ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି : ବଦଳିଲା ପୁନଃଥଇଥାନ ନିୟମ

ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଏଣିକି ‘ଗ୍ରୁପ୍‌-ଡି’ ପଦବି
ପଞ୍ଚମ ରାଜ୍ୟ ଅର୍ଥ କମିସନଙ୍କ ରିପୋର୍ଟରେ ଲାଗିଲା ମୋହର
ସୁନ୍ଦରଗଡ଼କୁ ପିଇବା ପାଣି ପାଇଁ ୬୦୦ କୋଟି ଟଙ୍କା ପ୍ରଦାନ
ଓଏମ୍‌ସି ଖଣି ଲିଙ୍କ୍ ନେଇ ସରକାର ନୂଆ ନୀତି ଆପଣାଇଲେ
ଅନୁମୋଦନ ପାଇଁ ଆସିଥିଲା ୯ ପ୍ରସ୍ତାବ, ଗୋଟିଏ ଅଟକିଲା

ଭୁବନେଶ୍ବର : ସରକାରୀ ଚାକିରିରେ ଥାଇ ପ୍ରାଣ ହରାଇଲେ, ପରିବାରର ଯେ କୌଣସି ଜଣେ ସଦସ୍ୟଙ୍କୁ ପୁନଃ ଥଇଥାନ ପାଇଁ ଯେଉଁ ନିୟମ ରହିଛି, ଆଜି ରାଜ୍ୟ ସରକାର ତାହାକୁ ପରିବର୍ତନ କରିଦେଇଛନ୍ତି। ପୂର୍ବରୁ ଏ ସଂକ୍ରାନ୍ତରେ ଥିବା ନିୟମକୁ ରଦ୍ଦ କରାଯିବା ସହିତ ଓଡ଼ିଶା ବେସାମରିକ ସେବା ପୁନଃ ଥଇଥାନ ସହାୟତା ନିୟମାବଳୀ, ୨୦୨୦ ପ୍ରଣୟନ କରାଯାଇଛି।

ଆଜି ଲୋକସେବା ଭବନରେ ଅପରାହ୍ନ ୧୨ଟା ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିଛି। ଆଜି ପଦୋନ୍ନତି ନିୟମାବଳୀ ପରିବର୍ତନ, ସୁନ୍ଦରଗଡ଼ ଜିଲ୍ଲାକୁ ପିଇବା ପାଣି ପାଇଁ ୬୬୦ କୋଟି ଟଙ୍କା ପ୍ରଦାନ, ଏଭଳି ମୋଟ ୯ଟି ପ୍ରସ୍ତାବ କ୍ୟାବିନେଟ୍ ବିଚାର ପାଇଁ ଆଗତ କରାଯାଇଥିଲା। ସେଥିରୁ ଉଚ୍ଚଶିକ୍ଷା ବିଭାଗ ସଂପର୍କିତ ଏକ ପ୍ରସ୍ତାବ ପରବର୍ତୀ କ୍ୟାବିନେଟ ଅନୁମୋଦନ ଅପେକ୍ଷାରେ ରଖାଯାଇଛି।

ରାଜ୍ୟ ସରକାର ଆଜି ପଞ୍ଚମ ରାଜ୍ୟ ଅର୍ଥ କମିସନଙ୍କ ସୁପାରିସକୁ ଅନୁମୋଦନ ଦେଇଛନ୍ତି। କମିସନଙ୍କ ସୁପାରିସ ଆଧାରରେ ଅର୍ଥ ବିଭାଗ ପ୍ରସ୍ତୁତ କରିଥିବା କାର୍ଯ୍ୟାନ୍ବୟନ ଖସଡ଼ାକୁ କ୍ୟାବିନେଟ ସାମ୍ନାରେ ରଖାଯାଇଥିଲା। ଏହାକୁ ମଞ୍ଜୁରୀ ମିଳିଛି। ଆଜି ଏ ସଂକ୍ରାନ୍ତ ଫାଇଲ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯାଇଛି। ଆସନ୍ତା ବଜେଟ୍ ଅଧିବେଶନରେ ପଞ୍ଚମ ରାଜ୍ୟ ଅର୍ଥ କମିସନଙ୍କ ଏହି ରିେପାର୍ଟ ବିଧାନସଭାରେ ଉପସ୍ଥାପନ ହେବ।ଏହି କାରଣରୁ ଏଥିରେ କି କି ସୁପାରିସ କରାଯାଇଛି, େସ େନଇ ମୁଖ୍ୟସଚିବ କୌଣସି ସୂଚନା ଦେଇନଥିଲେ।

ଅବସରପ୍ରାପ୍ତ ପ୍ରଶାସକ ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ଗଠିତ ପଞ୍ଚମ ରାଜ୍ୟ ଅର୍ଥ କମିସନ ଦୀର୍ଘ ୧୫ମାସ ଧରି କସରତ କରିବା ପରେ ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ୨୦୦ ପୃଷ୍ଠାର ତାଙ୍କ ସୁପାରିସ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ।

କ୍ୟାବିନେଟ୍ ବୈଠକରେ ହୋଇଥିବା ଅନ୍ୟ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ, ରାଜ୍ୟ ସରକାର ଓଡ଼ିଶା ବେସାମରିକ ସେବା ପୁନଃଥଇଥାନ ସହାୟତା ନିୟମାବଳୀକୁ ସଂଶୋଧନ କରିଛନ୍ତି। ନୂଆ ବ୍ୟବସ୍ଥାରେ ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରର ଦୁରବସ୍ଥାକୁ ଦୃଷ୍ଟିରେ ରଖି ମୃତ ବ୍ୟକ୍ତିର ପରିବାର ପୋଷଣ ନିମନ୍ତେ ସେହି ପରିବାରର ଜଣକୁ ପୂର୍ବ ଭଳି ଚାକିରି ମିଳିବ। କିନ୍ତୁ ପ୍ରଶାସନରେ ଦକ୍ଷତା ବୃଦ୍ଧି ତଥା ସହୟୋପଯୋଗୀ ସେବା ପ୍ରଦାନ ନିମନ୍ତେ ତଥା ଉଚ୍ଚଶିକ୍ଷିତ ଯୁବ ବର୍ଗଙ୍କୁ ନିଯୁକ୍ତିରେ ସୁଯୋଗ ଦେବା ଲାଗି ଏଥିରେ ପରିବର୍ତନ ଅଣାଯାଇଛି। ନୂଆ ନିୟମ ଅନୁସାରେ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବି ବଦଳରେ ଏଣିକି ପୁନଃ ଥଇଥାନ ବା ଅନୁକମ୍ପାମୂଳକ ନିଯୁକ୍ତି କେବଳ ଚତୁର୍ଥ ଶ୍ରେଣୀ ପଦବିରେ ଦିଆଯିବ। ପୂର୍ବରୁ ତୃତୀୟ ଓ ଚତୁର୍ଥ ଶ୍ରେଣୀ ବର୍ଗରେ ନିଯୁକ୍ତି ମିଳୁଥିଲା। ସେହିଭଳି ୧୯୯୦ ମସିହାର ପୂର୍ବ ନିୟମରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ମୂଳ ପଦବିରେ ଖାଲିଥିବା ୧୦ ପ୍ରତିଶତ ପଦବିରେ ଅନୁକମ୍ପାମୂଳକ ନିଯୁକ୍ତି ବ୍ୟବସ୍ଥା ରହିଥିଲା। ଏହି କାରଣରୁ ବହୁ ବ୍ୟକ୍ତିଙ୍କୁ ଥଇଥାନ କରାଯାଇ ପାରୁନଥିଲା। ନୂଆ ନିୟମରେ ଏହାକୁ ୧୦ରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ଓଡ଼ିଶା ବେସାମରିକ ସେବା ନିଯୁକ୍ତି ଓ ପଦୋନ୍ନତି ଚୟନର ମାନଦଣ୍ଡ ନିୟମାବଳୀ ୨୦୦୩ରେ ବି ସରକାର ସଂଶୋଧନ ଆଣିଛନ୍ତି। କ୍ୟାବିନେଟର ଏ ସଂକ୍ରାନ୍ତ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ, ପୂର୍ବରୁ ଯେତିକି ପଦବି ଖାଲି ପଡୁଥିଲା ଓ ପ୍ରତ୍ୟାଶାମୂଳକ ଖାଲିପଡିଥିବା ପଦୋନ୍ନତି ପଦବି ସଂଖ୍ୟାର ୧.୨୫ଗୁଣା ବ୍ୟକ୍ତିଙ୍କୁ ନିଯୁକ୍ତି ଓ ପଦୋନ୍ନତି ତାଲିକାରେ ରଖାଯାଉଥିଲା। ପୁଣି ସେହିବର୍ଷ ବିଭାଗୀୟ ପଦୋନ୍ନତି ଚୟନ ସମିତି ନକରି ଅଧିକ ଖାଲିପଡିଥିବା ପଦୋନ୍ନତି ପୂରଣ ପାଇଁ ପଦବି ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଲାଗୁ ପାଇଁ ବ୍ୟବସ୍ଥା ଥିଲା। ଇତିମଧ୍ୟରେ ଖାଲି ପଦବି ଆଧାରରେ ସଂରକ୍ଷଣ ବ୍ୟବସ୍ଥାର ଉଚ୍ଛେଦ କରାଯାଇଛି। ଯେହେତୁ ପ୍ରତ୍ୟାଶାମୂଳକ ଖାଲି ପଡ଼ିଥିବା ପଦବି ପାଇଁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ଚୟନ କରାଯିବା ଦ୍ବାରା ସେମାନେ ପରବର୍ତୀ ବର୍ଷ ପଦୋନ୍ନତି ଦାବି କରୁଛନ୍ତି ଓ ମାଲିମକଦ୍ଦମା ହେଉଛି, ଏଣୁ କ୍ୟାବିନେଟ୍ ଏହି ନିୟମରେ ପରିବର୍ତନ ଆଣିଛନ୍ତି। ଏଣିକି ୧.୨୫ ପ୍ରତିଶତ ବଦଳରେ ଯେତିକି ପଦବି ଖାଲିଥିବ, ସେତିକିରେ ହିଁ ନିଯୁକ୍ତି ବା ପଦୋନ୍ନତି ଦିଆଯିବ।

ସୁନ୍ଦରଗଡ଼ ଜିଲ୍ଲାର ୩ଟି ବ୍ଲକ ଅନ୍ତର୍ଗତ ୨୫ଟି ପଞ୍ଚାୟତ ଅଧୀନସ୍ଥ ୨୬୨ଟି ଗ୍ରାମରେ ଭୂତଳ ଜଳ ଖଣି ଦ୍ବାରା ପ୍ରଭାବିତ ଲୋକଙ୍କୁ ସରକାର ବିଶୁଦ୍ଧ ପିଇବା ପାଣି ଯୋଗାଇଦେବେ। କ୍ୟାବିନେଟ୍‌ର ଏ ସଂକ୍ରାନ୍ତ ନିଷ୍ପତ୍ତି ଉପରେ ପଞ୍ଚାୟତିରାଜ ସଚିବ ଦେଓରଂଜନ ସିଂହ ସୂଚନା ଦେଇଥିଲେ। ସେ କହିଥିଲେ, ଗୁରୁଣ୍ଡିଆ ବ୍ଲକ୍‌ ଅନ୍ତର୍ଗତ ୧୧ଟି ପଞ୍ଚାୟତ ଅଧୀନରେ ଥିବା ୧୨୩ଟି ଗ୍ରାମର ୫୭ ହଜାର ୬୨୨ ଲୋକଙ୍କ ପାଇଁ ଗୋଟିଏ ପ୍ରକଳ୍ପ ହେବ। ସେହିଭଳି କୋଇରା ବ୍ଲକ ଅନ୍ତର୍ଗତ ୭ଟି ପଞ୍ଚାୟତ ଅଧୀନରେ ଥିବା ୩୮ଟି ଗ୍ରାମର ୨୭ ହଜାର ୯୨୮ ଜଣଙ୍କ ପାଇଁ ଦ୍ବିତୀୟ ଓ ଲହୁଣିପଡା ବ୍ଲକର ୭ଟି ପଞ୍ଚାୟତ ଅଧୀନସ୍ଥ ୧୦୧ଟି ଗାଁର ୪୦ ହଜାର ୩୭୮ ଲୋକଙ୍କ ପାଇଁ ତୃତୀୟ ପ୍ରକଳ୍ପ ନିର୍ମାଣ େହବ। ଏହି ପ୍ରକଳ୍ପ କାର୍ଯ୍ୟ ମେସର୍ସ ଭୋଲଟାଜ୍ ଲିମିଟେଡ୍ କରିବ। ୩୨୦ କୋଟି ୧୧ଲକ୍ଷ ୨୦ ହଜାର ଟଙ୍କାରେ ନିର୍ମାଣ େହବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ୨୪ ମାସ ମଧ୍ୟରେ ସାରିବାକୁ ସମୟ ଧାର୍ଯ୍ୟ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟ ଦୁଇଟି ପ୍ରକଳ୍ପ ପାଇଁ ମଧ୍ୟ ୩୪୦େକାଟି ୩୯ଲକ୍ଷ ଟଙ୍କା ବିନିଯୋଗ ହେବ। କୁଆଁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ୧୮ଟି ପଞ୍ଚାୟତ ଅଧୀନରେ ଥିବା ୧୦୦ଟି ଗ୍ରାମର ୯୭ ହଜାର ୮୭୨ ଲୋକଙ୍କ ପାଇଁ ଗୋଟିଏ ପ୍ରକଳ୍ପ ହାତକୁ ନିଆଯାଇଛି। ଅନ୍ୟପ୍ରକଳ୍ପଟି ନୂଆଗାଁ ବ୍ଲକ୍‌ରେ ହେବ। ଯେଉଁଥିରେ ୨୦ଟି ଗ୍ରାମ ପଞ୍ଚାୟତର ୧୧୯ଟି ଗାଁ ଅନ୍ତର୍ଗତ ୧ଲକ୍ଷ ୬ ହଜାର ୧୫୬ େଲାକ ଉପକୃତ ହେବେ। ଉଭୟ ପ୍ରକଳ୍ପ ଓମ୍‌ବାଡ୍‌ସି ପାଣ୍ଠିରେ କରାଯିବ।

କ୍ୟାବିନେଟ୍‌ର ଅନ୍ୟ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ, ରାଜ୍ୟର ଯେ କୌଣସି ସ୍ଥାନରେ ସଫ୍ଟଓୟାର୍ ଟେକ୍ନୋଲୋଜି ପାର୍କସ ଅଫ୍ ଇଣ୍ଡିଆର କେନ୍ଦ୍ର ପ୍ରତିଷ୍ଠା ହେବ, ସେଥିପାଇଁ ୩ ଏକର ପର୍ଯ୍ୟନ୍ତ ଜମି ବିନା ପ୍ରିମିୟମରେ ରାଜସ୍ବ ବିଭାଗ ପ୍ରଦାନ କରିବ। ଲିଜରେ ପ୍ରଦାନ କରାଯିବାକୁ ଥିବା ଏହି ସରକାରୀ ଜମି ନିମନ୍ତେ ଏସ୍‌ଟିପିଆଇ କର୍ତୃପକ୍ଷଙ୍କୁ ବଜାର ଦରର ୧% ହିସାବରେ ବାର୍ଷିକ ଖଜଣା ଓ ବାର୍ଷିକ ଖଜଣାର ୭୫ ପ୍ରତିଶତ ହିସାବରେ ସେସ୍ ଦେବାକୁ ହେବ।

ଓଏମ୍‌ସି ସଂପର୍କରେ ନିଆଯାଇଥିବା ଏକ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ କହିଥିଲେ, ଏହି ସଂସ୍ଥା ଦୀର୍ଘମିଆଦି ଖଣିଜ ଯୋଗାଣ ନୀତି ଜରିଆରେ ରାଜ୍ୟରେ ଥିବା କଞ୍ଚାମାଲ ଯୋଗାଣ କରିଥାଏ। ଏବେ କିନ୍ତୁ ଯେଉଁମାନେ ଯାନ୍ତ୍ରିକ ଖଣିଜ ଉତ୍ତୋଳନ ବ୍ୟବସ୍ଥାରେ ପୁଞ୍ଜି ବିନିଯୋଗ କରିବାକୁ ଇଚ୍ଛୁକ ସେମାନେ ଓଏମ୍‌ସିର୫ବର୍ଷରୁ ଅଧିକ ଦୀର୍ଘମିଆଦି ଖଣିଜ ଯୋଗାଣ ଚୁକ୍ତି ପାଇଁ ଉପଯୁକ୍ତ ବିବେଚିତ ହେବେ।

ସେହିଭଳି ଯେଉଁମାନଙ୍କର କ୍ରୋମ ଖଣିପଟ୍ଟା ଅଛି, ସେମାନଙ୍କୁ ଜାତୀୟ ଇ-ଖଣି ନିଲାମରେ ଭାଗ ନେବାକୁ ଅନୁମତି ଦିଆଯିବ ନାହିଁ। ଏହାଦ୍ବାରା କ୍ରୋମ୍‌ ଭଳି ଦୁଷ୍ପ୍ରାପ୍ୟ କଞ୍ଚାମାଲର ଉପଯୁକ୍ତ ବଜାର ଦର ନିର୍ଧାରଣ କରିହେବ।

ସମ୍ବନ୍ଧିତ ଖବର