ମାଲକାନଗିରି: ଜିଲ୍ଲାରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିସାରିଲାଣି। ବହୁ ଘର ଭାଙ୍ଗିବା ସହ ରାସ୍ତାଗୁଡ଼ିକ କଦର୍ଯ୍ୟ କରିଛି। ଫଳରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଛି। ବର୍ଷାରେ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ କରିବାକୁ ଆରଡିସି ସମୀକ୍ଷା ବୈଠକରେ ପୂର୍ବରୁ ନିର୍ଦେଶ ଦେଇଥିଲେ। ତେବେ ଏହାକୁ ଜିଲ୍ଲାପାଳ ମଧ୍ୟ ନିଜର ସହକର୍ମୀଙ୍କୁ ନେଇ କ୍ଷୟକ୍ଷତିର ଆକଳନ କରୁଥିବା ଦେଖିବାକୁ ମିଳିଛି।
ଏହି ମଧ୍ୟରେ ବଡ଼ପଦର ପଞ୍ଚାୟତର କଦମଝୋଲା ଗ୍ରାମର ଶୁକ୍ରା ମୁଦିଲିଙ୍କ ଘର ବର୍ଷାରେ ସଂପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଛି। କୌଣସି ମୁହୂର୍ତ୍ତରେ ଏହି ଘର ଭୁଷୁଡ଼ି ନଯିବ ତାହା କିଏ କହିପାରିବ। ଭଙ୍ଗା ଘରେ ହିଁ ୫ ପ୍ରାଣୀ କୁଟୁମ୍ବ ଜୀବନକୁ ବାଜି ଲଗାଇ ରହୁଛନ୍ତି। ଘରର ଆଗପଟରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଘରେ କାଦୁଅ ପଚପଚ।ଶୁକ୍ରାଙ୍କର ତିନୋଟି ଛୋଟ ଛୋଟ ପିଲା ରହିଛନ୍ତି।
ତେବେ ଏହି ଭଙ୍ଗା ଓଦା ସରସର ଘରେ କିପରି ପରିବାର ରହୁଛନ୍ତି ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ। ସେହି ଘରେ ହିଁ ରାନ୍ଧିବା, ଶୋଇବା କାମ ହେଉଥିବା ଜଣାପଡ଼ିଛି। ଏନେଇ ଚିତ୍ରକୋଣ୍ଡା ତହସିଲଦାର ତଦନ୍ତ କରୁଥିବା ଜଣାପଡ଼ିଛି। କୌଣସି ମୁହର୍ତ୍ତରେ ଘର ଭାଙ୍ଗି ଅଘଟଣ ଘଟିବା ପୂର୍ବରୁ ଏହି ପରିବାରକୁ ଅନ୍ୟତ୍ର ଥଇଥାନ କରାଯିବାକୁ ଦାବି ଉଠିଛି। ଦୁର୍ଗମ ଅଂଚଳରେ ଏଭଳି ବହୁ ଘର ବର୍ଷାରେ ଭାଙ୍ଗି ପଡ଼ିଛି। ପ୍ରଶାସନ ତରଫରୁ ତଦନ୍ତ କରାଯାଇ କ୍ଷତି ପୂରଣ ପ୍ରଦାନ କରାଯିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।