ହଜିଗଲା ମାନବିକତା : ଗୁରୁତର ଅବସ୍ଥାରେ ମହିଳାଙ୍କୁ ଛାଡ଼ି ପଳାଇଲେ ପରିବାର

କଟକ : ଦେଢ ବର୍ଷ ହେଲା ପଶ୍ଚିମବଙ୍ଗରୁ ନିୟମିତ ବ୍ୟବଧାନରେ ଆସି ଚିକିତ୍ସିତ ହେଉଥିଲେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ। ବାପା, ମା, ସ୍ବାମୀ ତଥା ପରିବାରବର୍ଗଙ୍କ ସହ ଆସୁଥିଲେ ଚିକିତ୍ସା ପାଇଁ। ସବୁ ଠିକ୍‌ଠାକ୍‌ ଚାଲିଥିଲା। କିନ୍ତୁ ଶନିବାର ଦିନ ବଦଳିଗଲା ସବୁକିଛି। ରୋଗୀଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଥିବାବେଳେ ତାଙ୍କୁ ସଂପୂର୍ଣ୍ଣ ଅସହାୟ ଅବସ୍ଥାରେ ଛାଡିପଳାଇଛନ୍ତି ପରିବାର ଲୋକ। ସକାଳୁ ଉଠି ଖୋଜିଲା ବେଳକୁ ପାଖରେ ବାପା, ମା’ କି ପରିବାର ଲୋକ କେହି ନାହାନ୍ତି। ଏକୁଟିଆ ୱାର୍ଡରେ ପଡିଛନ୍ତି ପଶ୍ଚିମବଙ୍ଗର ରେବତୀ ଦାସ(୨୬)। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ କେନ୍ଦ୍ରରେ। କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ ଓ ସ୍ବେଚ୍ଛାସେବୀଙ୍କ ଉଦ୍ୟମରେ ମହିଳାଙ୍କ ଚିକିତ୍ସା ଚାଲିଛି। ଅନ୍ୟପଟେ କର୍ତ୍ତୃପକ୍ଷ ରୋଗୀଙ୍କୁ ତାଙ୍କ ସଂପର୍କୀୟ ଛାଡି ପଳାଇବା ସଂପର୍କରେ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ପଶ୍ଚିମବଙ୍ଗର ରେବତୀ ଦାସ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଗଲା ଦେଢବର୍ଷ ହେଲା ବିଭିନ୍ନ ସମୟରେ ଆସି ଚିକିତ୍ସିତ ହେଉଥିଲେ। ହେଲେ ଗଲା ଶନିବାର ଦିନ ସକାଳୁ ଦେଖିଲା ବେଳକୁ ତାଙ୍କ ପାଖରେ ତାଙ୍କର ପରିବାରବର୍ଗ କେହି ନଥିଲେ। ପାଟି କରି ଡାକିବା ସହ ଯାହାକୁ ପାଇଲେ ତାକୁ ପଚାରି ଥିଲେ ବି କେହି କିଛି କହି ପାରି ନଥିଲେ। ମହିଳାଙ୍କ ସହ ଘଟିଥିବା ଏଭଳି ଏକ କରୁଣ ଘଟଣା ସଂପର୍କରେ ଜାଣିବା ପରେ କର୍କଟ କେନ୍ଦ୍ରର ନିହାରିକା ତାଙ୍କୁ ପଚାରି ଘଟଣା ସଂପର୍କରେ ବୁଝିଥିଲେ। ଖବରପାଇ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ, କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ, ପ୍ରଶାସନିକ ଅଧିକାରୀ ରୁଦ୍ର ନାରାୟଣ ଦାଶ ପ୍ରମୁଖ ପହଞ୍ଚି ରେବତୀଙ୍କ ଚିକିତ୍ସା କରିବା ସହ ତାଙ୍କର ଦାୟିତ୍ବ ନେଇଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର