ବୃଦ୍ଧାଙ୍କୁ ମିଳିଲାନି ମଶାଣି, ୧୫ ଘଣ୍ଟା ପରେ ଘର ବାଡ଼ିରେ ଶବଦାହ କଲେ ପରିବାର ଲୋକେ

ରାଇଘର : ବ୍ୟକ୍ତିଗତ ଜାଗାରେ ମଶାଣି ରହିଥିବା ଦାବି କରି ଗ୍ରାମର କିଛି ଲୋକଙ୍କୁ ବ୍ୟବହାର ନିମନ୍ତେ ମନା କରାଯାଇଥିବା ବେଳେ ଆଜି ଜଣେ ବୃଦ୍ଧାଙ୍କୁ ତାଙ୍କ ପରିବାର ଲୋକେ ନିଜ ବାଡ଼ିରେ ପୋଡ଼ିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପରଚିପାରା ସ୍ଥିତ କିବେକୋଙ୍ଗା ଗ୍ରାମରେ। ଉକ୍ତ ଗ୍ରାମର ରଞ୍ଜନ ସରକାରଙ୍କ ମା’ ରେଣୁ ସରକାର (୮୩) ମୃତ୍ୟୁବରଣ କରିଥିବା ବେଳେ ଗ୍ରାମରେ ଥିବା ମଶାଣିରେ ସଂସ୍କାର କରିବାକୁ ମନା ହେବା ପରେ ନିଜ ବାଡ଼ିରେ ଶବଦାହ କରାଯାଇଥିଲା।

ସୂଚନା ଅନୁଯାୟୀ କିବେକୋଙ୍ଗା ଗ୍ରାମର ରଞ୍ଜନ ସରକାରଙ୍କ ମା’ ରେଣୁ ସରକାର ଗତକାଲି ରାତି ପ୍ରାୟ ୨ ଟା ସମୟରେ ମୃତ୍ୟୁବରଣ କରିଥିଲେ। ଆଜି ସକାଳୁ ତାଙ୍କ ମରଶରୀରକୁ ଗାଁ ମଶାଣିପଦାକୁ ସଂସ୍କାର କରିବା ନିମନ୍ତେ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ ବାରଣ କରାଯାଇଥିଲା | ଅପରପକ୍ଷରେ ଉକ୍ତ ମଶାଣିପଦାଟି ସେହି ଗ୍ରାମର ଦେବେନ୍ ବାଲାଙ୍କର ପଟ୍ଟା ଜାଗା ବୋଲି ଦାବୀ କରି ଆସୁଛନ୍ତି | ତେଣୁ ଗ୍ରାମରେ ସରକାରଙ୍କ ତରଫରୁ କୌଣସି ମଶାଣିପଦା ନଥିବାରୁ ସେଠାରେ ଶବସତ୍କାର କରାଯାଇ ପାରିବ ନାହିଁ ବୋଲି କିଛି ଗ୍ରାମବାସୀ ରୋକ ଠୋକ ମନା କରିଥିଲେ। ଶ୍ରୀ ବାଲାଙ୍କ ପରିବାର ଲୋକେ କିମ୍ବା ସମ୍ପର୍କୀୟ ଲୋକଙ୍କ ପାଇଁ କେବଳ ସେହି ମଶାଣିପଦାଟି ବ୍ୟବହୃତ ହେଉଥିବା କିଛି ଗ୍ରାମବାସୀ ପ୍ରକାଶ କରିଛନ୍ତି |

ସେହି ଗ୍ରାମରେ ସରକାରଙ୍କ ତରଫରୁ କୌଣସି ମଶାଣିପଦା ନଥିବାରୁ ଗ୍ରାମବାସୀ ନିଜ ପରିବାରର କେହିଜଣେ ମୃତ୍ୟୁବରଣ କରିଲେ ନିଜ ନିଜ ଘର ବାଡ଼ିରେ ଶବକୁ ସଂସ୍କାର କରୁଥିବା ଦେଖିବାକୁ ମିଳିଛି। ଆଜି ଉକ୍ତ ବୃଦ୍ଧାଙ୍କ ମର ଶରୀରକୁ ମଶାଣିପଦାକୁ ନେବା ସମୟରେ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା | ଦୀର୍ଘ ୧୫ ଘଣ୍ଟା କାଳ ଶବ ପଡି ରହିବା ପରେ ନିଜ ଘର ବାଡ଼ିରେ ଶବ ସଂସ୍କାର କରାଯାଇଥିଲା |

ପ୍ରକାଶ ଥାଉକି ଗତ ବର୍ଷ ସେହି ଗ୍ରାମର ଟିନା ମିସ୍ତ୍ରୀ ନାମକ ଜଣେ ମହିଳାଙ୍କ ମୃତ ଶରୀର ଗାଆଁ ପୋଖରୀ ମଧ୍ୟରୁ ଉଦ୍ଧାର ହେବା ପରେ ପରିବାର ଓ ଗ୍ରାମବାସୀ ହତ୍ୟା ଅଭିଯୋଗ ଆଣିଥିଲେ। ସ୍ୱାମୀ ସୁମିତ ମିସ୍ତ୍ରୀ ଓ ଶଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଶେଷରେ ଟିନା ମିସ୍ତ୍ରୀଙ୍କ ମର ଶରୀରକୁ ତାଙ୍କ ଶଶୁର ଘର ସମ୍ମୁଖରେ ପୋତି ଦିଆଯାଇଥିଲା। ଏହି ଘଟଣାରେ ଟିନାକୁ ଗ୍ରାମର ଅର୍ଦ୍ଧାଧିକ ଲୋକେ ସମର୍ଥନ କରିଥିଲେ। ଅପରପକ୍ଷରେ ରଞ୍ଜନ ସରକାର ସୁମିତ ମିସ୍ତ୍ରୀଙ୍କ ସମ୍ପର୍କୀୟ ହୋଇ ଥିବାରୁ ମା’ର ଶବ ସତ୍କାର କରିବାକୁ ଗ୍ରାମବାସୀ ସମ୍ପୂର୍ଣ୍ଣ ବିରୋଧ କରିଥିବା ବିଶେଷ ସୂଚନାରୁ ଜଣାପଡ଼ିଛି। ଖବର ପାଇ କୁନ୍ଦେଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଗ୍ରାମରେ ଉତ୍ତେଜନା ଲାଗିରହିଥିଲା। କୁନ୍ଦେଇ ଥାନା ଅଧିକାରୀ ରାମଚନ୍ଦ୍ର ଅଗସ୍ତି ଲୋକଙ୍କୁ ବୁଝା ସୁଝା କରିବା ପରେ ଶବ ସଂସ୍କାର କରାଯାଇଥିଲା। ଅପରପକ୍ଷରେ ସରକାରଙ୍କ ତରଫରୁ ଏକ ମଶାଣିପଦା ଚିହ୍ନଟ କରାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର