ଅଗ୍ନିକାଣ୍ଡରେ ପରିବାର ଉଜୁଡ଼ିଗଲା: ପୁଅ ସହ ବାପ ମା’ ଚାଲିଗଲେ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଠାରେ ଗତ ଗୁରୁବାର ଦିନ ଘଟିଥିବା ଅଗ୍ନିକାଣ୍ଡରେ ଗୋଟିଏ ପରିବାର ଛାରଖାର ହୋଇଯାଇଛି। ଦମ୍ପତିଙ୍କ ସହ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ବୋହୂ ଏବଂ ନାତିଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ଶେଷ ଖବର ସୁଦ୍ଧା ଉଭୟଙ୍କ ଚିକିତ୍ସା ଚାଲିଥିଲା। ଅଗ୍ନକାଣ୍ଡ କେମିତି ଘଟିଲା କେହି କିଛି ସ୍ପଷ୍ଟ କରିପାରୁ ନାହାନ୍ତି। ତେଣୁ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନେଇଛି।

ସୂଚନା ଅନୁଯାୟୀ, ଗୁରୁବାର ଦିନ ସ୍ଥାନୀୟ ଦୟାନିଧି ବେହେରାଙ୍କ ଘରୁ ବିକଳ ଚିତ୍କାର ସ୍ଥାନୀୟ ଲୋକ ଶୁଣିଥିଲେ। ଘର ପାଖରେ ପହଞ୍ଚିବା ବେଳକୁ ଭିତରୁ କଳା ଧୂଆଁ ବାହାରୁଥିଲା। ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରି କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ସେତେବେଳକୁ ନିଜେ ଦୟାଧିନି, ପତ୍ନୀ ଲକ୍ଷ୍ମୀ ବେହେରା, ପୁଅ ଅନିଲ,‌ ବୋହୂ ସ୍ବପ୍ନାଙ୍କ ଶରୀରରେ ନିଆଁ ଲାଗିଥିବା ଦେଖିଥିଲେ। ନାତି ଶ୍ରୀକାନ୍ତର ଅବସ୍ଥା ବି ଭଲ ନଥିଲା। ବିଳମ୍ବ ନକରି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଡକାଇ ଏବଂ ଅମିନି କାର୍‌ ଯୋଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ସମସ୍ତଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତୁରନ୍ତ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ରାସ୍ତାରେ ହିଁ ଦୟାନିଧି ଏବଂ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଅନିଲଙ୍କୁ ଭୁବନେଶ୍ବରସ୍ଥିତ ଗୋଟିଏ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନିଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅପରପକ୍ଷରେ ଗୁରୁତର ଥିବା ସ୍ବପ୍ନୀ ଏବଂ ଶ୍ରୀକାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଭଲ ରହିଛି। କଟକରେ ଉଭୟଙ୍କ ଚିକିତ୍ସା ଜାରି ରହିଛି।

ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। କଲ୍ୟାଣସିଂହପୁର ଥାନା ଆଇଆଇସି ସୁକମା ହାଂସଦ, ତହସିଲଦାର ଦେବାଶିଷ କର ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଘରେ ପଡ଼ିଥିବା ତାଲା ଖୋଲି ସାଇଣ୍ଟିଫିକ୍‌ ଟିମ୍‌ ପଶିଥିଲା। ପୋଡ଼ି ଯାଇଥିବା ଲୁଗାପଟା, ଆସବାବପାତ୍ରକୁ ଯାଞ୍ଚ କରିଥିଲା। ସ୍ବପ୍ନା ସୁସ୍ଥ ହେବାପରେ ହିଁ ସେହି ଦିନ କଣ ଘଟିଥିଲା ଜଣାପଡ଼ିବ। ସେହିପରି ଦୟାନିଧି, ଲକ୍ଷ୍ମୀ ଏବଂ ଅନିଲଙ୍କ ଶବ ଶିକରପାଇ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର