କରୋନା ମହାମାରୀ ବଢ଼ାଉଛି ସାମାଜିକ ଦୂରତା, ମୃତକଙ୍କୁ କାନ୍ଧ ଦେଲେନି ଆତ୍ମୀୟ, ପ୍ରଶାସନ ନେଲା ଶବ

ବ୍ରହ୍ମପୁର: ମହାମାରୀ କରୋନା ଭାଇରସ ସାମାଜିକ ଦୂରତା ବଢ଼ାଉଛି। ମୃତ ବ୍ୟକ୍ତିଙ୍କୁ ପରିବାର ଲୋକେ ସ୍ପର୍ଶ କରିବାକୁ ଚାହୁଁନାହାନ୍ତି। ଫଳରେ ପ୍ରଶାସନର ହସ୍ତକ୍ଷେପର ଆବଶ୍ୟକତା ପଡୁଛି। ଗଞ୍ଜାମରେ କରୋନା ଭୂତାଣୁ ସଂକ୍ରମଣ ଯେମିତି ବ୍ୟାପିବାରେ ଲାଗିଛି, ଗାଁ ଗାଁରେ ସାମାଜିକ ଅସନ୍ତୁଳନ ସେତିକି ବିଗିଡ଼ିବାରେ ଲାଗିଛି। କୁକୁଡାଖଣ୍ଡି ବ୍ଲକ୍‌ ବାଲିପଡ଼ା ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଛି।

ଗାଁର କାମେଶ ସୁବୁଦ୍ଧି(୬୫) ନାମକ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ଘଟିଥିଲା। ଶବ ସତ୍କାର ନିମନ୍ତେ କାମେଶଙ୍କ ନାତି ସମସ୍ତଙ୍କୁ ନେହୁରା ହୋଇଥିଲେ ହେଁ ବନ୍ଧୁବାନ୍ଧବ, ସାହି ପଡ଼ିଶା ଲୋକେ କେହି କରୋନା ଭୟରେ ମୃତଦେହ ଶ୍ମଶାନକୁ ନେବାକୁ ଆସି ନ ଥିଲେ।

ସ୍ଥାନୀୟ ତହସିଲଦାର ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ସରପଞ୍ଚଙ୍କୁ କୌଣସି ପ୍ରକାରେ ମୃତକଙ୍କ ଶବକୁ ସତ୍କାର ଲାଗି ଶ୍ମଶାନକୁ ନେବା ପାଇଁ ମନାଇଥିଲେ। କିନ୍ତୁ କୌଣସି ବ୍ୟକ୍ତି ଶବ ନେବାକୁ ରାଜି ହୋଇ ନ ଥିଲେ। ଶେଷରେ ତହସିଲଦାର ମହାପ୍ରୟାଣ ଗାଡ଼ିରେ ମୃତ ଶରୀରକୁ ନେଇଥିଲେ। ପିପିଇ ଦ୍ଵାରା ପୂରା ଶରୀରକୁ ଆବୃତ୍ତ କରି ଶବକୁ ନିଆ ଯାଇଥିଲା।

ସୂଚନାଯୋଗ୍ୟ, ଗତ ବାର ଦିନ ତଳେ ମୃତ ବୃଦ୍ଧ ବ୍ୟକ୍ତିଙ୍କ ପୁଅ ରାମଚନ୍ଦ୍ର ସୁବୁଦ୍ଧି କୌଣସି କାରଣବଶତଃ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍‌ଣପୁର ବଡ଼ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ। ଉକ୍ତ ବ୍ୟକ୍ତିଙ୍କ ଶବଦାହ ସମ୍ପନ୍ନ କରିଥିବା ରାମଚନ୍ଦ୍ରଙ୍କ ଜ୍ୱାଇଁ ଅଶେଷ ପାତ୍ର କବି ସୂର୍ଯ୍ୟନଗରରେ ମୃତ୍ୟୁ ବରଣ କରିଥିଲେ। ଏହି ଦୁଇ ଜଣଙ୍କ ମୃତ୍ୟୁ ପରେ ଆଜି କାମେଶଙ୍କ ମୃତ୍ୟୁ ଘଟିଛି। ଗୋଟିଏ ପରିବାରର ୩ଜଣ ମୃତ୍ୟୁ ଯୋଗୁଁ ଲୋକେ ଭୟଭୀତ ହୋଇ ଶବ ସତ୍କାର କରିବାକୁ ନେଇ ନଥିବା କୁହାଯାଉଛି। ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁକୁ ନେଇ ବାଲିପଡ଼ା ଗ୍ରାମରେ ଭୟର ବାତାବରଣ ଲାଗି ରହିଛ।

ସମ୍ବନ୍ଧିତ ଖବର