କଟକ : ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ହାଇକୋର୍ଟ ୨୦୨୦, ଜୁଲାଇ ୨୦ରେ ଦିଆଯାଇଥିବା ରାୟକୁ୧୫ ଦିନ ଭିତରେ କାର୍ଯ୍ୟକାରୀ କରିବାକୁ ନୂଆପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ନିର୍ଦ୍ଦେଶ ୧୫ ଦିନ ଭିତରେ କାର୍ଯ୍ୟକାରୀ କରାଯାଇ ହାଇକୋର୍ଟଙ୍କୁ ଅବଗତ କରାଯିବ। ଏଥିରେ ଅବହେଳା ହେଲେ ପ୍ରତିପକ୍ଷଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ସ୍ବତଃସ୍ଫୂର୍ତ୍ତ ଭାବେ ଆରମ୍ଭ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଚନ୍ଦ୍ରପ୍ରଭା ବୈଷ୍ଣବଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ସ୍ବାମୀ କୈଶିକ ଦାସ ନୂଆପଡ଼ା ବ୍ଲକରେ ପଞ୍ଚାୟତ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ୨୦୧୭, ଜାନୁଆରି ୨୦ରେ ତାଙ୍କ ମୃତ୍ୟ ହୋଇଥିଲା। ଏହାପରେ ମୃତ ସ୍ବାମୀଙ୍କ ବକେୟା ପ୍ରାପ୍ୟ ଓ ପରିବାର ପେନସନ୍ ପାଇବା ପାଇଁ ଆବେଦନକାରୀ ନୂଆପଡ଼ା ଜିଲ୍ଲାପାଳଙ୍କ ନିକଟରେ ଦରଖାସ୍ତ କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଏ ବାବଦ ପ୍ରାପ୍ୟ ପ୍ରଦାନ କରାଯାଇ ନଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
୨୦୨୦, ଜାନୁଆରି ୨୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ୬ ସପ୍ତାହ ଭିତରେ ଆବେଦନକାରୀଙ୍କୁ ବକେୟା ପ୍ରାପ୍ୟ ଓ ପରିବାର ପେନସନ୍ ପ୍ରଦାନ ପ୍ରସଂଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ତିନି ମାସ ଭିତରେ ୨୦୨୦, ଜାନୁଆରି ୨୨ର ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ୨୦୨୦, ଜୁଲାଇ ୨୦ରେ ହାଇକୋର୍ଟ ନୂଆପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ଦ୍ବିତୀୟ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜ୍ୟୋତିର୍ମୟ ଗୁପ୍ତ, ପି.ପଦ୍ମାବତୀ ରାଓ ଓ ସ୍ବପ୍ନା ସାହୁ ମାମଲା ପରିଚାଳନା କରୁଥିଲେ।