ବିଶିଷ୍ଟ ଗୀତିକାର ‌ନେତ୍ରାନନ୍ଦ ବାରିକଙ୍କ ପରଲୋକ

ବଲାଙ୍ଗୀର : ବିଶିଷ୍ଟ ଗୀତିକାର ନେତ୍ରାନନ୍ଦ ବାରିକ ଆଉ ନାହାନ୍ତି। ବଲାଙ୍ଗୀର ଖୁଜେନପାଲିର ନେତ୍ରାନନ୍ଦ ବାରିକ(୭୦ବର୍ଷ)ଙ୍କ ପରଲୋକ ହୋଇଛି। ରବିବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା‌ ପରେ କଳାକାର ମହଲରେ ଶୋକର ଖେଳି ଯାଇଛି। ସ୍ବର୍ଗତ ବାରିକ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ଥିଲେ। ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ସିନେମା ଭୁଖା, ଶଲାବୁଢ଼ା, ଶଲାବୁଢ଼ାର ବଦଲା, ଆଦିମ ବିଚାର, ପାହାଡ଼ର ଲୁହ ସହ ତୁଳସୀ ଅପାରେ ଅଭିନୟ କରିଛନ୍ତି। ପୌର ପାଳିକାରେ ଚାକିରି କରିବା ସମୟରେ ମଧ୍ୟ ସେ ତାଙ୍କ ସାଧନା ଜାରି ରଖିଥିଲେ। ସ୍ବର୍ଗତ ବାରିକଙ୍କ ୩ ପୁଅ ଓ ଜଣେ ଝିଅ ରହିଛନ୍ତି। ସୋମବାର ଶେଷକୃତ୍ୟ ସଂପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି।

ଚାଲିଗଲେ ଶଲାବୁଢ଼ାର ଗୀତିକାର
ସ୍ବର୍ଗତ ବାରିକ ‘ମଚାନ ଉପରେ ବସିଛେ, ବସିଛେରେ.. ବସିଛେ.. ମୁଲମୁଲ କରି ହସୁଛେ, ଗାଁ ମାଟିର ଶିରୀ ଶଲାବୁଢ଼ା’, ସୁଖଦୁଃଖର ଯୋଡ଼ି ଶଲାବୁଢ଼ା’ .. ‘ଶଲାବୁଢ଼ା’ ଚଳଚ୍ଚିତ୍ରର ଟାଇଟଲ୍‌ ଗୀତ ସମେତ ପଶ୍ଚିମାଞ୍ଚଳର ଭାଷାରେ ଶତାଧିକ ହିଟ୍‌ ଗୀତ ରଚନା କରିଛନ୍ତି। ପଶ୍ଚିମାଞ୍ଚଳରେ ଗୀତ ଓ ନାଟକ ଲେଖାରେ ସେ ବେଶ୍‌ ଜଣାଶୁଣା ଥିଲେ। ଏ କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରି ଏଠାକାର କଳାସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ଭୁଖା, ଶଲାବୁଢ଼ା, ଶଲାବୁଢ଼ାର ବଦଲା,ଆଦିମ ବିଚାର, ପାହାଡ଼ର ଲୁହରେ ସେ ଅଭିନୟ କରିବା ସହ ଗୀତ ରଚନା କରିଥିଲେ। କୁଇଲି ଝୁରୁଛେ ଗାଇଗାଇ, ଶୁଭ ଲଗନେ ବର କଲେ ଗମନ ହୋ ଭଳି ଅନେକ ସଂଗୀତ ସେ ରଚନା କରିଛନ୍ତି।

ମୋର ଗୋଟିଏ ହାତ ଭାଙ୍ଗିଗଲା: ସବ୍ୟସାଚୀ ମହାପାତ୍ର, ଚଳଚ୍ଚିତ୍ର ନିର୍ଦ୍ଦେଶକ
ମୋର ଯାହା ଫିଲ୍ମ ତିଆରି କରିଥିଲି, ସେସବୁରେ ନେତ୍ରାନନ୍ଦ ବାରିକଙ୍କ ପ୍ରମୁଖ ଭୂମିକା ଥିଲା ବୋଲି କହିଛନ୍ତି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, ଫିଲ୍ମ କରିବା ସମୟରେ ସଂଗୀତ ରଚନାରୁ ନେଇ ଅଭିନୟ, ପ୍ରଡକ୍ସନ ମ୍ୟାନେଜର, ଆର୍ଟ ଡାଇରେକ୍ସନର ବି ଦାୟିତ୍ୱ ସେ ତୁଲାଉଥିଲେ। ମୋର ଗୋଟିଏ ହାତ ଭଳି ଥିଲେ ନେତ୍ରାନନ୍ଦ। ସେ ଜଣେ ବିଶିଷ୍ଟ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ଫିଲ୍ମ ଭୁଖା, ଶଲାବୁଢ଼ା, ଶଲାବୁଢ଼ାର ବଦଲା, ପାହାଡ଼ର ଲୁହରେ ସେ ବହୁତ କାମ କରିଛନ୍ତି। ଅଭିନୟରେ ସେ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ। ଫିଲ୍ମ ସୁଟିଂ ସେଟରେ ସେ ସମସ୍ତଙ୍କ ସହ ମିଶି ରହୁଥିଲେ। ଶଲାବୁଢ଼ାର ଟାଇଟଲ ସଂଗୀତ ‘ଏ ଶଲାବୁଢ଼ା’ ସେ ରଚନା କରିଥିଲେ। ତାଙ୍କର ଅକାଳ ବିୟୋଗ ମୋତେ ମର୍ମାହତ କରିଛି। ମୋର ଜଣେ ମୁଖ୍ୟ ସହଯୋଗୀଙ୍କୁ ମୁଁ ହରାଇଛି। ଓଡ଼ିଶାର ଗୀତିକାରଙ୍କ ଭିତରେ ସେ ଥିଲେ ସବୁଠୁ ନିଆରା। ମୋର ଗୋଟିଏ ହାତ ଆଜି ଭାଙ୍ଗିଗଲା ବୋଲି ସେ କହିଛନ୍ତି।

ସମ୍ବଲପୁରୀ ଗୀତରେ ନୂଆ ଧାରା ଆରମ୍ଭ କରିଥିଲେ : ରମେଶ ମହାନନ୍ଦ, ସଂଗୀତ ନିର୍ଦ୍ଦେଶକ
ନେତ୍ରାନନ୍ଦ ବାରିକ ସମ୍ବଲପୁରୀ ଗୀତରେ ଏକ ସ୍ବତନ୍ତ୍ର ଧାରା ଆରମ୍ଭ କରିଥିଲେ ବୋଲି କହନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ରମେଶ ମହାନନ୍ଦ। ସେ କହନ୍ତି, ନେତ୍ରାନନ୍ଦ ବାରିକ ପାରଂପରିକ ଚଳଣି, ଜୀବନ ଯାତ୍ରା ତାଙ୍କର ଗୀତରେ ଅତ୍ୟନ୍ତ ମାର୍ମିକ ଭାବରେ ଫୁଟିଉଠିଥିଲା। ‘ଭୁଖା’ ଚଳଚ୍ଚିତ୍ରର ଫଟାଇ ଖାଇଲି ବେଲ, କୋଇଲିରେ, ସଜନୀ ଗୀତ. ତମର ଚାହା ବଏଲେ ଆମର ଚିନି ଭଳି କ୍ଲାସିକ ଗୀତରେ ରଚନା କରିଛନ୍ତି। ଏହା ସହିତ ‘ଭାଏଁଜିଇଁତିଆ’ ଭଳି ଅନେକ ନାଟକ ତାଙ୍କର ବେଶ ଆଦୃତ ହୋଇଛି।

ବିନୋଦ ପଶାୟତ, ନାଟ୍ୟକାର
ନେତ୍ରାନନ୍ଦ ମୋର ଅତି ପ୍ରିୟ ଥିଲେ। ଆଜି ମୋତେ ଲାଗୁଛି ଯେମିତି ମୋର ଜଣେ ଭାଇ ଚାଲିଗଲେ ବୋଲି କହିଛନ୍ତି ବିଶିଷ୍ଟ ନାଟ୍ୟକାର ବିନୋଦ କୁମାର ପଶାୟତ। ସେ କହିଛନ୍ତି ଯେ, ନେତ୍ରାନନ୍ଦ ମୋର ସବୁ ସୁଖଦୁଃଖରେ ସେ ଛିଡ଼ା ହେଉଥିଲେ। ତାଙ୍କର ବିୟୋ‌ଗରେ ମୁଁ ମର୍ମାହତ । ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପାର୍ଥନା ସଦଗତି ହେଉ।

ସମ୍ବନ୍ଧିତ ଖବର