କଟକ: ପରିବାରର କୌଳିକ ବୃତ୍ତି ପାଲଟିଛି ବ୍ରାଉନ୍ସୁଗାର ବେପାର। ପୁଅ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ହାତରେ ପୂର୍ବରୁ ଧରା ପଡ଼ିଥିବା ବେଳେ ଆଜି ବାପାକୁ ରାଜ୍ୟ ଫ୍ଲାଇଂ ସ୍କ୍ଵାଡ୍ ଗିରଫ କରିଛି । ଗିରଫ ଅଭିଯୁକ୍ତ ବାପା ମଙ୍ଗଳାବାଗ ଥାନା ବ୍ୟାରେଜ ରୋଡ୍ ଅଞ୍ଚଳର ପରୀକ୍ଷିତ ପ୍ରଧାନ । ତା’ ନିକଟରୁ ମୋଟ ୪୫ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଛି । ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ସ୍କ୍ଵାଡ ପକ୍ଷରୁ ଆକଳନ କରାଯାଉଛି । ଏହି କାରବାରରେ ପରୀକ୍ଷିତର ସ୍ତ୍ରୀ ମଧ୍ୟ ସମ୍ପୃକ୍ତ ଥିବାରୁ ତାକୁ ଗିରଫ କରିବାକୁ ଯୋଜନା କରାଯାଉଛି । ସେହିପରି ଗତକାଲି ମଙ୍ଗୁଳି ଟୋଲ୍ଗେଟ୍ ନିକଟରୁ ଦୁଇ ଲକ୍ଷ ଟଙ୍କାର ରନ୍ଧା ମଦ ଏବଂ ବୋଲେରୋ ଗାଡ଼ି ଜବତ ହୋଇଛି । ମୋଟ ସାଢ଼େ ୬ ଲକ୍ଷ ଟଙ୍କାର ମଦ ଓ ବ୍ରାଉନ୍ସୁଗାର ଜବତ କରାଯାଇଥିବା ସୂଚନା ମିଳିଛି ।
ପରୀକ୍ଷିତର ପୁଅ ସୌମ୍ୟରଞ୍ଜନ ପ୍ରଧାନକୁ ୨୦୧୭, ଜୁଲାଇ ୨୧ ତାରିଖରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଥିଲା। ସେ କଟକର ବୋସ୍ ହଷ୍ଟେଲ୍ ନିକଟରୁ ଧରାପଡ଼ିଥିଲା । ତା’ ନିକଟରୁ ୭ ଲକ୍ଷ ଟଙ୍କା ମୂଲ୍ୟର ୭୦ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଥିଲା । ଏବେ ସିଏ ଜେଲ୍ରେ ଥିବା ବେଳେ ଆଜି ବ୍ୟାରେଜ ରୋଡ୍ସ୍ଥିତ ତା’ ଘର ନିକଟରେ ଥିବା ପାନ ଦୋକାନରୁ ବାପା ପରୀକ୍ଷିତକୁ ସକାଳ ପ୍ରାୟ ୮ଟା ବେଳେ ଫ୍ଲାଇଂ ସ୍କ୍ଵାଡ୍ ଗିରଫ କରିଛି। ତାକୁ ଜେରା ପରେ ସେ ବାଲେଶ୍ୱର ଷ୍ଟେସନ୍ ନିକଟରୁ ବ୍ରାଉନ୍ସୁଗାର କିଣୁଥିବା କହିଛି। ଷ୍ଟେସନ୍ରୁ କିଣିବା ପରେ କଟକ ସହରର ମେଡିକାଲ୍ ପରିସର ଏବଂ ବ୍ୟାରେଜ୍ ରୋଡ୍ରେ ଥିବା ତା’ ପାନ ଦୋକାନରେ ବିକ୍ରି କରୁଥିଲା । ପ୍ୟାକେଟ୍ ପିଛା ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିଲା । ତା’ ଘର ଢେଙ୍କାନାଳ ଜିଲ୍ଲା ଗଅଁଦିଆ ରାମପଡ଼ା ଅଞ୍ଚଳରେ ହୋଇଥିବା ବେଳେ ସେ ଗତ ୪୦ ବର୍ଷ ହେବ କଟକ ସହରରେ ରହି ଆସୁଛି। ସେ ନିଜ ପରିବାର ଲୋକଙ୍କ ସହିତ ମିଶି ବ୍ରାଉନ୍ସୁଗାର ବେପାର କରୁଥିବା ଜେରାରୁ ଜଣାପଡ଼ିଛି । ଅନ୍ୟପଟେ ରାଜ୍ୟ ଫ୍ଲାଇଂ ସ୍କ୍ଵାଡ୍ ପକ୍ଷରୁ ଗତକାଲି ରାତି ପ୍ରାୟ ୯ଟା ବେଳେ ମଙ୍ଗୁଳି ଟୋଲ୍ ଗେଟ୍ ନିକଟରୁ ଗୋଟିଏ ବୋଲେରୋ ଗାଡ଼ି ସହିତ ୨୦ଟି ବସ୍ତାରେ ଥିବା ୧୨ ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଇଛି । ଜବତ ମଦର ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଚଢ଼ଉ ବେଳେ ଗାଡ଼ି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଡିଏସ୍ପି ବି.କେ ସିଂହ ସାମନ୍ତଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଶରତ ଚନ୍ଦ୍ର ଭଞ୍ଜ, କମଳ ଲୋଚନ ପାଇକରାୟ, ହିତାଂଶୁ ମଲ୍ଲିକ, ପି.କେ. ମହାନ୍ତି ପ୍ରମୁଖ ଏହି ଚଢଉରେ ସାମିଲ ହୋଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/BROWN-SUGAR.jpg)