ବୀରମହାରାଜପୁର: ଆଗାମୀ ନିର୍ବାଚନରେ ପରିବାରବାଦୀ ରାଜନେତାଙ୍କୁ ସୁଯୋଗ ଦିଆନଯାଉ ବୋଲି କୋଶଲ ରାଜ୍ୟ ସମନ୍ବୟ ସମିତି ଅଧ୍ୟକ୍ଷ ପ୍ରମୋଦ ମିଶ୍ର ବୀରମହାରାଜପୁର ସାମ୍ବାଦିକ ଭବନଠାରେ ଗୁରୁବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ ଆହୁରି କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ କୋଶଲବାଦୀ ନେତାଙ୍କୁ ପ୍ରାର୍ଥୀ କରାଯାଉ। ଏଭଳି ପ୍ରାଥୀଙ୍କୁ ଆମେ କୋଶଲବାସୀ ନିର୍ବାଚିତ କରିବା ଯିଏକି କୋଶଲ ସପକ୍ଷରେ ମତଦେବାକୁ କୁଣ୍ଠାବୋଧ କରୁନଥିବ। ବାରମ୍ବାର ରାଜ୍ୟ ସରକାର କୋଶଲାଞ୍ଚଳକୁ ଅଣଦେଖା କରୁଥିବା ବ‌େଳେ ବିଭିନ୍ନ ସମୟରେ ଆନ୍ଦୋଳନକୁ ଦେଖି ସରକାର ଓ କିଛି ନେତା ଭୟଭୀତ ହୋଇ କୋଶଲ ସପକ୍ଷରେ ବିଭିନ୍ନ ଗଣମାଧ୍ୟମ ଓ ସଭା ସମିତିରେ କହିବାକୁ ବାଧ୍ୟ ହେଲେଣି। ଯଦି କୋଶଲ ସପକ୍ଷରେ ଖୋଲାଖୋଲି ମତ ନିଦିଅନ୍ତି ତେବେ ସେଭଳି ନେତାଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ସୂଚନା ଦେଇଥିଲେ।

Advertisment

ସେହପିରି ଆଗକୁ କୋଶଲାଞ୍ଚଲର ସାମଗ୍ରିକ ବିକାଶ କିପରି ହେବ ସେ ନେଇ ମତ ଦେବାକୁ ସାଧାରଣରେ ଆହ୍ବାନ କରିବା ସହିତ ବୀରମହାରାଜପୁରରେ ବୁଦ୍ଧିଜୀବୀ ସମ୍ମିଳନୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଉପକୂଳ ଅଞ୍ଚଳର ନେତାମାନେ ସବୁବେଳେ କୋଶଳାଞ୍ଚଳକୁ ଅବହେଳା କରୁଛନ୍ତି। ତାର ଏକ ଜ୍ୱଳନ୍ତ ଉଦାହରଣ ହେଲା ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ମୁଖ୍ୟ ପର୍ବ ‘ପୁଷପୁନି’କୁ ରାଜ୍ୟ ସରକାର ଛୁଟି ଘୋଷଣା କରିନାହାନ୍ତି। ଅଥଚ ପୂର୍ବ ଓଡ଼ିଶାର ଅନ୍ୟ ପର୍ବପର୍ବାଣିକୁ ଛୁଟି ଘୋଷଣା କରୁଛନ୍ତିl

ଏହି ସାମ୍ବାଦିକ ସମ୍ମିଳନୀରେ କିଶୋର ହୋତା, ବାଦଲ ସିଂହଦେଓ, ଡୋଳାମଣି ପଧାନ, ଆଶ୍ରୟ ମହାନନ୍ଦ ପ୍ରମୁଖଙ୍କ ସହିତ ବହୁ କୋଶଲ ସପକ୍ଷବାଦୀ ଉପସ୍ଥିତ ଥିଲେ। ଏହି  ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର, ସତ୍ୟବାନ୍ ପୁରୋହିତ, ସୁଧୀର ବିଶ୍ଵାଳ, ନିଲକମଳ ମିଶ୍ରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେl