ହରିଚନ୍ଦନପୁର : ରାଜନୀତିରେ ପରିବାରବାଦ କିଛି ନୂଆକଥା ନୁହେଁ। ସାଂସଦ ଓ ବିଧାୟକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ସେମାନଙ୍କ ଅନ୍ତେ ନିଜ ପୁଅଝିଅ ଓ ପୁତୁରା, ଝିଆରୀଙ୍କୁ ରାଜନୈତିକ ଉତ୍ତରାଧିକାରୀ ଭାବେ ବାଛିଥାନ୍ତି। ଏହି ଧାରା ଏବେ ଗାଁ ରାଜନୀତିକୁ ବ୍ୟାପିଲାଣି। ସରପଞ୍ଚ ପଦବି ପାଇଁ ସ୍ବାମୀ ପରେ ସ୍ତ୍ରୀ ଏବଂ ପିଉସୀ ପରେ ପୁତୁରା ପ୍ରାର୍ଥୀ ହୋଇ ଏହାର ଉଦାହରଣ ସାଜିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଉପାନ୍ତ ହରିଚନ୍ଦନପୁର ବ୍ଲକ୍ରେ।
୨୦୧୭ ପଞ୍ଚାୟତ ନିର୍ବାଚନରେ ହରିଚନ୍ଦନପୁର ବ୍ଲକ୍ ପିଟାପିଟି ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ କଳିଙ୍ଗ କିଷାନ। ଏଥର ଏହି ପଞ୍ଚାୟତର ସରପଞ୍ଚ ପଦବି ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ଫଳରେ କଳିଙ୍ଗ ପତ୍ନୀ କମଳା କିଷାନ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ ସ୍ବାମୀଙ୍କ ବିକାଶମୂଳକ କାର୍ଯ୍ୟକୁ ନେଇ ଲୋକଙ୍କ ପାଖକୁ ଯିବାସହ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି। ଜଂଘିରା ପଞ୍ଚାୟତର ୨୦୧୭ରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ କମଳଲୋଚନ ନାଏକ। ଏଥର ନିର୍ବାଚନରେ ତାଙ୍କ ପତ୍ନୀ ନମିତ ନାଏକ ସରପଞ୍ଚ ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେ ମଧ୍ୟ ନିଜ ସ୍ବାମୀଙ୍କ ସମୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ନିର୍ବାଚନୀ ପ୍ରସଙ୍ଗ କରି ଭୋଟ୍ ଭିକ୍ଷା କରୁଛନ୍ତି।
ଦୈତାରୀ ପଞ୍ଚାୟତରେ ଦଶମା ନାଏକ ଗତ ନିର୍ବାଚନରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଏଥର ଏହି ପଞ୍ଚାୟତରୁ ତାଙ୍କ ସ୍ବାମୀ ରେଞ୍ଜ ନାଏକ ସରପଞ୍ଚ ପଦବି ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ଟାଙ୍ଗିରିଆପାଳ ପଞ୍ଚାୟତରେ ୨୦୧୭ ନିର୍ବାଚନରେ ସାବିତ୍ରୀ ମୁର୍ମୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ ତାଙ୍କ ସ୍ଵାମୀ ଦୁଃଖବନ୍ଧୁ ମୁର୍ମୁ ସମାନ ପଦବି ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ହୁଣ୍ଡା ପଞ୍ଚାୟତରେ ମୈଥିଳୀ ଅମାନ୍ତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଏଥର ସେ ନିର୍ବାଚନରୁ ଦୂରେଇ ରହିବା ସହ ତାଙ୍କ ପୁତୁରା ବଡ଼ଭାଇ କୈଳାସ ଅମାନ୍ତଙ୍କ ପୁଅ ଶୁଭ୍ରଜ୍ୟୋତି ଅମାନ୍ତଙ୍କୁ ସୁଯୋଗ ଦେଇଛନ୍ତି। ସେ ସରପଞ୍ଚ ପଦବି ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପଞ୍ଚାୟତ ଗୁଡ଼ିକରେ ସାଧାରଣତଃ ଗୋଟିଏ ଗୋଟିଏ ପରିବାରର ପ୍ରଭାବ ରହିଥାଏ। ତେଣୁ ସମ୍ପୃକ୍ତ ପରିବାର ଗୁଡ଼ିକରୁ ଜଣଙ୍କ ପରେ ଆଉଜଣେ ସରପଞ୍ଚ ହୋଇ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକୁ ନିଜ ହସ୍ତମୁଦିମାହାଲ କରିବାକୁ ଉଦ୍ୟମ କରୁଛନ୍ତି।