ମରିଗଲା ମାନବିକତା ! ଦିବ୍ୟାଙ୍ଗ ପୁଅକୁ ରାସ୍ତାରେ ଛାଡ଼ି ଚାଲିଗଲେ ପରିବାର ଲୋକେ

ଭୁବନେଶ୍ବର: ମଣିଷ ପାଖରେ ମାନବିକତା ମରି ଯାଇଛି। ସ୍ବାର୍ଥପର ମଣିଷମାନେ ସଂପର୍କର ମୂୂଲ୍ୟକୁ ବୁଝିପାରୁ ନାହାନ୍ତି। ରାଜଧାନୀରେ ଏକ ପରିବାରର ଲୋକେ ନିଜର ଦିବ୍ୟାଙ୍ଗ ପୁଅକୁ ରାସ୍ତାରେ ଛାଡ଼ି ଚାଲିଯାଇଛନ୍ତି। ଦିବ୍ୟାଙ୍ଗବାଳକକୁ ଚାଇଲ୍ଡଲାଇନ୍‌ ପକ୍ଷରୁ ଉଦ୍ଧାର କରାଯାଇଛି। ବାଳକଟି ସେରିବ୍ରାଲ୍ ପଲସି ରୋଗରେ ପୀଡ଼ିତ। ସୂଚନା ଅନୁସାରେ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଭିଏସ୍‌ଏସ୍‌ ନଗରସ୍ଥିତ ଇଡକୋ ଟାୱାର ପାଖରେ ଜଣେ ଦିବ୍ୟାଙ୍ଗକୁ ପରିବାର ଲୋକ ଅଧା ରାସ୍ତାରେ ଛାଡିଦେଇଥିଲେ। ସ୍ଥାନୀୟ ଲୋକଙ୍କର ସୂଚନା ଆଧାରରେ ଚାଇଲ୍ଡଲାଇନ୍‌ ବାଳକକୁ ଉଦ୍ଧାର କରିଛି।

ଭୁବନେଶ୍ବର ଚାଇଲ୍ଡଲାଇନ୍‌ର ନିର୍ଦ୍ଦେଶକ ଡ. ବେଣୁଧର ସେନାପତି କହିଛନ୍ତି ଯେ, ଭୁବନେଶ୍ବରରେ ଏକ ଅମାନୁଷିକ ଘଟଣା ଦୃଷ୍ଟି ଗୋଚର ହୋଇଛି। ମଞ୍ଚେଶ୍ବର ଅଞ୍ଚଳରେ ଥିବା ଭିଏସ୍‌ଏସ୍‌ ନଗରସ୍ଥିତ ଇଡ୍‌କୋ ଟାୱାର ନିକଟରୁ ଜଣେ ୧୪ରୁ ୧୫ ବର୍ଷ ବୟସର ଜଣେ ଦିବ୍ୟାଙ୍ଗ ବାଳକକୁ ଉଦ୍ଧାର କରାଯାଇଛି। ଚାଇଲ୍ଡଲାଇନ୍‌କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସ୍ଥାନୀୟ ପୁଲିସ ସହାୟତାରେ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯାଇଥିବା ପିଲାଟିକୁ ରୁଚିକା ସେଲ୍ଟର ହୋମ୍‌ରେ ରଖାଯାଇଛି। ତାର ସ୍ବାସ୍ଥ୍ୟାବସ୍ଥା ଅପାତତଃ ଭଲ ଅଛି। ଉଦ୍ଧାର କରାଯିବା ପରେ ତାକୁ ଖାଇବାକୁ ଦିଆଯାଇଥିଲା। କିନ୍ତୁ ସେ କିଛି ଖାଇ ନଥିଲା। ବଳକର ଡାକ୍ତରୀ ପରାମର୍ଶ ନିଆଯିବ।

ଶ୍ରୀ ସେନାପତି କହିଛନ୍ତି ଯେ, ଏଭଳି ଘଟଣା ବାରମ୍ବାର ଘଟୁଛି। ଚାଇଲ୍ଡଲାଇନ୍‌କୁ ‌ଅନେକ ଫୋନ୍‌ କଲ ମିଳୁଛି। ଅଭିଭାବକମାନେ ନିଜର ଦିବ୍ୟାଙ୍ଗ ପିଲାମାନଙ୍କୁ ଟ୍ରେନ୍‌ରେ ମଧ୍ୟ ଛାଡ଼ି ଦେଉଛନ୍ତି। ଗାଈ-ଗୋରୁ, ବିଲେଇ ଓ କୁକୁର ଯେମିତି ବୟସ ଅଧିକ ହୋଇଗଲେ ରାସ୍ତାକଡ଼ରେ ଛାଡ଼ି ଦିଆଯାଏ, ସେହିଭଳି ଅନେକ ଅଭିଭାବକ ନିଜର ଦିବ୍ୟାଙ୍ଗ ସନ୍ତାନମାନଙ୍କୁ ରାସ୍ତାରେ ଛାଡ଼ିଦେଇ ଚାଲି ଯାଉଛନ୍ତି। ରାସ୍ତାକଡ଼ରୁ ଚାଇଲ୍ଡଲାଇନ୍‌ ଏହି ଭଳି ଦିବ୍ୟାଙ୍ଗ ପିଲାମାନଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ନେଉଛି। ପୁରୀ ଓ ଭୁବନେଶ୍ବରରେ ଏଭଳି ଅପ୍ରୀତିକର ଘଟଣା ଅଧିକ ଦେଖିବାକୁ ମିଳୁଛି। ସବୁଠାରୁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି ବହୁବିଧ ରୋଗର ସାମ୍ନା କରୁଥିବା ଦିବ୍ୟାଙ୍ଗ ପିଲାମାନେ। ‌ତେଣୁ ଅଭିଭାବକଙ୍କୁ ଅନୁରୋଧ କରୁଛୁ ଯେ, ଦିବ୍ୟାଙ୍ଗମାନଙ୍କୁ ଆଦର ସହିତ ଯତ୍ନ ନିଅନ୍ତୁ। ସରକାରଙ୍କୁ ମଧ୍ୟ ଅନୁରୋଧ କରୁଛୁ ଯେ, ଦିବ୍ୟାଙ୍ଗଙ୍କ ପ୍ରତି ସ୍ବତନ୍ତ୍ର ନଜର ରଖନ୍ତୁ।

ସମ୍ବନ୍ଧିତ ଖବର