ବିନା ଶବରେ ହେଲା ଶବ ସତ୍କାର ! ‌ଭୁବନେଶ୍ବର ପେଟ୍ରୋଲ ପମ୍ପ ବିସ୍ପୋରଣସ୍ଥଳରୁ ନିଖୋଜ ହୋଇଯାଇଥିବା ସୀମାଞ୍ଚଳ ଏବେ ପରିବାର ପାଇଁ ମୃତ

ଭୁବନେଶ୍ବର:  ବିନା ଶବରେ ଶବ ସତ୍କାର । କଥାଟି ଶୁଣିବାକୁ ଯେତେ ଅସ୍ୱାଭାବିକ ଲାଗୁଛି, ଘଟଣାଟି ସେତେ ସମ୍ବେଦନଶୀଳ । ମରି ଯାଇଥିବା ମଣିଷର ମୃତଦେହ ମିଳିବ ନାହିଁ ଆଉ ବାଧ୍ୟବାଧତାରେ ନଡ଼ା ବିଡ଼ାକୁ ଶବ କରି ପ୍ରତୀକାତ୍ମକ ଶବ ସତ୍କାର କରିବାକୁ ପଡ଼ିବ। ସେହି ପରିବାରର ମାନସିକତା କ’ଣ ଥିବ ଥରେ ଚିନ୍ତା କରନ୍ତୁ । ଏଭଳି ଏକ ଘଟଣା ଘଟିଛି ଗଂଜାମ ଜିଲ୍ଲା ଆସିକା ବ୍ଲକ୍ ଗହଙ୍ଗୁ ଗାଁରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯେଉଁ ବ୍ୟକ୍ତିଙ୍କର ପ୍ରତୀକାତ୍ମକ ଶବ ସତ୍କାର କରାଯାଇଛି, ସେହି ବ୍ୟକ୍ତି ଜଣକ ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାସ୍ଥଳରେ ଥିଲେ ଓ  ପରେ ନିଖୋଜ ହୋଇଯାଇଥିଲେ ।

ଭୁବନେଶ୍ୱରର ଏହି ବିସ୍ଫୋରଣ ଘଟଣାକୁ ହୁଏତ ଲୋକ କିଛି ଦିନ ପରେ ଭୁଲି ଯିବେ, ପୂର୍ବ ଭଳି ପୁଣି ଥରେ ସ୍ୱାଭାବିକ ହେବ ରାଧାନୀରର ଜୀବନଯାତ୍ରା । କିନ୍ତୁ ଏହି ଘଟଣାରେ ଯେଉଁମାନେ ସିଧାସଳଖ ପ୍ରଭାବିତ ହୋଇଛନ୍ତି, ସେମାନଙ୍କ ପରିବାର ଲୋକ କେଉଁ ଭଳି ମାନସିକ ସ୍ଥିତରେ ଅଛନ୍ତି, ଇଏ ହେଉଛି ତା’ର ଚିତ୍ର । ସୀମାଚଂଳ ପରିଡ଼ା ଭୁବନେଶ୍ୱରରେ କାମ କରୁଥିଲେ । ହେଲେ ବିସ୍ଫୋରଣ ପରେ ତାଙ୍କର ଆଉ ଖୋଜ ଖବର ମିଳିନଥିଲା । ପରିବାର ଲୋକ ଭୁବନେଶ୍ୱର ଆସି ଖୋଜାଖୋଜି ବି କଲେ । ହେଲେ ସୀମାଚଂଳ ମିଳିଲେ ନାହିଁ । ତାଙ୍କ ପାଖରେ ଥିବା ଫଟୋ ଓ ଏଟିଏମ୍ କାର୍ଡ ଘଟଣାସ୍ଥଳରୁ ମିଳିବା ପରେ ଆଉ ଅବୁଝା ରହିଲା ନାହିଁ ଯେ, ଦୁନିଆରେ ଆଉ ନାହାନ୍ତି ସୀମାଂଚଳ ।

ଯେତେବେଳେ ସବୁ ଆଶା ମଉଳି ଗଲା, ଶେଷରେ ବାଧ୍ୟ ହୋଇ ପରବାର ଲୋକ ନିଷ୍ପତ୍ତି ନେଲେ ଅନ୍ତିମ ସତ୍କାର କରିଦେବେ । ଆଉ ସେଇଆ ହିଁ କରିଛନ୍ତି । ପାଳ ବିଡ଼ାକୁ ଭିଡି କାଳ୍ପନିକ ଶବ ପ୍ରସ୍ତୁତ କରି, ପ୍ରତୀକାତ୍ମକ ଶବ ସତ୍କାର କରିଛନ୍ତି ପରିବାର ଲୋକ ।

ସେଦିନ ଘଟଣାସ୍ଥଳରୁ ପୁଲିସ ଉଦ୍ଧାର କରିଛି ମାଂସ ଟୁକୁଡ଼ା । ଆଶଙ୍କା କରାଯାଉଛି, ଏହି ମାଂସ ଟୁକୁଡ଼ା ନିଖୋଜ ବ୍ୟକ୍ତିଙ୍କର । ଆଉ ସେଥିପାଇଁ ଏହାର ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଇଛି କମିଶନରେଟ୍ ପୁଲିସ୍ । ଏମିତି ସୀମାଂଚଳଙ୍କ ପରିବାର ଲୋକଙ୍କ ନମୁନା ଆଣି ଡିଏନ୍ଏ ଟେଷ୍ଟ କରିବାକୁ ନିଷ୍ପତି ହୋଇଛି । ଏପଟେ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାର ଲୋକଙ୍କୁ ୮ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛି ଆଇଓସିଏଲ୍ । ହେଲେ, ସୀମାଚଂଳ କ’ଣ ଫେରି ଆସିବେ? ତାଙ୍କ ପରିବାର କେଉଁ ରୋଜଗାରିଆ ମଣିଷ ହରାଇଛି ତାକୁ କ’ଣ ଫେରାଇ ଆଣି ହେବ?

ସମ୍ବନ୍ଧିତ ଖବର