ଦୁର୍ଗମ ଅଞ୍ଚଳରେ ବାଧକ ସାଜିଛି ଯୋଗାଯୋଗ : ପାଞ୍ଚ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ସ୍ୱାଧିନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ଯୋଗାଯୋଗ ଅପହଞ୍ଚ ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ସରକାରଙ୍କ ବିଭିନ୍ନ ସୁବିଧା ଲୋକଙ୍କ ପାଇଁ ଥିବାବେଳେ ଯୋଗାଯୋଗ ଅଭାବ ଯୋଗୁଁ ପ୍ରତିବନ୍ଧକ ସାଜିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରୋଗୀଙ୍କୁ ନେବା ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ ସୁବିଧା ଥିବା ବେଳେ ବହୁ ଦୁର୍ଗମ ଅଞ୍ଚଳରେ ଏହି ସେବା ଧର୍ମକୁ ଆଖିଠାର ସାଜିଛି । ବିଭିନ୍ନ ସମୟରେ ଗର୍ଭବତୀ ମହିଳା ଓ ଜରୁରୀ ରୋଗୀଙ୍କୁ ଲୋକେ ଖଟିଆରେ ବୋହି ଆଣୁଥିବାର ନଜିର ରହିଛି। ଆଜି ଏଭଳି ଏକ ଘଟଣାର ପୁନରାବୃତ୍ତି ଘଟିବା ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ପ୍ରାପ୍ତସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ମାଣିକେରା ପଞ୍ଚାୟତର ବଡ଼ପଦର ଗ୍ରାମର ନହା ବେନୁଆ(୩୦) କିଡନି ରୋଗରେ ଦୀର୍ଘ ଦିନ ଧରି ଆକ୍ରାନ୍ତ ହୋଇଛନ୍ତି । ଆଜି ତାଙ୍କ ଅବସ୍ଥା ଗୁରୁତର ହେବାଯୋଗୁଁ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ମୋହନଗିରି ସ୍ୱାସ୍ଥ୍ୟକେନ୍ଦ୍ର ଆମ୍ବୁଲାନ୍ସ କର୍ମଚାରୀ ତନୁଜ ସାହୁ,ପୁରୁଷୋତ୍ତମ ସାହୁ ଓ ରଶ୍ମିରଞ୍ଜନ ପୃଷ୍ଟି ଗାଡି ନେଇ ମାର୍ଧାଜୋର ଠାରେ ପହଞ୍ଚଥିଲେ । ସେଠାରୁ ରାସ୍ତା ନଥିବା ଯୋଗୁଁ ପାଞ୍ଚ କିଲୋମିଟର ଚାଲି ଚାଲି ବଡ଼ପଦର ଗାଁରେ ପହଞ୍ଚିଥିଲେ । ପରିବାର ଲୋକଙ୍କ ସହାୟତାରେ ଖଟିଆରେ ରୋଗୀଙ୍କୁ ପାଞ୍ଚ କିଲୋମିଟର ଖଟିଆରେ ବୋହି ମାର୍ଧାଜୋର ନିକଟରେ ଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ମୋହନଗିରି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚେଇ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ । ଏଭଳି ଘଟଣା ଏହି ଅଞ୍ଚଳ ପାଇଁ ଦେହସୁଆ ପଲଟିଯାଇଛି । ବର୍ଷାଦିନେ ଏ ଅଞ୍ଚଳ ଜଳବନ୍ଦୀ ପାଳଟିଥିବା ଯୋଗୁଁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥାନ୍ତି । ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳକୁ ରାସ୍ତା ନିର୍ମାଣ ହେଉଥିଲେ ମଧ୍ୟ ବହୁ ଦୁର୍ଗମ ଅଞ୍ଚଳ ପାଇଁ ରାସ୍ତା ଏବେ ମଧ୍ୟ ମରିଚିକା ପାଲଟିଛି ଫଳରେ ସରକାରଙ୍କ ବିଭିନ୍ନ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇ ପଡିଛି । ରାଜନେତା ଆଉ ଜିଲ୍ଲା ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ଲୋକଙ୍କୁ ଯୋଗାଯୋଗ ସଂଯୋଗରୁ ବର୍ଷ ବର୍ଷ ଧରି ଦୂରେଇ ରଖିଛି।

ତୁରନ୍ତ ରାଜ୍ୟସରକାର ଏଥିରେ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର