ଭୟରେ ଦରପୋଡ଼ା ଶବ ଛାଡ଼ି ପଳାଇଲେ ପରିବାର

ଖୁଣ୍ଟା/କୁଆମରା : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଅଞ୍ଚଳର ଜଣେ କରୋନା ଆକ୍ରାନ୍ତଙ୍କ ଶବଦାହକୁ ନେଇ ହଟହଟା ହୋଇଛି ପ୍ରଶାସନ। ଖୁଣ୍ଟା ବ୍ଲକ୍‌ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ଜାଗାରେ ଶବ ସତ୍କାର କରାଯାଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଏନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ମୁତାବକ ଖୁଣ୍ଟା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିବିଭି)ରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟରତ ପଡ଼ୋଶୀ ଗୋପବନ୍ଧୁନଗର ବ୍ଲକ୍‌ ଭଣ୍ତଗାଁ ପଞ୍ଚାୟତ ଘଣ୍ଟଶୀଳା ଗ୍ରାମର ଲାଖାୟ ବାସ୍କେ(୩୨) କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିହ୍ନଟ ପରେ ସେ ନିଜ ଘରେ ଗୃହ ସଙ୍ଗରୋଧରେ ରହୁଥିଲେ। ତେବେ ସେ କଚାଘରେ ରହୁଥିବାରୁ ବାତ୍ୟା ଭୟରେ ଗତ ମଙ୍ଗଳବାର ଦିନ ସପରିବାର କେଜିବିଭିକୁ ଆସିଥିଲେ ଓ ସେଠାରେ ଏକ କୋଠରୀରେ ଅଲଗା ରହୁଥିଲେ। ମାତ୍ର ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

ପରେ ଗୋପବନ୍ଧୁନଗର ବ୍ଲକ୍‌ ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ଶବ ସତ୍କାର ନିମନ୍ତେ ଖୁଣ୍ଟା ବ୍ଲକ୍‌ ଅଞ୍ଚଳର ନାଳଖମାଣ ଠାରେ ଚିହ୍ନଟ ହୋଇଥିବା ସ୍ଥାନକୁ ମୃତଦେହ ନିଆଯାଇଥିଲା। ବିଡିଓ, ଅତିରିକ୍ତ ତହସିଲଦାର, ଅନ୍ୟ ବିଭାଗୀୟ କର୍ମଚାରୀ ଓ ମୃତକଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ସତ୍କାର ଆରମ୍ଭ ହୋଇଥିଲା। ଜୁଇରେ ଅଗ୍ନି ସଂଯୋଗ କରାଯିବାର କିଛି କ୍ଷଣ ପରେ ବହୁ ଲୋକ ହାତରେ ଠେଙ୍ଗା ଧରି ଘଟଣାସ୍ଥଳରେ ପହ‌ିଞ୍ଚି ଶବ ସତ୍କାରକୁ ବିରୋଧ କରିଥିଲେ। ସେମାନଙ୍କ ଭୟରେ ଶବ ସତ୍କାର ପାଇଁ ଆସିଥିବା ମୃତକଙ୍କ ପରିବାର ବର୍ଗ ଛତ୍ରଭଙ୍ଗ ଦେଇଥିଲେ। ହେଲେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀ ଘେରି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଖୁଣ୍ଟା ପୁଲିସ ପହଞ୍ଚି ‌ଲୋକଙ୍କ ସହ ଆଲୋଚନା କରିଥିଲା ଓ ଶେଷରେ ଅର୍ଦ୍ଧଦଗ୍ଧ ଶବକୁ ପୋଡି ଦିଆଯାଇଥିଲା। ତେବେ ଗୋବପନ୍ଧୁନଗର ବ୍ଲକ୍‌ ପ୍ରଶାସନ ପକ୍ଷରୁ ଖୁଣ୍ଟା ବ୍ଲକ୍‌ ଶବଦାହକୁ ନାଳଖମାଣ, ନବକିଶୋରପୁର ଓ ଆଖପାଖ ଗାଁର ଲୋକେମାନେ ବିରୋଧ କରିଛନ୍ତି। ଆଗାମୀ ଦିନରେ କୌଣସି ପରିସ୍ଥିତିରେ ଏଠାରେ ଶବଦାହ କରାଇ ଦିଆଯିବନି ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର