କରୋନା ଯୋଦ୍ଧାଙ୍କ ନାମ ପ୍ରକାଶ ପାଇଁ ପରିବାରର ଅନୁମତି ଆବଶ୍ୟକ

ସଂକ୍ରମିତଙ୍କ ପରିଚୟ ପ୍ରକାଶ କରାଯିବ ନାହିଁ: ହାଇକୋର୍ଟ

କଟକ : କରୋନା ସଂକ୍ରମିତଙ୍କ ପରିଚୟ ବାହାରେ ପ୍ରକାଶ ନ କରିବା ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ କରୋନା ସଂକ୍ରମିତଙ୍କ ପରିଚୟ ପ୍ରଘଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ପ୍ରସଂଗରେ ଗଣମାଧ୍ୟମର ଦାୟିତ୍ବ ଉପରେ ମଧ୍ୟ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ସେହିଭଳି, କରୋନା ଯୋଦ୍ଧାଙ୍କ ନାଁ ତାଙ୍କ ପରିବାରର ଅନୁମତି ନେଇ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଅନୁମତି ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି। ଏଥିସହିତ, ଏହି ପ୍ରସଂଗରେ ଗଣମାଧ୍ୟମର ଦାୟିତ୍ବ ଉପରେ ମଧ୍ୟ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।

ସୋସିଆଲ ମିଡିଆରେ ଅନେକ ସମୟରେ କରୋନା ସଂକ୍ରମିତଙ୍କ ପରିଚୟ ଓ ଅନ୍ୟ ତଥ୍ୟ ପ୍ରକାଶ ପାଉଥିବାବେଳେ ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରିବାକୁ ସରକାରଙ୍କୁ ନି‌ର୍ଦ୍ଦେଶ ଦେଇଛନ୍ତି। ଏଭଳି କ୍ଷେତ୍ରରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବାରୋପ କରାଯାଇଛି। ଆଜି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, କେରାନା ମୁକାବିଲାରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହେଲେ ତାଙ୍କୁ ଯୋଦ୍ଧା ଭାବେ ସମ୍ମାନିତ କରାଯାଉଛି। ତେଣୁ ଏଭଳି କରୋନା ଯୋଦ୍ଧାଙ୍କ ନାଁ ତାଙ୍କ ପରିବାରର ଅନୁମତି ନେଇ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଅନୁମତି ଦିଆଯିବା ଆବଶ୍ୟକ। ହାଇକୋର୍ଟ ଏହାକୁ ଗ୍ରହଣ କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେବା ସହିତ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଥିବା ବେଳେ ଆଶୁତୋଷ ସାହୁ, ଶ୍ବେତଲନା ଦାଶ ଓ ସ୍ମୃତି ମହାନ୍ତି ତାଙ୍କୁ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର