ବାରିପଦା: ବାରିପଦା ବାଙ୍କୀଶୋଳସ୍ଥିତ କିମ୍ସ କୋଭିଡ ହସ୍ପିଟାଲରେ ଜୀବିତ ମହିଳାଙ୍କୁ ମୃତ ଘୋଷଣା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରୁ। ଚଳିତ ମାସ ୭ତାରିଖରେ ରାଇରଙ୍ଗପୁର ୱାର୍ଡ ନଂ-୧୨ ଈଚିଣ୍ଡା ଅଂଚଳର ଜଣେ ମହିଳା କରୋନା ପଜିଟିଭ ଜଣାପଡିବା ପରେ ତାଙ୍କୁ ସ୍ଥାନୀୟ ବାଙ୍କୀଷୋଳସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରଦିନ ୮ ତାରିଖ ଦିନ ଦେଢ଼ଟା ସମୟରେ କରୋନା କାରଣରୁ ସଂପୃକ୍ତ ମହିଳାଙ୍କ ମୃତ୍ୟ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ପରିବାରକୁ ଜଣାଇଥିଲେ। ମାତ୍ର ମହିଳାଙ୍କ ମୃତ୍ୟୁକୁ ନେଇ ସଠିକ୍ ତଥ୍ୟ କିନ୍ତୁ ପରିବାର ଲୋକ କର୍ତ୍ତୃପକ୍ଷଙ୍କ ନିକଟରୁ ପାଇନଥିଲେ। ସେପଟେ ପରିବାର ଲୋକ ମହିଳାଙ୍କ ମୃତ୍ୟ ଖବର କୁ ବିଶ୍ୱାସ କରି ରୀତି ନୀତି ଅନୁସାରେ ଶୁଦ୍ଧି କ୍ରିୟା କରିବା ନେଇ ପ୍ରସ୍ତୁତ ହୋଇଥିଲେ।
ଗତକାଲି ଶୁଦ୍ଧି କ୍ରିୟା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଥିବା ବେଳେ କୋଭିଡ ହସ୍ପିଟାଲର ଜଣେ କର୍ମଚାରୀଙ୍କଠାରୁ ମହିଳା ଜୀବିତ ଥିବା ଫୋନ ଯୋଗେ ଜାଣିବାକୁ ପାଇଥିଲେ। ପରିବାର ଲୋକ ଶୁଦ୍ଧି କ୍ରିୟା ନକରି କୋଭିଡ ହସ୍ପିଟାଲ ଫାଟକ ନିକଟରେ ଗତକାଲି ରାତିରେ ପହଞ୍ଚିଥିଲେ। ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ଉତ୍ତର ଦେଇ ନଥିଲେ ଫଳରେ ରୋଗୀ ସମ୍ପର୍କୀୟ ଏବଂ ମେଡିକାଲ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା ।
ଏ ନେଇ ଏଡିଏମ ତଥା କୋଭିଡ୍ ହସ୍ପିଟାଲ ଦାୟିତ୍ବରେ ଥିବା ବିବେକାନନ୍ଦ ସାହୁ ଉକ୍ତ ମହିଳା ଜଣଙ୍କ ୮ ତାରିଖରେ କିମ୍ସ ଭୁବନେଶ୍ବରରେ ମୃତ୍ୟୁବରଣ କରିଥିବା ସ୍ପଷ୍ଟ କରିଛନ୍ତି। ଯଦି ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା ତେବେ ସେ ଜୀବିତ ଥିବା ତାଙ୍କ ପରିବାରକୁ କିଏ ସୂଚନା ଦେଇଥିଲେ। ଏ ନେଇ କୌଣସି ସ୍ପଷ୍ଟ ଉତ୍ତର ମିଳିପାରିନାହିଁ। ତେବେ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ଅବହେଳା ନେଇ ହେଉଥିବା ଅଭିଯୋଗ ସମ୍ପର୍କରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ନିକଟରୁ ରିପୋର୍ଟ ତଲବ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ବାଜ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ସଚେତନ ହେବାକୁ କୁହାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି।