ସନ୍ଦେହରେ ଯବାନଙ୍କ ମୃତ୍ୟୁ

ଦଶରଥପୁର : ଜାମ୍ମୁରେ କାର୍ଯ୍ୟରତ ସମୟରେ ଆତ୍ମହତ୍ୟା କରିଥିବା ଓଡ଼ିଆ ଯବାନ ପରେଶ କୁମାର ମିଶ୍ରଙ୍କ ଶେଷକୃତ୍ୟ ଆଜି ଏଠାରେ ସମ୍ପନ୍ନ ହୋଇଛି। ସେନାର କେତେକ ଯବାନ ପରେଶଙ୍କ ମରଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। କିଛି ସମୟ ଧରି ତାଙ୍କର ରହସ୍ୟଜନକ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଶବ ସହିତ ଆସିଥିବା ଯବାନଙ୍କୁ ଗାଁ ଲୋକ ଅଟକ ରଖିଥିଲେ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ଗ୍ରାମନନ୍ଦିପୁର ଗ୍ରାମର ପରେଶ ଜାମ୍ମୁଠାରେ ୧୧୮ ରେଜିମେଣ୍ଟରେ ଲାନ୍ସ ନାଏକ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୪ ତାରିଖ ଦିନ ସେ ଆର୍‌ଏସ୍‌ ପୁରା ସୀମାରେ ଡ୍ୟୁଟୀରେ ଥିବାବେଳେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଗୁଳିଚାଳନା ସମୟରେ ସେ ହେଲ୍‌ମେଟ୍‌ ପିନ୍ଧିଥିଲେ। ଏହାସତ୍ତ୍ୱେ ଗୁଳି ତାଙ୍କ ମୁଣ୍ଡରେ ଭେଦ କରି ମୁଣ୍ଡରେ ଲାଗିଥିଲା। ଫଳରେ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ସେନା ପକ୍ଷରୁ ଏହା କୁହାଯାଉଥିବା ବେଳେ ମୃତ ଯବାନଙ୍କ ପରିବାର ଲୋକ ଆତ୍ମହତ୍ୟାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ପରିବାର ଲୋକଙ୍କ କହିବାନୁସାରେ, ୬ ବର୍ଷ ତଳେ ବିବାହ ପରଠାରୁ ପରେଶ ଘରକୁ ଫେରିନଥିଲେ କି ଘର ସହିତ ସମ୍ପର୍କ ରଖିନଥିଲେ। ସେହି ରେଜିମେଣ୍ଟରେ ପରେଶଙ୍କ ଶାଳକ ବି ଯବାନ ଭାବେ କାମ କରୁଥିଲେ। ପାରିବାରିକ ଅଶାନ୍ତିକୁ କେନ୍ଦ୍ରକରି ତାଙ୍କର ମୃତ୍ୟୁ ହୋଇଛି ଏବଂ ଏହି ମୃତ୍ୟୁ ସନ୍ଦେହଜନକ ବୋଲି ପରେଶଙ୍କ ମା’ କନକଲତା ମିଶ୍ର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର