ଡାକ୍ତରଖାନା ନେବା ବାହାନାରେ ଶବ ପୋଡ଼ିଦେଲେ

ବଳଙ୍ଗା : ପୁରୀ ଜିଲ୍ଲା ବଳଙ୍ଗା ଥାନା ହରିପୁର ଦଳୁଆ ସାହିରେ ଜଣେ ଯୁବକ ତାର ୧୪ ବର୍ଷିଆ ନାବାଳିକା ଭଉଣୀକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ଲୁଚାଇବାକୁ ଯାଇ ନାବାଳିକାର ପରିବାର ଲୋକେ ମୃତ ଦେହକୁ ଚିକିତ୍ସା ଆଳରେ ପିପିଲି ଡାକ୍ତରଖାନାକୁ ନେବା ବାହାନାରେ ଘରୁ ଏକ ବାଇକ୍‌ରେ ଧରି ପିପିଲି ଥାନା ନୂଆଶାସନ ନଦୀ ପଠାରେ ପୋଡି ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ହରିପୁର ଦଳୁଆସାହି ଗ୍ରାମର ନୀଳମାଧବ ବେହେରା (୨୩) ଗତକାଲି ଅପରାହ୍ନରେ ନିଜ ଘରେ ଭଉଣୀ କୁନି (୧୪) ସହ ଖାଇବାକୁ ନେଇ ପାଟିତୁଣ୍ଡ କରିଥିଲା। ବାକ୍‌ବିତଣ୍ଡାରେ ଉତ୍‌କ୍ଷିପ୍ତ ହୋଇ ନୀଳମାଧବ ଭଉଣୀର ତଣ୍ଟି ଚିପି ଦେବାରୁ ଘଟଣାସ୍ଥଳରେ କୁନିର ପ୍ରାଣବାୟୁ ଉଡିଯାଇଥିଲା। ଭଉଣୀ ମରିଯାଇଥିବା ଦେଖି ନୀଳମାଧବ ବାଡିପଟେ କାମ କରୁଥିବା ବିଧବା ମା ରମାମଣିଙ୍କୁ ସବୁ କଥା କହିଥିଲା। ଅନ୍ୟପକ୍ଷ‌େର ଘରେ ଝିଅର ମୃତଦେହ ଦେଖି ରମାମଣି କିଂକର୍ତ୍ତବ୍ୟବିମୂଢ ହୋଇ ପଡିଥିଲେ। କ’ଣ କରିବେ କିଛି ଭାବି ନପାରି ସେ ପିପିଲି ଥାନା ନୂଆଶାସନସ୍ଥିତ ନିଜ ବାପଘରକୁ ଫୋନ୍‌ କରିଥିଲେ। ରମାମଣିଙ୍କ ଭାଇ ଓ ପୁତୁରା ତାଙ୍କ ଘରେ ପହଞ୍ଚିବା ପରେ ସମସ୍ତେ ମିଶି କୁନିକୁ ଚିକିତ୍ସା ନିମନ୍ତେ ପିପିଲି ଡାକ୍ତରଖାନାକୁ ନେଉଛନ୍ତି ବୋଲି ଗାଁ ଲୋକଙ୍କୁ କହିଥିଲେ। ତେବେ ସେମାନେ ପିପିଲି ନଯାଇ ଅଧା ବାଟରୁ ନୂଆଶାସନ ଗାଁକୁ ଫେରି ଆସିଥିଲେ ଓ ଭାର୍ଗବୀ ନଦୀ ପଠାରେ କୁନିର ଶବକୁ ଲୁଚାଇ ପୋଡି ଦେଇଥିଲେ। ଆଜି ସକାଳେ ସାହିପଡିଶା ଲୋକେ ରମାମଣିଙ୍କୁ କୁନିର ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଏହାକୁ ନେଇ ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା। ସେମାନେ ପରିବାର ଲୋକଙ୍କୁ ଅଟକ ରଖିବା ସହ ଖସି ପଳାଉଥିବା ନୀଳମାଧବକୁ ଏକ ଖୁଣ୍ଟରେ ବାନ୍ଧି ବଳଙ୍ଗା ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନୀଳମାଧବକୁ ଉଦ୍ଧାର କରିଥିଲା

ସମ୍ବନ୍ଧିତ ଖବର