ମୃତ୍ୟୁ ସହ ଲଢ଼େଇ କରୁଛନ୍ତି କୋଭିଡ୍‌ ଆକ୍ରାନ୍ତ ଇଞ୍ଜିନିୟର, ଇକ୍‌ମୋ ଚିକିତ୍ସା ପାଇଁ ପରିବାର ଲୋକଙ୍କ ନିବେଦନ

ବାଲେଶ୍ବର : କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯୁବ ଇଞ୍ଜିନିୟର। ଫୁସ୍‌ଫୁସ୍‌ ଜନିତ ସମସ୍ୟା ଦିନକୁଦିନ ବଢ଼ୁଥିବାରୁ ଡାକ୍ତର ଇକ୍‌ମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି। ହେଲେ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ। ଯାହା ସଞ୍ଚିତ ଅର୍ଥ ଏବଂ ଧନସମ୍ପତ୍ତି ଥିଲା ସେସବୁ ସରିବାକୁ ବସିଥିବା ବେଳେ ଇକମୋ ପାଇଁ ପରିବାର ଲୋକଙ୍କ ତରଫରୁ ସରକାର ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ନିବେଦନ କରାଯାଇଛି।

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ବର୍ତ୍ତନା ପଞ୍ଚାୟତ ଗମ୍ଭାରିଆ ଗାଁର ମୃତ୍ୟୁଞ୍ଜୟ ପାତ୍ର ଭୁବନେଶ୍ବର ହାଉସିଂ ବୋର୍ଡର ସହକାରୀ ଯନ୍ତ୍ରୀ ଭାବେ ଚାକିରି କରନ୍ତି। ଶ୍ରୀ ପାତ୍ର ଗତମାସ ୧୦ ତାରିଖରେ କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ ୪ ଦିନ ଭଦ୍ରକ ସ୍ଥିତ ନିଜ ଘରେ ହୋମ ଆଇସୋଲେସନ୍‌ରେ ଥିଲେ। ୧୫ ତାରିଖରେ ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେବାରୁ ଭଦ୍ରକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତିହେଲେ। ସେଠାରୁ ଦୁଇଦିନ ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୧୬ ତାରିଖରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତି ହେଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ସେହିଠାରେ ଚିକିତ୍ସା ହେଉଥିବା ବେଳେ ପରିବାର ଲୋକ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏବେ ତାଙ୍କ ଫୁସ୍‌ଫୁସ୍‌ ୯୦ ପ୍ରତିଶତ ସଂକ୍ରମଣ ହୋଇସାରିଥିବାରୁ ତୁରନ୍ତ ଇକମୋ ଚିକିତ୍ସା କରାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ତେବେ ଏହି ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ଶ୍ରୀ ପାତ୍ରଙ୍କ ପରିବାର ପାଇଁ ଅର୍ଥ ବାଧକ ସାଜିଛି। ଏଥିପାଇଁ ସରକାର, ‌ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ସହୃଦୟ ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇବାକୁ ପରିବାର ଲୋକ ଅନୁରୋଧ କରିବା ସହ ଫୋନ ପେ/ଗୁଗଲ ପେ-୯୪୩୭୯୫୨୫୧(ସୁଜାତା ଜେନା) ମାଧ୍ୟମରେ ଆର୍ଥିକ ସହଯୋଗ କରିବାକୁ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର