ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ରାଜମିସ୍ତ୍ରିଙ୍କ ଶବକୁ ଛୁଇଁଲେନି ପରିବାର ଲୋକେ

ସ୍ବେଚ୍ଛାସେବୀ କଲେ ସତ୍କାର

ବଲାଙ୍ଗୀର : ଅନ୍ୟଜାତିରେ ପ୍ରେମ ବିବାହ କରିଥିବାରୁ ରାଜମିସ୍ତ୍ରିଙ୍କ ଶବକୁ ଛୁଇଁଲେନି ପରିବାର ଲୋକେ। ଚାରିକାନ୍ଧ ଦେବା ତ ଦୂରର କଥା ଶେଷକୃତ୍ୟ ସଂପନ୍ନରେ ବି ସାମିଲ ହେଲେନି। ଶେଷରେ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ଆଗଲପୁର ବ୍ଲକ୍‌ ଗୁହୁରିଆମୁଣ୍ଡା ଗାଁରେ ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି।

ପ୍ରକାଶ ଯେ ପାଟଣାଗଡ଼ ବ୍ଲକ୍‌ ଖୁଟମୁଣ୍ଡା ଗାଁର ସଂକୀର୍ତ୍ତନ ମାଝୀ ପ୍ରେମକରି ଭିନ୍ନ ଜାତିର ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏଥିପାଇଁ ପରିବାର ଲୋକେ ତାଙ୍କୁ ଗ୍ରହଣ କଲେ ନାହିଁ। ତେଣୁ ବହୁ ବର୍ଷ ହେଲା ସେ ଗୁହୁରିଆମୁଣ୍ଡା ଗ୍ରାମକୁ ଆସି ରହୁଥିଲେ। ଶୁକ୍ରବାର ୭୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ବୁଦୁଲାର ପୂର୍ବ ସମିତିସଭ୍ୟ ଚିନ୍ତାମଣି ଭୋଇ ଏନେଇ ଜ୍ଞାତି କୁଟୁମ୍ବ ଲୋକଙ୍କୁ ଫୋନ୍‌ରେ ଜଣାଇଥିଲେ। କିନ୍ତୁ ଅନ୍ୟଜାତିର ବିବାହ କାରଣରୁ ସଂପର୍କ କାଟି ଦେଇଥିବାରୁ ଆସିବାକୁ ମନା କରି ଦେଇଥିଲେ। ଏଭଳି ସ୍ଥିତିରେ ବୁଦୁଲାର ସ୍ବେଚ୍ଛାସେବୀ ଅସହାୟ ସଂକୀର୍ତ୍ତନଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଥିଲେ। ସମାଜସେବୀ ଚିନ୍ତାମଣି ଭୋଇ, ସଦାନନ୍ଦ ଭଏସାଲ, ଜଗଦୀଶ ନାଏକ, ସୁବଳ ପଟିଆ ମୃତଦେହକୁ ଶ୍ମଶାନକୁ ନେଇ ଶେଷକୃତ୍ୟ ସଂପନ୍ନ କରାଇଥିଲେ।

ସମ୍ବନ୍ଧିତ ଖବର