ମହିଳାଙ୍କ ସଫଳତା ପାଇଁ ପରିବାର ସହଯୋଗ ଏକାନ୍ତ ଆବଶ୍ୟକ

‘ପୁଞ୍ଜି ବ୍ୟବସ୍ଥା ଓ ପାରିବାରିକ ସହଯୋଗ’ ଶୀର୍ଷକ ଉପରେ ଆଲୋଚନା ଚକ୍ର

ଭୁବନେଶ୍ବର : ‘ସମ୍ବାଦ’ ପକ୍ଷରୁ ବୁଧବାର ଆୟୋଜିତ ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶ-୨୦୨୨ର ତୃତୀୟ ଅଧିବେଶନର ବିଷୟବସ୍ତୁ ଥିଲା ‘ପୁଞ୍ଜି ବ୍ୟବସ୍ଥା ଓ ପାରିବାରିକ ସହଯୋଗ’। ଏଥିରେ ଆଲୋଚକ ଭାବେ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ରୋଜାଲିନ୍‌ ପାଟ୍ଟଶାଣୀ ମିଶ୍ର ଯୋଗ ଦେଇ କହିଛନ୍ତି, ସମସ୍ତ ମହିଳାଙ୍କ ନିଜର ଶକ୍ତି ରହିଛି। ମାତ୍ର ତାଙ୍କୁ ସହଯୋଗର ହାତ ମିଳିଲେ ସେ ନିଜର ଦକ୍ଷତା ବଳରେ ସହଜରେ ଆଗକୁ ବଢ଼ିପାରିବେ। ଏହି ସହଯୋଗକୁ ହାତେଇବା ପାଇଁ ହେଲେ ପରିବାର ଲୋକଙ୍କର ମନ ଜିଣିବାକୁ ପଡ଼ିବ। ଯଦି କୌଣସି ପରିବାରର ମହିଳା କିଛି କରିବା ପାଇଁ ଚାହାନ୍ତି ତେବେ ଆମେ ତାଙ୍କୁ ଅଧିକରୁ ଅଧିକ ଉତ୍ସାହିତ କରିବାକୁ ପଡ଼ିବ। ତେବେ ଯାଇ ଆମ ଘର ମହିଳା ଅଧିକ ଶକ୍ତିଶାଳୀ ହୋଇପାରିବେ। ପରିବାର ଓ ବ୍ୟବସାୟ ଭିତରେ ସନ୍ତୁଳନ ରକ୍ଷା କରିବାକୁ ହେଲେ ପରିବାର ଲୋକଙ୍କ ସହଯୋଗର ଆବଶ୍ୟକତା ରହିଛି। ଯଦି ଆମେ କୌଣସି ଗୋଷ୍ଠୀ ମାଧ୍ୟମରେ କିଛି ବ୍ୟବସାୟ କରୁଛେ ତେବେ ଆମକୁ ଗୋଷ୍ଠୀ ଭିତରେ ସ୍ବଚ୍ଛତା ରକ୍ଷା କରିବାକୁ ପଡ଼ିବ। ଅଧିକ ପରିଶ୍ରମ କରି ଅଧିକରୁ ଅଧିକ ଉତ୍ପାଦନ କରିବାକୁ ପଡ଼ିବ। ସେସବୁକୁ ବିକ୍ରି କରିବା ପାଇଁ ମାର୍କେଟିଂର ଏକ ରଣନୀତି ପ୍ରସ୍ତୁତି କରିବାକୁ ସେ ପରାମର୍ଶ ଦେଇଥିଲେ।

ଅନ୍ୟତମ ଆଲୋଚକ ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘର ପୂର୍ବତନ ସଭାପତି ଦାମୋଦର ନନ୍ଦ କହିଲେ, ଆମେ ପ୍ରଥମେ କେଉଁ ବ୍ୟବସାୟ ଆରମ୍ଭ କରିବା ସେନେଇ ଏକ ଖସଡ଼ା ପ୍ରସ୍ତୁତ କରିବା ଦରକାର। ଏଥିରେ କେଉଁ ବ୍ୟବସାୟ କଲେ ଲାଭବାନ ହୋଇପାରିବା ସେନେଇ ସମସ୍ତଙ୍କର ସହଯୋଗ ନେବା। ସରକାରଙ୍କ ବିଭିନ୍ନ ଯୋଜନାକୁ ମଧ୍ୟ ଆମ ବ୍ୟବସାୟରେ ବିନିଯୋଗ କରିବା ଦରକାର। ଦରକାର ପଡ଼ିଲେ ବ୍ୟାଙ୍କରୁ ଋଣ ମଧ୍ୟ ଆଣିପାରିବା। ସରକାର ମଧ୍ୟ ଆମ ରାଜ୍ୟ ହେଉଥିବା କୃଷି ଉତ୍ପାଦ ସଂରକ୍ଷିତ କରିବା ପାଇଁ ଅଧିକରୁ ଅଧିକ ଶୀତଳଭଣ୍ଡାର ତିଆରି କରିବା ଆବଶ୍ୟକ। ତେବେ ଯାଇ ଆମ ରାଜ୍ୟରେ ଉଦ୍ୟୋଗୀ ତିଆରି ହୋଇପାରିବେ। ମହିଳା ଉଦ୍ୟୋଗୀଙ୍କୁ ତାଙ୍କ ପରିବାରର ସହଯୋଗ ଦରକାର। ବ୍ୟବସାୟ କ୍ଷେତ୍ରରେ ବଢ଼ିବା ପାଇଁ ସାମାଜିକ ଶକ୍ତି ଓ ପାରିବାରିକ ବୁଝାମଣାର ଆବଶ୍ୟକତା ରହିଛି।

ଅନ୍ୟତମ ଆଲୋଚକ ଭାବେ ଅଭିନେତା ସବ୍ୟସାଚୀ ମିଶ୍ର ଯୋଗ ଦେଇ କହିଲେ, ଆଜି ମହିଳାମାନେ ନିଜର ଦକ୍ଷତା ବଳରେ ଅନ୍ୟ ପାଇଁ ଏକ ଉଦାହରଣ ହୋଇପାରିଛନ୍ତି। ଏହା ପଛରେ ସମସ୍ତଙ୍କ ଧୈର୍ଯ୍ୟ, ପ୍ରୟାସ ଓ ପରିବାର ଲୋକଙ୍କର ସହଯୋଗ ରହିଛି। ଯେତେବେଳେ ଆମେ କୌଣସି ବ୍ୟବସାୟ କରିବା ପାଇଁ ଆଗକୁ ଆସିଥାଉ ସେତେବେଳେ ଆମକୁ ଅନେକ ଲୋକ ଅନେକ କଥା କହିଥା’ନ୍ତି। କିନ୍ତୁ ଏହାକୁ ସହି ପାରିଲେ ଓ ଧୈର୍ଯ୍ୟ ରଖି ନିଜ କାମ ଜାରି ରଖିଲେ ହିଁ ଏମିତି ସଫଳ ମହିଳା ହୋଇପାରିବା। ଶ୍ରୀ ମିଶ୍ର ଆହୁରି କହିଲେ ଯେ, ଦକ୍ଷତା ଓ ଉଦ୍ୟମ ଯଦି ସଫଳତା ସହିତ ଯୋଡ଼ି ହୁଏ ସେତେବେଳେ ଆମେ ଯାଇ ଆଗକୁ ବଢ଼ିପାରିବା। ଏଥିସହ ଆମକୁ ଅତ୍ୟାଧୁନିକ ଜ୍ଞାନକୌଶଳକୁ ବ୍ୟବସାୟ ସହିତ ଯୋଡ଼ିବା ଦରକାର। ବ୍ୟବସାୟକୁ ପ୍ରଚାର ପ୍ରସାର କରିବା ପାଇଁ ସୋସିଆଲ୍‌ ମିଡିଆର ସାହାଯ୍ୟ ନେବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ର ଚିଫ୍ ରିର୍ପୋଟର ଚୌଧୁରୀ ଅମିତାଭ ଦାସ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର