ବିଶିଷ୍ଟ ସାହିତ୍ୟିକ ପ୍ରଫୁଲ୍ଲ ନାୟକଙ୍କ ପରଲୋକ

ଭୁବନେଶ୍ୱର : ଜଣାଶୁଣା ସାହିତ୍ୟିକ ପ୍ରଫୁଲ୍ଲ ନାୟକଙ୍କର ଗୁରୁବାର ପରଲୋକ ଘଟିଛି। କିଛିଦିନ ହେବ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୮୭ ବର୍ଷ ହୋଇଥିଲା।

ସାହିତ୍ୟିକ ଶ୍ରୀ ନାୟକ ୧୯୩୪ ମସିହା ଜାନୁଆରି ୨୦ ତାରିଖରେ ପୁରୀ ଜିଲ୍ଲା ଡେଲାଙ୍ଗ ଅନ୍ତର୍ଗତ ବେରବୋଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଉଚ୍ଚଶିକ୍ଷା ଗ୍ରହଣ କରି ସେ ଭାରତ ସରକାରଙ୍କ ସ୍ୱଳ୍ପ ସଞ୍ଚୟ ସଙ୍ଗଠନ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ହିସାବରେ ଅବସର ଗ୍ରହଣ କରିଥିଲେ। ୧୯୬୧ ମସିହାରୁ ସାହିତ୍ୟିକ ଜୀବନ ଆରମ୍ଭ କରିଥିବା ଶ୍ରୀ ନାୟକଙ୍କ ପ୍ରଥମ ଉପନ୍ୟାସ ଥିଲା ‘ମଧୁଚନ୍ଦ୍ରିକା’। ପ୍ରାୟ ୫୫ ବର୍ଷ ଧରି ସାହିତ୍ୟ ସାଧନାରେ ମଗ୍ନ ରହିଥିବା ଶ୍ରୀ ନାୟକ ୭୦ ଓ ୮୦ଦଶକରେ ହାତଗଣତି ଔପନ୍ୟାସିକମାନଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚିତ ଥିଲେ। ସେ ପ୍ରାୟ ୨୫ରୁ ଊର୍ଧ୍ବ ଉପନ୍ୟାସ ଓ ୨ ଶହରୁ ଅଧିକ ଗଳ୍ପ ରଚନା କରିଛନ୍ତି। ଅବସର ପରେ ସ୍ୱର୍ଗତ ନାୟକ ନିଜ ଗ୍ରାମ ବେରବୋଇରେ ରହୁଥିଲେ ଓ ସମସ୍ତ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶୀଦାର ଥିଲେ। ବେରବୋଇସ୍ଥିତ ‘ଗାନ୍ଧୀ ସ୍ମୃତି ସ୍ମାରକୀ ସମିତି’ର ସେ ଥିଲେ ଅନ୍ୟତମ ପ୍ରତିଷ୍ଠାତା ଓ ଉପଦେଷ୍ଟା। ତାଙ୍କୁ ଓଡ଼ିଶା ସାହିତ୍ୟ ଏକଡେମି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ବେରବୋଇସ୍ଥିତ ଗାନ୍ଧୀ ସ୍ମୃତି ସ୍ମାରକୀ ସମିତି ପକ୍ଷରୁ ସଭାପତି ବିଏନ୍ ମହାନ୍ତି, ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା, କବି ଗିରିଜା ବଳିୟାରସିଂହ, କବି ତପନ ପଟ୍ଟନାୟକ ଓ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ସଭାପତି ସୂର୍ଯ୍ୟ ମିଶ୍ର ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର