କୋରାପୁଟରେ ବିନା ମଳଦ୍ୱାରରେ ଜନ୍ମ ନେଲା ଶିଶୁ, ଚିନ୍ତାରେ ପରିବାର

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୁଲାରସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରସାପୁଟ ଗ୍ରାମର ଜଣେ ଶିଶୁ ବିନା ମଳଦ୍ୱାରରେ ଜନ୍ମ ହୋଇ ଥିବା ବେଳେ ଚିନ୍ତାରେ ପରିବାର। ପରିବାରର ଆର୍ଥିକ ସ୍ଥିତ ଭଲ ନ ଥିବା ବେଳେ ଶିଶୁଟିର ଚିକିତ୍ସା ପାଇଁ ଚିନ୍ତାରେ ପରିବାର।

ସୂଚନା ଅନୁସାରେ ନନ୍ଦପୁର ବ୍ଲକ କୁଲାରସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରସାପୁଟ ଗ୍ରାମର ସୁରେଶ ଖରା ଓ ଗାଲାମା ଖରାଙ୍କ ଔରସରୁ ଗତ ରବିବାର ଦିନ ନନ୍ଦପୁର ଗୋଷ୍ଠୀ ସ୍ୱ୍ୟାସ୍ଥ୍ୟ କେନ୍ଦ୍ରରେ ଶିଶୁ ପୁତ୍ରଟି ଜନ୍ମଗ୍ରହଣ କରିଥିଲା। ପୁତ୍ର ସନ୍ତାନ ଜନ୍ମ ହୋଇ ଥିବାରୁ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ଜନ୍ମ ନେବା ପରେ ଶିଶୁର ମାଆଙ୍କୁ ରକ୍ତ କମ ଥିବା ଦର୍ଶାଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେବା ପରେ ପରିବାର ଲୋକେ ମା’ ଏବଂ ନବଜାତକଙ୍କୁ କୋରାପୁଟ ନେଇ ଚିକିତ୍ସା କରିଥିଲେ।

କୋରାପୁଟରେ ନବଜାତକଙ୍କ ମାଆଙ୍କ ଚିକିତ୍ସା ପରେ ଗତକାଲି ଘରକୁ ଫେରିଥିଲେ। ମଙ୍ଗଳବାର ଦିନ ଘରକୁ ଫେରିବା ପରେ ପରିବାର ଲୋକେ ଜାଣି ପାରିଲେ କି ଶିଶୁଟିର ମଳଦ୍ୱାର ନାହିଁ ବୋଲି। ଶିଶୁଟି ପରିସ୍ରା କରିବା ସହ ବାନ୍ତି କରିଥିଲା, ଝାଡା ନ କରିବାରୁ ପରିବାର ଲୋକେ ଜାଣି ପାରିଲେ କି ଶିଶୁଟିର ମଳଦ୍ୱାର ନାହିଁ ବୋଲି। ଜାଣିବା ପରେ ପରିବାର ମଧ୍ୟରେ କାନ୍ଦ ବୋବାଳି ସୃଷ୍ଠି ହେବା ସହ ଚିକିତ୍ସା ପାଇଁ ପୁନର୍ବାର କୋରାପୁଟ ନେବା ପାଇଁ ସ୍ଥିର କରିଥିଲେ। ପରିବାରର ଆର୍ଥିକ ସ୍ଥିତି ଠିକ ନ ଥିବା ବେଳେ ଜମି ବନ୍ଧକ ରଖି ୧୦୦୦୦/- ଟଙ୍କା ଯୋଗାଡ କରିଥିଲେ। ଗ୍ରାମର ୱାର୍ଡ ସଭ୍ୟ ଶଙ୍କର କାମୁଡି ଦୁଇ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ ୧୦୮ ଆମ୍ବୁଲାନ୍‌ସକୁ ଫୋନ କରି ଡକାଇବା ସହ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ।

ସୂଚନାଯୋଗ୍ୟ ଯେ ମଳଦ୍ୱାର ନ ଥିବା ଶିଶୁର ପିତା କୌଣସି ଏକ କେସରେ ଜେଲରେ ଥିବା ବେଳେ ନବଜାତକ ଶିଶୁର ମାଆ ଶିଶୁର ଏପରି ଅବସ୍ଥା ଦେଖି ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି। ସରକାରୀ ସହାୟତା ପ୍ରଦାନ ସହ ଶିଶୁ ପୁତ୍ରର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ପରିବାର ଲୋକେ, ଗ୍ରାମବାସୀ ଏବଂ ୱାର୍ଡ ସଭ୍ୟ ଶଙ୍କର କାମୁଡି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର