ପେନସନ୍‌ ପାଉନାହାନ୍ତି କରୋନା ମୃତକଙ୍କ ପରିବାର

ମିଳୁନି ପଜିଟିଭ୍‌ ସାର୍ଟିଫିକେଟ୍‌, ଇଏସ୍‌ଆଇସିକୁ ସହଯୋଗ କରୁନି ସ୍ବାସ୍ଥ୍ୟ ବିଭାଗ!

ବ୍ରହ୍ମପୁର : କରୋନା ମହାମାରୀ ବହୁ ଲୋକଙ୍କ ଜୀବନ ନେଇଛି। ବହୁ ପରିବାରବର୍ଗ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ଅସହାୟ ହୋଇ ପଡ଼ିଛନ୍ତି। କିନ୍ତୁ ଯେଉଁ ଘରୋଇ କର୍ମଚାରୀ କିମ୍ବା ଶ୍ରମିକ ଇଏସ୍‌ଆଇସି ବୀମାଭୁକ୍ତ ହୋଇଥି‌ବେ ତାଙ୍କ ପରିବାରବର୍ଗଙ୍କୁ ପେନ୍‌ସନ୍‌ ମିଳିବ। କେନ୍ଦ୍ର ସରକାରଙ୍କ ଇଏସ୍‌ଆଇସି ପକ୍ଷରୁ ଏଭଳି ସୁବିଧା କରାଯାଇଛି। ହେଲେ ଏହି ସୁବିଧା ପାଇବା ପାଇଁ ଆବେଦନକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମୃତଙ୍କ କରୋନା ପଜିଟିଭ୍‌ ସାର୍ଟିଫିକେଟ୍‌ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଅଧିକାଂଶ ଲୋକେ କରୋନା ପଜିଟିଭ୍‌ର ଅସଲ ସାର୍ଟିଫିକେଟ୍‌ ପାଇପାରୁ ନାହାନ୍ତି।

ଡାକ୍ତରଖାନାରୁ ମୃତ ରୋଗୀ ସମ୍ପର୍କୀୟଙ୍କୁ କରୋନା ପଜିଟିଭ୍‌ର ନକଲ ସାର୍ଟିଫିକେଟ୍‌ ଦିଆଯାଉଛି। କିନ୍ତୁ ତାହା ଇଏସ୍ଆଇସି ଅଫିସ୍‌ରେ ଗ୍ରହଣ କରାଯାଉ ନଥିବା ବେଳେ ସେହି ସାର୍ଟିଫିକେଟ୍‌କୁ ନେଇ ଦ୍ବନ୍ଦ୍ବ ଦେଖାଦେଉଛି। ଅନ୍ୟପଟେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ମଧ୍ୟ ଠିକ୍‌ ସମୟରେ ନକଲ ସାର୍ଟିଫିକେଟ୍‌ ଯାଞ୍ଚ କରି ତଥ୍ୟ ଦିଆଯାଉ ନାହିଁ। ଏ ନେଇ ଇଏସ୍‌ଆଇସି ବ୍ରହ୍ମପୁର କାର୍ଯ୍ୟାଳୟରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଚିଠି କରାଯାଇଛି। ତଥାପି ସ୍ବାସ୍ଥ୍ୟ ବିଭାଗ ତରଫରୁ ସହଯୋଗ ପ୍ରଦାନରେ ବିଳମ୍ବ କରାଯାଉଥିବା ଇଏସ୍‌ଆଇସି ବ୍ରହ୍ମପୁର ବ୍ରାଞ୍ଚ୍‌ ଅଫିସ୍‌ର ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର୍‌ ବିଶ୍ବମୋହନ ପାଣିଗ୍ରାହୀ କହିଛନ୍ତି। ଏହାଦ୍ବାରା ପେନସନ୍‌ ପାଇଁ ଆବେଦନ କରୁଥିବା ଆବେଦନକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଇଏସ୍ଆଇସି ପେନ୍‌ସନ୍‌ ପାଇବା ପାଇଁ ଯୋଗ୍ୟ ଥିବା ମୃତକଙ୍କ ଅସଲ କରୋନା ପଜିଟିଭ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୫୦ଜଣ ଲୋକଙ୍କ କରୋନାରେ ମୃତ୍ୟୁ ଘଟିଛି। ତନ୍ମଧ୍ୟରୁ ବହୁ ଲୋକ ଇଏସ୍‌ଆଇସିରେ ବୀମାଭୁକ୍ତ। ମୃତକଙ୍କ ପରିବାରବର୍ଗଙ୍କୁ ଦରମାର ୯୦ ପ୍ରତିଶତ ପେନ୍‌ସନ୍‌ ଆକାରରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ‘ଇଏସ୍‌ଆଇସି କୋଭିଡ୍‌ ରିଲିଫ୍‌’ ନାମରେ ଗତ ୨୦୨୦ ମାର୍ଚ୍ଚରୁ ଆସନ୍ତା ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ କରାଯାଇଛି। ଯଦି କୌଣସି ବୀମାଭୁକ୍ତ କର୍ମଚାରୀ କିମ୍ବା ଶ୍ରମିକଙ୍କ କରୋନା ଆରୋଗ୍ୟର ୩୦ ଦିନ ମଧ୍ୟରେ ମୃତ୍ୟୁ ଘଟେ ତେବେ ତାଙ୍କ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇ ପାରିବ। ଏହି ଯୋଜନାରେ ସାମିଲ ହେବା ପାଇଁ ମୃତକଙ୍କ ଅସଲ ମୃତ୍ୟୁ ପ୍ରମାଣ ପତ୍ର ଓ ଅସଲ କରୋନା ପଜିଟିଭ୍‌ ରିପୋର୍ଟ ସହିତ ଅନ୍ୟାନ୍ୟ କାଗଜପତ୍ର ଦାଖଲ କରିବାକୁ ହେବ। ଆବେଦନକାରୀ ଅସଲ ମୃତ୍ୟୁ ପ୍ରମାଣ ପତ୍ର ଦାଖଲ କରୁଛନ୍ତି, କିନ୍ତୁ ଅସଲ କରୋନା ପଜିଟିଭ୍‌ ସାର୍ଟିଫିକେଟ୍‌ ଦାଖଲ କରି ପାରୁ ନାହାନ୍ତି। ଏଣୁ ଆବେଦନକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇପାରୁ ନାହାନ୍ତି।

ଏ ସମ୍ପର୍କରେ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର୍‌ ଶ୍ରୀ ପାଣିଗ୍ରାହୀ କହିଛନ୍ତି, କରୋନା ପଜିଟିଭ୍‌ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ଏମ୍‌କେସିଜି ମେଡିକାଲରୁ ଜାରି କରାଯାଇଥିବା କରୋନା ପଜିଟିଭ୍‌ର ନକଲ ସାର୍ଟିଫିକେଟ୍‌ ଦାଖଲ କରୁଛନ୍ତି। ନକଲ ସାର୍ଟିଫିକେଟ୍‌ ଗ୍ରହଣଯୋଗ୍ୟ ନୁହଁ। ଏଥିପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଇଏସ୍‌ଆଇସି ତରଫରୁ କରୋନା ମୃତକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ସହିତ ଆବଶ୍ୟକ ତଥ୍ୟ ପ୍ରଦାନ ପାଇଁ ଚିଠି କରାଯାଇଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଯେଭଳି ସହଯୋଗ ମିଳିବା କଥା ତାହା ମିଳୁ ନାହିଁ। ଫଳରେ ଯାଞ୍ଚ ପ୍ରକ୍ରିୟାରେ ବିଳମ୍ବ ଘଟୁଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ ମିଶ୍ର କହିଛନ୍ତି, ମାଇକ୍ରୋବାୟୋଲୋଜି ବିଭାଗ ଦ୍ବାରା ଜାରି କରାଯାଇଥିବା କରୋନା ମୃତକଙ୍କ ପଜିଟିଭ୍‌ ସାର୍ଟିଫିକେଟ୍‌ ନିର୍ଦ୍ଦି‌ଷ୍ଟ ୱେବ୍‌ ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରି ଦିଆଯାଉଛି। ଏହା ବ୍ୟତୀତ ଅନ୍ୟ କିଛି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର