ପାଟଣାଗଡ଼: ମଣିଷ ଆଧୁନିକ ତଥା ବିଜ୍ଞାନ ଦୁନିଆରେ ଥିବା ବେଳେ ବର୍ତ୍ତମାନ ବି ଛୁଆଁ ଅଛୁଆଁ ଭେଦ ଭାବ ତଥା ଜାତିଆଣ ନେଇ ଅନେକ ସମୟରେ ନାନା ଘଟଣାଗୁଡ଼ିକ ନଜରକୁ ଆସୁଛି। ଏପରି କି ମୃତ୍ୟୁ ପରେ ବି ନିଜ ସମ୍ପକୀୟମାନେ ମୃତଦେହକୁ ଛୁଇଁବାକୁ ନାରାଜ। ଏପରି ଏକ ଅଭାନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ମରୁଆଁ ପଞ୍ଚାୟତ ଅନ୍ତର୍ଗତ ଗଞ୍ଜାଉଡ଼ାରେ ଦେଖିବାକୁ ମିଳିଛି।
ଗଞ୍ଜାଉଡାର ଗ୍ରାମର ସାଧୁ ବାଗ (୮୦) ସାମାଜିକ ରିତି ନିତୀରେ ଉକିଆ ବାଗଙ୍କୁ ବାହା ହୋଇଥିଲେ। ପରେ ସାଧୁ ହାଡ଼ ବରିହା (ବିଞ୍ଝାଲ ଜାତିର) ନାମକ ଜୈନିକ ମହିଳାଙ୍କୁ ପ୍ରେମ ବିବାହ କରିଥିଲେ। ସାଧୁ ଦ୍ବିତୀୟ ବିବାହ ଅନ୍ୟ ଜାତିରେ କରିଥିବାରୁ ତାଙ୍କୁ ଜାତିରୁ ବାସନ୍ଦ/ସାମାଜିକ ବାସନ୍ଦ କରା ଯାଇଥିଲା। ସାଧୁ ତାଙ୍କ ଦୁଇ ପତ୍ନୀ ଓ ସନ୍ତାନମାନଙ୍କ ସହ ରହୁଥିଲେ। ସାଧୁ ବାର୍ଦ୍ଧକ୍ୟବସ୍ଥାରେ ଥିବାରୁ ବୁଧବାର ଦ୍ବିପହରରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତ୍ୟୁ ହେବା ପରେ ଜାତି ଭାଇମାନେ ଜାଣି ବି କେବି ପାଖକୁ ଆସି ନ ଥିଲେ। ଘରେ ମୃତଦେହ ପଡ଼ି ରହିଥିଲା। ଏପରିକି ବଲାଙ୍ଗୀରରେ ରହୁଥିବା ତାଙ୍କ ପୁଅ ବି ପହଞ୍ଚି ନ ଥିବା ସୂଚନା ମିଳିଛି। ଘରେ ୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ମୃତଦେହ ପଡ଼ି ରହିଥିବା ବେଳେ କେହି ପାଖକୁ ଆସି ନ ଥିଲେ। ପାଖରେ କେବଳ ଦୁଇ ପତ୍ନୀ ଓ ଝିଅ ଉପସ୍ଥିତ ଥିଲେ। ଶବ କାନ୍ଧେଇବା ପାଇଁ ନା ଜାତି ଭାଇ ନା ପୁଅ କେହି ଆସି ନ ଥିଲେ।
ଏହି ଖବର ପାଇ କିଛି ସ୍ବେଚ୍ଛାସେବୀ ଗଞ୍ଜାଉଡ଼ାର ଗ୍ରାମରେ ପହଞ୍ଚିଥିଲେ। ସେଠାରୁ ସାଧୁଙ୍କ ଘରକୁ ଯାଇ ସାଧୁଙ୍କ ମରଶରୀରକୁ ନେଇ ସାଧୁଙ୍କ ପୈତୃକ ଜମିକୁ ନେଇ ସତ୍କାର କରିଥିବା ଜଣାପଡିଛି। ଏହି ଶବ ସତ୍କାର ସମୟରେ ସୁନିଲ କୁମାର ସିଂ, ଗିରି ଧାରୀ ଭୋଇ, ରଞ୍ଜିତ ସାହୁ, ବିକାଶ ସାହୁ ମଣ୍ଟୁ ବିଶି ପ୍ରମୁଖ ଉପସ୍ଥିତ ଥିଲେ।