ତିତଲିକୁ ମାସେ : ଖୋଲା ଆକାଶ ତଳେ ଜୀବନ ସ˚ଘର୍ଷ

ପାତ୍ରପୁର : ‘ସବୁ କିଛି ଉଜୁଡ଼ିଯାଇଛି। ନା ଅଛି ଜୀବିକା ନା ମୁଣ୍ତ ଗୁ˚ଜିବାକୁ ବାସ ଖଣ୍ତିକ ଅଛି। ‘ତିତଲି’ର ତାଣ୍ତବ ସବୁ କିଛି ପୋଛି ନେଇଛି। ଆଜି ବି ଆଖିରୁ ଲୁହ ଶୁଖିିନି ବାବୁ। ପିଲା ଛୁଆଙ୍କୁ ଧରି ଏମିତି ମୁକୁଳା ଘରେ ପଡ଼ି ରହିଛି। କଲକଟର, ତାସିଲଦାର ଆଉ କୋଉ ବାବୁଙ୍କ ଦେଖା ନାହିଁ। କିଛି ବାବୁ ପଚାରିକି ସବୁ ଲେଖିକି ନେଲେ। ସାହାଯ୍ୟ କରିବୁ ବୋଲି କହିଲେ। ହେଲେ ଆମ ଭଳି ଗରିବ ଆଦିବାସୀଙ୍କୁ କେବଳ ଭଗବାନ ସାହା। ଏମିତି ଦାଣ୍ତ ପିଣ୍ତାରେ ରାନ୍ଧୁଛୁ। ରାତିରେ ଶୀତ କାକରରେ ଶୋଉଛୁ। କେବଳ ପାଲ ଖଣ୍ତିଏ ଆମ ପାଇଁ ସାହା। ଭାଗ୍ୟକୁ ଆଦରି ଏମିତି ପଡ଼ି ରହିଛୁ’।

ଏହି କୋହଭରା ନିବେଦନ ହେଉଛି, ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ପାତ୍ରପୁର ବ୍ଲକ ଦୁର୍ଗମ ଆଙ୍କୁଲି ଓ ବୁରାତାଲ୍‌ ପଞ୍ଚାୟତର। ଦେଖୁ ଦେଖୁ ତିତଲି ବାତ୍ୟାକୁ ଆଜି ମାସେ ପୂରିଛି। ଆଉ ଏହାର କ୍ଷତିଭରଣା ପାଇଁ କେଉଁଠି ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧି ମାନେ ରିଲିଫ୍‌ ଅର୍ଥ ବାଣ୍ଟୁଛନ୍ତି ତ ଆଉ କେଉଁଠି ପୁନରୁଦ୍ଧାର କାମ ପାଇଁ ପ୍ରସ୍ତୁତି ସରିଛି। ହେଲେ କ୍ଷତିଗ୍ରସ୍ତ ଗ˚ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଦୁର୍ଗମ ଆଙ୍କୁଲି, ବୁରାତାଲ ଓ ତୁମ୍ବା ପଞ୍ଚାୟତର ସ୍ଥିତି ଯେମିତିକୁ ସେମିତି। ତିତଲି ବାତ୍ୟା ପାହାଡ଼ ଉପରେ ରହୁଥିବା ଆଦିବାସୀଙ୍କ ମେରୁଦଣ୍ତ ଭାଙ୍ଗି ଦେଇଥିବା ବେଳେ ପ୍ରଶାସନ କି ଜନପ୍ରତିନିଧି କାହରି ବି ଦେଖା ନାହିଁ, କି ନିଘା ନାହିଁ। ଆଉ ଏଭଳି ଦୁର୍ଦ୍ଦିନ ପରିସ୍ଥିତିରେ ତିନି ପଞ୍ଚାୟତରେ ‘ସମ୍ବାଦ’ ସ୍ଥିତି ପରଖିଛି।

ଚରିଆବାଡ଼ିରେ ଆଦିବାସୀ ମାନେ ତିତଲି ବାତ୍ୟାର ଛାତିଭରା ଦୃଶ୍ୟକୁ ବଖାଣିଥିଲେ। ଜୀବନକୁ ପାଣି ଛଡ଼ାଇ ଗୋଟିଏ ପୁରୁଣା ଭଙ୍ଗା ଛାତ ତଳେ ସେମାନେ କିଭଳି ସମୟ କାଟି ଥିଲେ ଏହି ଅନୁଭୂତିକୁ ସେମାନେ ଲୁହ ଛଳ ଛଳ ଆଖିରେ କହିଥିଲେ। ଗ୍ରାମରେ ପ୍ରାୟ ୧୫ ପରିବାର ରହୁଥିବା ବେଳେ ସେମାନଙ୍କ ଘର ଭାଙ୍ଗିଯାଇଥିବା ସହ ଉପରେ ପାଲ ପକାଇ ଭଙ୍ଗା କାନ୍ଥ ଆବଦ୍ଧରେ ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଦେଖିବାକୁ ମିଳିଥିଲା। ରାଇଖାଲ ଗ୍ରାମର ଚିତ୍ର ଅତି ହୃଦୟବିଦାରକ ଥିଲା। ଗାଁରେ ୫୬ ପରିବାର ରହୁଥିବା ବେଳେ ଏହା ସ˚ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଆଙ୍କୁଲି ପଞ୍ଚାୟତରେ ୪୮ଟି ଗ୍ରାମ ରହିଥିବା ବେଳେ ଦୁଇ ଚାରିଟି ଗ୍ରାମକୁ ଛାଡ଼ିଦେଲେ ଅନ୍ୟ ସବୁ ଗ୍ରାମ ସମ୍ପୁର୍ଣ୍ଣ ଧ୍ବସ˚ ହୋଇଯାଇଥିଲେ ମଧୢ ଦୁଇହଜାର ଟଙ୍କା ଓ ପାଲ ଖଣ୍ତିକରେ ସନ୍ତୁଷ୍ଟ ହେବାକୁ ପଡୁଛି ବୋଲି ଗ୍ରାମବାସୀ କହିଥିଲେ। ସେମାନଙ୍କୁ ଅଣଦେଖା କରାଯାଉଛି ବୋଲି କହିଥିଲେ।

ବୁରାତାଲ ପଞ୍ଚାୟତର କୁରୁଗୁଡ଼ ଗ୍ରାମରେ ସବୁ ମାଟିଘର ଧରାଶାୟୀ ପାଲଟିଥିବା ବେଳେ ୩୯ଟି ପରିବାର ସାହାଯ୍ୟ ପାଇଁ ଜଳକା ପରି ଚାହିଁ ବସିଥିବା ଦେଖିବାକୁ ମିଳିଥିଲା। ସେହିପରି ଏ.ଗାଇଡ଼ା, ଧୁବାଲିଙ୍ଗି, ବାଦୁଆ ଗ୍ରାମରେ ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ, ତିତଲି ପ୍ରଭାବରେ ମକାଚାଷ ଓ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କ ଜୀବିକା ଉଜୁଡ଼ିଥିବା କହିଥିଲେ। ବୁରାତାଲରେ ବିଦ୍ୟାଳୟ ଘର ସହ ବହୁ ଲୋକଙ୍କ ଘର ଭାଙ୍ଗିଥିବା ବେଳେ ରାସ୍ତାରେ ପଡ଼ି ରହିଥିବା ବଡ଼ଗଛକୁ ହଟାଇବାକୁ ଓଡ୍ରାଫ୍‌ ଟିମ୍‌ ଆଜି ସୁଦ୍ଧା ଆସି ନଥିବା ଗ୍ରାମବାସୀ କହିଥିଲେ। ବନ୍ୟଜାତ ଦ୍ରବ୍ୟ, ଫଳ, ସୂଆଁ, ଜନା, ମାଣ୍ତିଆ ଓ ଧାନ ଫସଲ ଉଜୁଡ଼ିଯାଇଥିବା କହିଥିଲେ।

ସମ୍ବନ୍ଧିତ ଖବର