ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଲାଡ଼ି ପଞ୍ଚାୟତ କୁମୁଣ୍ଡା ଗ୍ରାମର ହାଡ଼ିବନ୍ଧୁ ଗୌଡ଼ (୫୫)ଙ୍କୁ ପୁରୁଣା ପାରିବାରିକ ବିବାଦରୁ ନିର୍ମମ ହତ୍ୟା କରାଯାଇଛି। ଗାଁ କେନାଲ୍ ନିକଟରେ ଆକ୍ରମଣକାରୀମାନେ ତାଙ୍କୁ ଯୋଜନାବଦ୍ଧ ଭାବେ କାଠଫାଳିଆ ଓ ଠେଙ୍ଗାରେ ମାଡ଼ମାରି, ମୁହଁକୁ ପଥରରେ ଛେଚି ହତ୍ୟା କରିଛନ୍ତି। ପରେ ଶବକୁ କେନାଲ୍‌ରେ ଫିଙ୍ଗି ଡାଳପତ୍ର ଘୋଡ଼ାଇଦେଇଛନ୍ତି। ହାଡ଼ିବନ୍ଧୁଙ୍କ କ୍ଷତାକ୍ତ ଶବକୁ ପୁଲିସ ଜବତ କରିଛି। ମୃତକଙ୍କ ପତ୍ନୀ ଧୋବଣୀ ଥାନାରେ ଏତଲା ଦେବା ପରେ ପୁଲିସ କେସ୍ ନମ୍ବର ୧୯୫/୨୫ରେ ହତ୍ୟା ମାମଲା ରୁଜୁ କରି ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତକାଲି ଅପରାହ୍‌ଣରେ ଗାଁଠୁ ପ୍ରାୟ ଏକ କିଲୋମିଟର ଦୂର ତୋଫାନ ସେନାପତିଙ୍କ ପଦରରେ ଦଣ୍ଡନାଚ ତୋଟାଭୋଜି ଆୟୋଜିତ ହୋଇଥିଲା। ଏଥିରେ ହାଡ଼ିବନ୍ଧୁ ବି ସାମିଲ ହୋଇଥିଲେ। ସନ୍ଧ୍ୟା ବେଳେ ସାଇକେଲ୍‌ରେ କିଛି ଜାଳେଣି କାଠ ଧରି ‌ସେଠାରୁ ଫେରୁଥିବା ବେଳେ କେନାଲ୍ ନିକଟରେ ତାଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିଲା। ହ‌ାଡ଼ିବନ୍ଧୁ ଘରକୁ ‌ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତବିବ୍ରତ ହୋଇ ତାଙ୍କୁ ଖୋଜାଖୋଜି କରିଥିଲେ। ରାତିରେ ତାଙ୍କ ସାଇକେଲ୍ ଓ କେନାଲ୍‌ ଭିତରୁ ଶବକୁ ଠାବ କରାଯାଇଥିଲା। ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ର, ଭଞ୍ଜନଗର ଏସଡିପିଓ ସୁଜିତ ନାୟକ, ଅତିରିକ୍ତ ଏସ୍‌ପି ରଞ୍ଜନ ଦେଓ ଓ ଜଗନ୍ନାଥପ୍ରସାଦ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା ପହଞ୍ଚି ତଦନ୍ତ କରିଥିଲେ। ଫରେନସିକ୍ ଟିମ୍ ଘଟଣାସ୍ଥଳରୁ ରକ୍ତନମୁନା ସଂଗ୍ରହ କରିଥିଲା। ତେବେ ଏହା ‌ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। କାରଣ ହାଡ଼ିବନ୍ଧୁ ଅଧିକାଂଶ ସମୟ ଜ‌ାଳେଣି କାଠ ଧରି ସେହି ବାଟରେ ଫେରନ୍ତି। 

ଏତଲା ଅନୁସାରେ, ମୃତ ହାଡ଼ିବନ୍ଧୁଙ୍କ ସହ ପଡ଼ୋଶୀ ତୋଫାନ ସେନାପତି ଏବଂ ବୁଦ୍ଧିଆ ସେନାପତିଙ୍କ ଘରର କାନ୍ଥକୁ ନେଇ ବିବାଦ ଲାଗି ରହିଥିଲା। ସେହିପରି ଭୁବନେଶ୍ବରରେ ରଙ୍ଗ ଠିକାଦାର ଭାବେ କାମ କରୁଥିବା ଗ୍ରାମର ବାବୁଲା ପ୍ରଧାନଙ୍କ ନାବାଳିକା ଝିଅକୁ ହାଡ଼ିବନ୍ଧୁଙ୍କ ସାନପୁଅ ସାନୁ ୨ ମାସ ତଳେ ଅପହରଣ କରିନେଇଥିବା ଅଭିଯୋଗରେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଫଳରେ ତୋଫାନ ଓ ବାବୁଲାଙ୍କ ପରିବାର ଲୋକେ ମିଶି ସ୍ଥାନୀୟ କେତେକ ଲୋକଙ୍କ ସହଯୋଗରେ ଏହି ହତ୍ୟାକାଣ୍ଡ ଘଟାଇଥିବା ଏତଲାରେ ଦର୍ଶାଯାଇଛି। ସବୁଦିଗରୁ ପୁଲିସ ତଦନ୍ତ କରୁଥିବା ବେଳେ ୪ ଜଣଙ୍କୁ ଅଟକ ରଖିଛି। ଭଞ୍ଜନଗର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।