ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ମୃତଦେହ ନେବା ପାଇଁ ମନା କରିଦେଲେ ପରିବାର ଲୋକ

ଦେବଦୂତ ସାଜି ଶବଦାହ କରିଲେ ହେଲ୍ପିଂ ହେଣ୍ଡ୍ ସଦସ୍ୟ

ଭଞ୍ଜନଗର: ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ। କରୋନରେ ପ୍ରାଣ ଯାଇଥିବା ସନ୍ଦେହ କରି ପରିବାର ଲୋକ ମଧ୍ୟ ଶବ ନେବା ପାଇଁ ମନା କରିଦେଲେ। ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଉତ୍ସର୍ଗିକୃତ କୋଭିଡ଼ କେୟାର କେନ୍ଦ୍ରରେ ପଡ଼ି ରହିଥିଲା ଶବ। ଶେଷର ଖବର ପାଇ ଦେବଦୂତ ଭଳି ପହଞ୍ଚିଲେ ହେଲପିଂ ହ୍ୟାଣ୍ଡ୍ର ସଦସ୍ୟ ଆଉ କୋଭିଡ଼ ଗାଇଡ଼ଲାଇନ ଅନୁଯାୟୀ ପିପିଇ କିଟ୍ ପିନ୍ଧି କଲେ ଶବ ସତ୍କାର। ଏଭଳି ପରିସ୍ଥିତିରେ ନିସ୍ବାର୍ଥପର ଭାବେ ଅଜଣା ଅଚିହ୍ନା ବ୍ୟକ୍ତିର ମୃତଦେହକୁ ନିଜ କାନ୍ଧରେ ବୋହି ସସମ୍ମାନ ସଂସ୍କାର କରି ମଣିଷ ପଣିଆର ପରିଚୟ ଦେଇଛନ୍ତି ହେଲ୍ପିଂ ହ୍ୟାଣ୍ଡ୍ର ସଦସ୍ୟ ।

ଗଞ୍ଜାମ ଜିଲ୍ଲା ସୋରଡ଼ା ସହରର ନିଗମାନନ୍ଦ ରୋଡ଼ରେ ରହୁଥିବା ଭାସ୍କର ମିଶ୍ରଙ୍କ ପୁଅ ସୁଶାନ୍ତ ମିଶ୍ର(୪୨)ଙ୍କ ଗତ କାଲି ସ୍ବାସ୍ଥ ଖରାପ ହେବାରୁ ସୋରଡ଼ା ଡାକ୍ତରଖାନାରେ ଦେଖାଇଥିଲେ। ସେଠାରେ ତାଙ୍କ ଶରୀରରେ ଅମ୍ଳଜାନ ମାତ୍ରା କମ୍ ରହିଥିବାରୁ ଡାକ୍ତର ତୁରନ୍ତ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ୍କୁ ସ୍ଥାନାନ୍ତର କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ନିକଟରେ କରୋନା ଲକ୍ଷଣ ଥିବାରୁ ନମୁନା ସଂଗ୍ରହ କରାଯିବା ସହ ତାଙ୍କୁ ଉତ୍ତମ ଚିକିତ୍ସା ନିମିତ୍ତ ଉତ୍ସର୍ଗିକୃତ କୋଭିଡ଼ କେୟାର ହୋମ୍ରେ ରଖାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ପ୍ରାୟ ୮ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁଶାନ୍ତଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକ ତାଙ୍କ ମୃତଦେହକୁ ସୋରଡ଼ା ନେବା ପାଇଁ ମନା କରିଦେଇଥିଲେ। ଏହାପରେ ଶବଦାହ କରିବା ପାଇଁ ପ୍ରଶାସନ ପକ୍ଷରୁ ବହୁ ଚେଷ୍ଟା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଦୀର୍ଘ ସମୟ ଧରି ସୁଶାନ୍ତଙ୍କ ମୃତଦେହ ପଡ଼ିରହିବା ପରେ ପ୍ରଶାସନ ପକ୍ଷରୁ ଲଣ୍ଡେଇ ସାହି ଠାରେ ଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପିଂ ହ୍ୟାଣ୍ଡ୍ର ମୁଖ୍ୟ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସହ ଯୋଗଯୋଗ କରିବାରୁ ସେମାନେ ଶବ ଦାହ କରିବା ପାଇଁ ଆଗଭର ହୋଇଥିଲେ। ଏହାପରେ ଦୀର୍ଘ ୫ ଘଣ୍ଟା ଧରି ପଡ଼ି ରହିଥିବା ସୁଶାନ୍ତଙ୍କ ମୃତଦେହକୁ ହେଲ୍ପିଂ ହେଣ୍ଡ୍ର ପ୍ରଶାନ୍ତ ଏବଂ କିରଣ କୁମାର ବିଷୋୟୀ ପିପିଇ କିଟ୍ ପିନ୍ଧି ଡିସିଏଚ୍ସିରୁ ବାହାର କରି ଜାମପଲ୍ଲୀ ନିକଟ ଶ୍ମଶାନକୁ ନେଇଥିଲେ।

ଏଥିସହ ହେଲ୍ପିଂ ହେଣ୍ଡ୍ର ସଦସ୍ୟ ଭବାନୀ ପାଳ ଏବଂ ଟିଟୁ ବାହାଦୂର ଥାପା ସେମାନଙ୍କୁ ସହଯୋଗ କରିଥିଲେ। ସେଠାରେ କିଛି ସ୍ଥାନୀୟ ଲୋକ ଶବଦାହ ପାଇଁ ବାରଣ କରିଥିବା ବେଳେ ପରେ ସେମାନଙ୍କୁ ବୁଝାଶୁଝା କରିବା ପରେ ଶବଦାହ କରିଥିଲେ। ହେଲ୍ପିଂ ହେଣ୍ଡ୍ ସଦସ୍ୟ ମାନଙ୍କ ଏଭଳି ମହାନୀୟତାକୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ତହସିଲଦାର ଆଲୋକ କୁମାର ପ୍ରଧାନ,ମେଡ଼ିକାଲ୍ ସୁପରିଟେଣ୍ଟ୍ ଡା.ସୀତାଂଶୁ ଶେଖର ଶତପଥି ଭୂୟସୀ ପ୍ରଶାଂସା କରିଛନ୍ତି। ସଂପ୍ରତିକ ପରିସ୍ଥିତିରେ ହେଲ୍ପିଂ ହେଣ୍ଡ୍ର କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ପ୍ରକାଶ ଥାଉକି କରୋନାର ବିପଦ କାଳରେ ଏହି ସଂସ୍ଥା ନିରନ୍ତର ଗରୀବ ଅସହାୟ ମାନଙ୍କୁ ପ୍ରତିଦିନ ଆହାର ଯୋଗାଇ ଆସୁଛି। ଅନେକ ମାନସିକ ବିକୃତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ସେମାନଙ୍କ ଦେଖାଶୁଣା କରିବା ସହ ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ ମେଡ଼ିକାଲ୍ରେ ପହଞ୍ଚାଇ ବହୁ ଅନୁ୍ଷ୍ଠାନ ପକ୍ଷରୁ ସମ୍ମାନିତ ମଧ୍ୟ ହୋଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ସମ୍ବନ୍ଧିତ ଖବର