ପରିବାରର ସମୂହ ଆତ୍ମହତ୍ୟା ଘଟଣା : ଗାଁକୁ ଫେରିଲେ ବଡ଼ଝିଅ ଲିଲି

ଝାରସୁଗୁଡ଼ା : ଗତ ଜୁନ ମାସ ୧ ତାରିଖ ରାତିରେ ଝାରସୁଗୁଡ଼ା ବିଟିଏମ୍‌ ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ ଗ୍ରାମରେ ଘଟିଥିଲା ଏକ ହୃଦୟ ବିଦାରକ ଘଟଣା। ପରିବାରର ସାନ ପୁଅର ଆକାଳ ମୃତ୍ୟୁ ପରେ ସାରା ପରିବାର ଦୁଃଖରେ ମ୍ରିୟମାଣ ହୋଇ ସାମୂହିକ ବିଷପାନ କରିଥିଲେ। ଫଳରେ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ‌କେବଳ ବଡ଼ ଝିଅ ଲିଲି (୩୮) ମୃତ୍ୟୁମୁହଁରୁ ବଞ୍ଚି ଯାଇଥିଲେ। ସାଢ଼େ ୩ ମାସର ଚିକତ୍ସା ପରେ ଲିଲି ‌ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ପରିବାରର ଅନ୍ୟ ୪ ସଦସ୍ୟଙ୍କ ମୃତ୍ୟୁ ହୋଇ ଯାଇଥିବା ଜାଣିବା ପରେ ଲିଲି ତାଙ୍କ ପୈତୃକ ଗାଁ ଗଞ୍ଜାମ ଜିଲ୍ଲା ଆସିକା ନିକଟରେ ଥିବା ଲକ୍ଷ୍ମୀପୁରକୁ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେଠାରେ ତାଙ୍କର ଏକ ଘର ରହିଛି। ସେ ସେଠାରେ ରହିବାକୁ ‌ମନସ୍ଥ କରିଥିବାରୁ ପ୍ରଶାସନ ଲିଲିକୁ ତାଙ୍କ ଗ୍ରାମକୁ ଯିବାର ବ୍ୟବସ୍ଥା କରିଛି। ଅଘଟଣ ପରଠାରୁ  ଲହଣ୍ଡାବୁଡ଼ଠାରେ ଥିବ‌ା ଲିଲିର ଘର ବନ୍ଦ ଥିଲା। ଆଜି ମାଜି‌ଷ୍ଟ୍ରେଟ୍‌ ଓ ପୁଲିସ ଉପସ୍ଥିତିରେ ଘର ଖୋଲାଯାଇ ସମସ୍ତ ସାମଗ୍ରୀ ଲିଲିଙ୍କୁ ହସ୍ତାନ୍ତର କରାଯାଇଛି। ସେ ଗାଁକୁ ନେବାକୁ ଚାହିଁବାରୁ ଏକ ମିନି ଟ୍ରକ୍‌ରେ ବୋଝେଇ ମଧ୍ୟ କରାଯାଇଛି। ସୋମବାର ସକାଳେ ଲିଲିକୁ ଏକ ସ୍ବତନ୍ତ୍ର ଗାଡ଼ିରେ ତାଙ୍କ ଗାଁକୁ ପଠାଯିବ ବୋଲି ଜଣାଯାଇଛି।  

ସୂଚନାଯୋଗ୍ୟ ଲିଲିଙ୍କ ବାପା ସ୍ବର୍ଗତ ଗୋଲକ ବିହାରୀ ବିଶ୍ବାଳ ଏମ୍‌ସିଏଲ୍‌ରେ ଚ‌ାକିରି କରି ଗତ ୨୦୧୬ରେ ଅବସର ନେବା ପରେ ପରିବାର ସହିତ ବନ୍ଧବାହାଲରୁ ଆସି ଝାରସୁଗୁଡ଼ା ଲହଣ୍ଡାବୁଡ଼ଠାରେ ଏକ ଭଡ଼ା ଘରେ ରହୁଥିଲେ।  ୨୦୧୮ରେ ଲିଲିଙ୍କ ସାନ ଭାଇ ଦୀପକ ବିଶ୍ବାଳ(୨୧) ବେହରାମାଲଠାରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ତାଙ୍କର ଚିକତ୍ସା କରାଯାଇଥିଲେ ମଧ୍ୟ ସେ ଏକ ପ୍ରକାର କୋମାରେ ଥିଲେ। ଘଟଣା ଦିନ ଅର୍ଥାତ ଜୁନ୍‌ ୧ ତାରିଖ ଦିନ ଦୀପକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ପରିବାର ‌ଲୋକ ଆଦୌ ଗ୍ରହଣ କରିପାରି ନଥିଲେ। ସାନ ଭାଇଙ୍କୁ ସମସ୍ତେ ଜୀବନଠାରୁ ଅଧିକ ଭଲ ପାଉଥିଲେ। ତେଣୁ ଦୁଃଖରେ ମ୍ରିୟମାଣ ପରିବାର ସମସ୍ତେ ଦୀପକ ସହିତ ମରିଯିବାକୁ ନିଷ୍ପତ୍ତି ନେଇଥିଲେ। ଘରେ ଥିବା ଫିନାଇଲ ଓ ପାରାକ୍ବେଟ ପିଇ ଦେଇଥିଲେ। ଲିଲି ପ୍ରଥମେ ବେକରେ ଦଉଡ଼ି ଦେଇ ଝୁଲି ଯାଇଥିବା ବେଳେ ପରିବାର ଅନ୍ୟ ସଦସ୍ୟମାନେ ତାକୁ  ଉଦ୍ଧାର କରିଥିଲେ। ପରେ ସାମୂହିକ ବିଷପାନ କରିଥିଲେ। ଏଥିରେ ଲିଲିଙ୍କ ମା’ ପୁଷ୍ପାବତୀ( ୬୦), ମଝିଆ ଭଉଣୀ ବନ୍ଦିତା(୩୫), ସାନ ଭଉଣୀ ପିଙ୍କି (୩୦) ଓ ବଡ଼ଭାଇ ଶ୍ରୀକାନ୍ତ(୩୧)ଙ୍କ ମୃତ୍ୟୁ ଘଟିଥିଲା। ଏତେବଡ଼ ଘଟଣା ଘଟିଥିବା ସତ୍ତ୍ବେ ଗାଁରେ ଥିବା ତାଙ୍କ ପରିବାର ତଥା ସଂପର୍କୀୟ କେହି ଆସି ନଥିଲେ। ଫଳରେ ଲହଣ୍ଡାବୁଡ଼ ଗ୍ରାମର ଲୋକ‌େ ଓ କିଛି ସାମାଜିକ ସଂଗଠନ ସମସ୍ତଙ୍କ ଅନ୍ତିମ ସଂସ୍କାର କରିଥିଲେ।

ସେପଟେ ଜିଲ୍ଲା ପ୍ରଶାସନ ଲିଲିଙ୍କ ଚିକିତ୍ସାଠାରୁ ଆରମ୍ଭ କରି ସମସ୍ତ ସୁବିଧା କରିଥିଲା। ପ୍ରଶାସନର ସହଯୋଗରେ ସେ ୱାନ୍‌ ଷ୍ଟପ୍‌ ସେଣ୍ଟର ‘ସଖୀ’ର ତତ୍ତ୍ବାବଧାନରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ଏକ କ୍ୟାବିନ୍‌ରେ ରହୁଥିଲେ। ପ୍ରଥମେ ଝାରସୁଗୁଡ଼ା, ବୁର୍ଲା ଓ ପରେ ପୁଣି ଝାରସୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କ ମାନସିକ ସ୍ଥିତି ଭଲ ନଥିଲା। ସେ ମାନସିକ ସନ୍ତୁଳନ ହରାଇଥିଲେ। ତାଙ୍କ ପରିବାର ଅନ୍ୟ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବାବଦରେ ସେ ଅଜ୍ଞ ଥିଲେ। ତେବେ ମାନସିକ ସ୍ଥିତିରେ ସୁଧାର ଆସିବା ପରେ ଗତ ମାସରେ ମାନସିକ ରୋଗ ବିଶେଷଜ୍ଞ, ପୁଲିସ, ସ୍ବେଚ୍ଛାସେବୀ ସଂଗଠନ ସେହେଡ଼ାର  ମୁଖ୍ୟ ଆନନ୍ଦିନୀ ପାଢ଼ୀଙ୍କ ଉପସ୍ଥିତିରେ ତାଙ୍କୁ ସବୁ କଥା କୁହାଯାଇଥିଲା।

ସମ୍ବନ୍ଧିତ ଖବର