ଦୁର୍ଦ୍ଦାନ୍ତ ପୁଅକୁ ମାରିଦେଲେ ପରିବାର ଲୋକେ

ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକ୍‌ ନଈଗୁଆଁରେ ଜଣେ ଯୁବକକୁ ତାର ପରିବାର ଲୋକେ ପିଟିପିଟି ମାରିଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତକଙ୍କ ନାମ ବିଚିତ୍ରାନନ୍ଦ ପ୍ରଧାନ(୩୮)। ଅଧିକାଂଶ ସମୟରେ ପରିବାରରେ ଅଶାନ୍ତି ସୃଷ୍ଟିକରିବା ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳୁଛି। ତେବେ ଏ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ମୃତ ଯୁବକ ଜଣକ ବିବାହିତ ଓ ପେସାରେ ଜଣେ ଅଟୋ ଚାଳକ। କିନ୍ତୁ ମଦ୍ୟପାନ କରି ଅଧିକାଂଶ ସମୟରେ ଘରେ ଓ ବାହାରେ ଅଶାନ୍ତି ସୃଷ୍ଟି କରୁଥିବା ଜଣାପଡ଼ିଛି। ଏହାକୁ ନେଇ ଏହି ବ୍ୟକ୍ତିଙ୍କ ନାମରେ କାକଟପୁର, ଗୋପ ସମେତ ଅସ୍ତରଙ୍ଗ ଥାନାରେ ଏକାଧିକ ଅଭିଯୋଗ ରହିଛି। ଅଶାନ୍ତି ମଧ୍ୟରେ ମୃତବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀ ପିଲାଛୁଆ ଧରି ବାପ ଘରେ ରହୁଛନ୍ତି। ଗତକାଲି ଅପରାହ୍ଣରେ ବିଚିତ୍ରାନନ୍ଦ ହଠାତ୍ ଘରକୁ ଆସି ପୂର୍ବପରି ଝଗଡ଼ା କରିଥିଲେ। ଏଥିରେ ପରିବାର ଲୋକେ ଅତିଷ୍ଠ ହୋଇପଡ଼ିଥିଲେ। ଭାଉଜ ଶଖୀ ପ୍ରଧାନକୁ ହଠାତ୍ ମରଣାନ୍ତକ ଆକ୍ରମଣ କରନ୍ତେ ସେ ଗୋଡ଼ାଇ ଗୋଡ଼ାଇ ଏକ କଟୁରିରେ ପ୍ରତିଆକ୍ରମଣ କରିଥିଲେ। ଫଳରେ ବିଚିତ୍ରାନନ୍ଦ ଘର ଠାରୁ ପ୍ରାୟ ୨୦୦ମିଟର ଦୂରରେ ଏକ ଗହିର ବିଲରେ ପଡିଯାଇ ମୃତ୍ୟୁବରଣ କରିଥିଲେ। ବିଚିତ୍ରାନନ୍ଦଙ୍କ ଘର ଗାଁର ଶେଷମୁଣ୍ଡରେ ଥିବାରୁ ଗଣ୍ଡଗୋଳ ସମ୍ପର୍କରେ ହଠାତ୍ କେହି ସୁରାକ ପାଇନଥିଲେ। କିନ୍ତୁ ବିଚିତ୍ରାନନ୍ଦଙ୍କ ମୃତ୍ୟୁ ହେବା ସନ୍ଧ୍ୟା ବେଳକୁ ସମସ୍ତେ ଜାଣିଥିଲେ। ଖବର ଶୁଣି ବିଚିତ୍ରାନନ୍ଦଙ୍କ ସ୍ତ୍ରୀ କାକଟପୁର ଥାନାରେ ଅଭିଯୋଗ କରିବାରେ ଆଇଆଇସି ସୁଶାନ୍ତ କୁମାର ସାହୁ ଏକ ଟିମ୍ ଧରି ଘଟଣାସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରିବା ସହ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲେ। ଗତକାଲି ରାତି ଅଧିକ ହେତୁ ଶବ ନିକଟରେ ପୁଲିସ୍ ଜଗିରହିଥିଲା। ଆଜି ସକାଳୁ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର