ଶାଗଚାଷରୁ ପରିବାର ପୋଷା

ବାଲିଆପାଳ: ରାତି ପାହିଲେ ପଖାଳ କିମ୍ବା ମୁଢ଼ି ସାଙ୍ଗରେ ଶାଗ ଟିକିଏ ହେଲେ କାମ ଶେଷ। ଏଥିପାଇଁ ପ୍ରାୟ ଗ୍ରାମାଞ୍ଚଳରେ ସକାଳୁ ସକାଳୁ  ଖୋଜା ପଡ଼େ ଶାଗ। ଗତ କିଛିବର୍ଷ ହେଲା ଘରକୁ ଘର ବୁଲି ସତେଜ ଶାଗ ବିକ୍ରି କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି ଭୋଗରାଇ ଅଞ୍ଚଳର ଶାଗଚାଷୀ ସୁବଳ ଦାସ।

ସକାଳେ ବ୍ୟାଗରେ ଶାଗ ଭର୍ତ୍ତି କରି ସାଇକେଲରେ ଗାଁକୁ ଗାଁ, ଘରକୁ ଘର ବୁଲି ଶାଗ ବିକ୍ରି କରନ୍ତି ସୁବଳ। ଶାଗଚାଷରୁ ଯାହା ଆୟ ହୁଏ ସେଥିରେ ଦୁଇଝିଅ ଓ ପୁଅକୁ ପାଠ ପଢ଼ାଇବା ସହ ହସଖୁସିରେ ପରିବାର ଚଳି ଯାଉଥିବା କହିଛନ୍ତି ସୁବଳ। ଧାନ ଓ ପନିପରିବା ଚାଷରୁ ଲାଭ ନହେବାରୁ ସେ ତାଙ୍କର ୧୦ ଗୁଣ୍ଠ ଜମିରେ ଶାଗଚାଷ ଆରମ୍ଭ କରିଥିଲେ। ଏହି ଚାଷରେ ସେତେଟା ଖର୍ଚ୍ଚ ନଥିବା ବେଳେ ଭଲ ଲାଭ ହେବାରୁ ଏବେ ସବୁ ଛାଡ଼ି ଶାଗଚାଷକୁ ଜୀବିକା କରିଛନ୍ତି। ଏଥିରେ ପତ୍ନୀ ତ୍ରିବେଣୀ ଓ ପିଲାମାନେ ତାଙ୍କୁ ସାହାଯ୍ୟ କରୁଛନ୍ତି। ଶାଗ ବିକ୍ରିରୁ ସେ ମାସକୁ ୧୦ରୁ ୧୫ ହଜାର ପର୍ଯ୍ୟନ୍ତ ଆୟ କରୁଛନ୍ତି। ସୁବଳଙ୍କ ଦେଖାଦେଖି ଗାଁରେ ଆଉ ୪/୫ଟି ପରିବାର ମଧ୍ୟ ଶାଗଚାଷ କଲେଣି। କୃଷି ବିଭାଗରୁ ସହାୟତା ମିଳିଲେ ସୁବଳ ତାଙ୍କ ଚାଷ ପରିମାଣ ବଢ଼ାଇ ପାରନ୍ତେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର