ରାସ୍ତା ପାଇଁ ପ୍ରସୂତି ହୀନସ୍ତା : ଖଟିଆରେ ବୁହାହେଲେ, ବାଟରେ ପ୍ରସବ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ବାରମ୍ବାର ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି ଗର୍ଭବତୀ ଓ ପ୍ରସୂତି। ଥମିବାର ନାଁ ନେଉନି। ଗାଁକୁ ପକ୍କା ରାସ୍ତା ନଥିବାରୁ ଗତ ୨ସପ୍ତାହ ମଧ୍ୟରେ ୫ଜଣ ଗର୍ଭବତୀ ଓ ପ୍ରସୂତିଙ୍କୁ ଖଟିଆ, ବାଇକ୍‌ କିମ୍ବା ସାଇକଲରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ଏହିକ୍ରମରେ ଗତକାଲି ରାତିରେ ପୁଣି ତାରାଯୋଡି ଗ୍ରାମର ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଝିପିଝିପି ବର୍ଷା ଓ ଅନ୍ଧାରରେ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଉଥିଲା। ତେବେ ରାସ୍ତାରେ ହିଁ ମହିଳା ଜଣକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ତାରାଯୋଡି ଗ୍ରାମର କୌଶଲ୍ୟା ସାନ୍ତା ପ୍ରସବ ବେଦନା ଅନୁଭବ କରିଥିଲେ। ତେବେ ଗାଁ ରାସ୍ତା କାଦୁଅରେ ଭର୍ତି ହୋଇଯାଇଥିବା ବେଳେ ପ୍ରବଳ ବର୍ଷା ହେଉଥିବାରୁ ପରିବାର ଲୋକ ସ୍ୱାସ୍ଥ୍ୟକେନ୍ଦ୍ର ନେବାକୁ ସାହସ ଜୁଟାଇ ପାରିନଥିଲେ। ତେବେ ରାତି ପ୍ରାୟ ୧୦ଟାରେ ପ୍ରସବ ବେଦନା ଅସହ୍ୟ ହେବାରୁ ପରିବାର ଲୋକ ଆଶାକର୍ମୀ ନୟନା ସାନ୍ତାଙ୍କୁ ଜଣାଇଥିଲେ। ଏନେଇ ନୟନା ଆମ୍ବୁଲାନ୍‌ସକୁ ଫୋନ କରିଥିଲେ। ଖବର ପାଇ ଆମ୍ବୁଲାନ୍‌ସ ତାରାଯୋଡି ଅଭିମୁଖେ ବାହାରିଥିଲା। କିନ୍ତୁ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍‌ସ ଗାଁ ଠାରୁ ୨କିଲୋମିଟର ଦୂର ଶିରିଶିରିଆଗୁଡା ଗାଁ ଛକରେ ଅଟକି ଯାଇଥିଲା। ତେଣୁ ପରିବାର ଲୋକ କୌଶଲ୍ୟାଙ୍କୁ ଏକ ଖଟିଆରେ ଝିିପିଝିପି ବର୍ଷା ଓ ଅନ୍ଧାରରେ ବୋହି ଆଣୁଥିଲେ। କିନ୍ତୁ ରାସ୍ତାରେ ହିଁ କୌଶଲ୍ୟା ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ପରେ କୌଶଲ୍ୟା ଓ ନବଜାତ ଶିଶୁପୁତ୍ରକୁ ଆମ୍ବୁଲାନ୍‌ସ ଯୋଗେ ଇଚ୍ଛାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। କୌଶଲ୍ୟାଙ୍କ ଶରୀରରେ ହିମୋଗ୍ଲୋବିନ୍‌ ପଣିମାଣ କମ୍‌ ଥିବାରୁ ଆଜି ସକାଳେ ଉଭୟ ମା’ ଓ ନବଜାତ ଶିଶୁକୁ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।

ପ୍ରକାଶ ଥାଉକି, ତାରାଯୋଡି ଗାଁକୁ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ଗ୍ରାମବାସୀ ବହୁବାର ଦାବି କରିବା ପରେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନି। ଗତ ୧୭ତାରିଖରେ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ସାଇକଲ ଯୋଗେ କାଦୁଅମୟ ରାସ୍ତାରେ ନେବା ପରେ ଆମ୍ବୁଲାନ୍‌ସ ଯୋଗେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଏହି ଘଟଣା ପରେ ଗ୍ରାମବାସୀ କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଥିଲେ।

ସମ୍ବନ୍ଧିତ ଖବର