙ୍କା ମିଳେ ସେଥିରେ ରୁଦ୍ରଙ୍କ ପରିବାର ପ୍ରତିପୋଷଣ ହେଉଛି। ଦିନରେ ଜୋତା ସିଲେଇ କରି ସନ୍ଧ୍ୟାରେ ଘରକୁ ଫେରିବା ପରେ ସେ ପାଠପଢାରେ ଲାଗିଯାଆନ୍ତି।

ଏ ନେଇ ରୁଦ୍ର କୁହନ୍ତି ଯେ ବାପା ଚାଲିଯିବା ପରେ ପରିବାରର ବୋଝ ମୋ ଉପରେ ପଡ଼ିଛି। ବଡ଼ବାପାଙ୍କ ଦୋକାନରେ କାମ କରୁଛି, ସେଥିରୁ ଯାହା ମିଳୁଛି ତାକୁ ନେଇ ଘର ଚଳାଉଛି । କରୋନା ପାଇଁ ମୋବାଇଲ୍‌ରେ ପାଠପଢା ଆରମ୍ଭ ହୋଇଥିବା ବେଳେ ଅର୍ଥାଭାବରୁ ମୋବାଇଲ୍ କିଣି ନ ପାରି ମୁଁ ତା’ର ସୁଯୋଗ ନେଇ ପଢିପାରିଲି ନାହିଁ । ବଡ଼ବାପାଙ୍କ ଦୋକାନ ବ୍ୟତୀତ ଅନ୍ୟମାନଙ୍କ ସହ ସାପ୍ତାହିକ ହାଟକୁ ମଧ୍ୟ ଏହି କାମରେ ଯାଇଥାଏ । କାମରୁ ଫେରିଲେ ପାଠ ପଢେ । ବର୍ତ୍ତମାନ କରୋନା ଯୋଗୁଁ ସ୍କୁଲ୍ ଛୁଟି ଥିବାରୁ ମୁଁ ଦିନରେ କାମ କରି ପରିବାର ଚଳାଇନେଉଛି । ତେବେ ସ୍କୁଲ୍ ଖୋଲିଯିବା ପରେ ଆମେ କେମିତି ଚଳିବୁ ତାହା ଏବେ ଆମ ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି। ସରକାରଙ୍କ ପକ୍ଷରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଗଲେ ଆମେ ଭାଇଭଉଣୀ ଭବିଷ୍ୟତ ଗଢିବାକୁ ସୁଯୋଗ ପାଇପାରନ୍ତୁ ବୋଲି ସେ କୋହଭରା କଣ୍ଠରେ ‘ସମ୍ବାଦ’କୁ କହିଛନ୍ତି ।

ଏ ସଂପର୍କରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ପ୍ରତାପ ଆଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ କହିଛନ୍ତି, ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ଶିଶୁ ମଙ୍ଗଳ କମିଟିରେ ହାଜର ହେବା ପାଇଁ ପରାମର୍ଶ ଦିଆଯାଇଥିଲା । ତେବେ ଏବେସୁଦ୍ଧା କେହି ଆସିନଥିବାରୁ କୌଣସି ପଦକ୍ଷେପ ନିଆଯାଇପାରି ନାହିଁ । ସେମାନେ ଆସିଲେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର