ରାଜ୍ୟ ଅର୍ଥ ବିଭାଗ ଜାରି କଲା ସଂକଳ୍ପ : ଅବସର ପର୍ଯ୍ୟନ୍ତ ପରିବାରକୁ ମିଳିବ ପୂର୍ଣ୍ଣ ଦରମା

କୋଭିଡ୍‌ ଡ୍ୟୁଟିରେ ଥିବା ଅସ୍ଥାୟୀ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ

ଭୁବନେଶ୍ୱର : କୋଭିଡ୍‌-୧୯ ମହାମାରୀ ପାଇଁ ନିୟୋଜିତ ହୋଇଥିବା ଅସ୍ଥାୟୀ ସରକାରୀ କର୍ମଚାରୀଙ୍କର ପ୍ରାଣହାନି ଘଟିଲେ ସେମାନଙ୍କ ପତ୍ନୀ କିମ୍ବା ପରିବାରକୁ ଆର୍ଥିକ ସହାୟତା ଆକାରରେ ମିଳିବ ପୂର୍ଣ୍ଣ ଦରମା। ରାଜ୍ୟ ଅର୍ଥ ବିଭାଗ ଏ ନେଇ ବିଧିବଦ୍ଧ ଭାବେ ସଂକଳ୍ପ ଜାରି କରିଛି। ଏ ବାବଦରେ ସମ୍ପୃକ୍ତ ଅସ୍ଥାୟୀ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେବା ପୂର୍ବରୁ ମିଳିଥିବା ଶେଷ ଦରମାକୁ ତାଙ୍କ ଅବସର ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ପତ୍ନୀ କିମ୍ବା ପରିବାର ସଦସ୍ୟଙ୍କୁ ପ୍ରଦାନ କରାଯିବ। ଅର୍ଥ ବିଭାଗର ନିଷ୍ପତ୍ତି ଅନୁସାରେ, ୨୦୧୩ ମସିହାରେ ସାଧାରଣ ପ୍ରଶାସନ ବିଭାଗର ସର୍କୁଲାର ନମ୍ବର ୩୨୦୧୦ ଓ ୨୦୧୪ ମସିହାରେ ଜାରି ସର୍କୁଲାର ନମ୍ବର ୧୧୪୭ ଅନୁଯାୟୀ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଅସ୍ଥାୟୀ ସରକାରୀ କର୍ମଚାରୀମାନେ ୬ ବର୍ଷ କାର୍ଯ୍ୟକାଳ ପୂରା କରିଥାନ୍ତୁ ବା ନ କରିଥାନ୍ତୁ, ସେହିମାନଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହେବ। ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି। ଅସ୍ଥାୟୀ କୋଭିଡ୍‌ ଯୋଦ୍ଧା ଜିଲ୍ଲାପାଳ କିମ୍ବା ଜିଲ୍ଲା ଏସ୍‌ପି, ମହାନଗର ନିଗମ କମିସନର, ପୁଲିସ୍‌ କମିସନରଙ୍କ ନିର୍ଦ୍ଦେଶରେ ନିୟୋଜିତ ହୋଇଥିବେ। ସ୍ବାସ୍ଥ୍ୟ ବିଭାଗ କିମ୍ବା ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି)ଙ୍କ ଦ୍ବାରା ନିୟୋଜିତ ଅସ୍ଥାୟୀ କର୍ମଚାରୀଙ୍କ କ୍ଷେତ୍ରରେ ବି ଏହି ଆର୍ଥିକ ସହାୟତା କାର୍ଯ୍ୟକାରୀ ହେବ।

କୋଭିଡ୍‌ ପାଇଁ ନିୟୋଜିତ ଜଣେ ଅସ୍ଥାୟୀ କର୍ମଚାରୀ ଛୁଟିରେ ନ ଯାଇ ଅବିରତ କର୍ତ୍ତବ୍ୟ କରିବା ଅବସ୍ଥାରେ ସଂକ୍ରମଣର ଶିକାର ହୋଇ ପ୍ରାଣହାନି ଘଟିଲେ ତାଙ୍କ ପରିବାରକୁ ଏହି ସୁବିଧା ମିଳିବ। ଏଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କ ମୃତ୍ୟୁର କାରଣ ନେଇ ଜିଲ୍ଲା ମେଡିକାଲ୍‌ ଅଧିକାରୀ ପ୍ରମାଣ ପତ୍ର ପ୍ରଦାନ କରିବେ। ଯଦି ଜଣେ କର୍ମଚାରୀ କାର୍ଯ୍ୟରେ ଯୋଗଦେବାର ୩୦ ଦିନ ଭିତରେ କୋଭିଡ୍‌ ଆକ୍ରାନ୍ତ ବୋଲି ଚିହ୍ନଟ ହୁଅନ୍ତି ଓ ପରେ ତାଙ୍କର ମୃତ୍ୟୁ ହୁଏ, ତାହେଲେ ବି ସମ୍ପୃକ୍ତ କର୍ମଚାରୀଙ୍କ ପରିବାର ଏହି ଆର୍ଥିକ ପ୍ୟାକେଜ୍‌ର ଅନ୍ତର୍ଭୁକ୍ତ ହେବେ। ଏଥିପାଇଁ ମୃତ କର୍ମଚାରୀଙ୍କ ପରିବାର ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବାକୁ ଅର୍ଥ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି।

ସମ୍ବନ୍ଧିତ ଖବର