ବଙ୍ଗୋପସାଗର ଜୁଆରର ଉଗ୍ରରୂପ: ଭୁଶୁଡ଼ିଲା ପ୍ରସିଦ୍ଧ ପଞ୍ଚୁବରାହୀ ମନ୍ଦିର

ରାଜନଗର : ଉଗ୍ରମୁଖା ବଙ୍ଗୋପସାଗରର ଜୁଆର ସାତଭାୟାରେ ଥିବା ସାତଭାୟାବାସୀଙ୍କ ଶେଷ ସନ୍ତକ ମା ପଂଚୁବରାହୀ ମନ୍ଦିର ଉପରେ ମାଡ଼ ହୋଇଛି। ମନ୍ଦିର ଭିତରେ ଓ ବାହାରେ ଥିବା ବାଲିମେଦକୁ ଭସାଇ ନେବା ସହ ମନ୍ଦିର ତଳୁ ବାଲି ଭସାଇ ନେଇଛି। ମନ୍ଦିର ପ୍ରବେଶ ପଥରେ ଥିବା ଦୁଇ ସିଂହ ମୂର୍ତ୍ତିକୁ ସମୁଦ୍ର ଜୁଆର ତାହାକୁ ଉପାଡି ଭସାଇ ନେଇଛି। ମନ୍ଦିରର ୩୦ ପ୍ରତିଶତରୁ ଅଧିକ କାନ୍ଥ ଭୁଶୁଡି ପଡିଛି। ପରିସ୍ଥିତି ଏପରି ହୋଇଛି ଯେ କୌଣସି ମୁହୂର୍ତରେ ମାଙ୍କ ପୁରୁଣା ମନ୍ଦିର ସମ୍ପୂର୍ଣ୍ଣ ଭୁଶୁଡି ପଡିବା ସହ ସମୁଦ୍ରରେ ଲୀନ ହୋଇଯିବ।

ସାତଭାୟାରେ ଥିବା ମନ୍ଦିରରେ ମା’ ନ ଥିଲେ ମଧ୍ୟ ସାତଭାୟାବାସୀଙ୍କ ଶେଷ ସନ୍ତକ ହୋଇ ରହିଥିଲା। କେବଳ ସାତଭାୟାବାସୀ ନୁହନ୍ତି, ଉପକୂଳ ଓଡିଶା ବାସୀଙ୍କ ଅନ୍ୟତମ ଶକ୍ତି ପୀଠ ଥିଲା ସାତଭାୟା। ଗତ ୩ ଦିନ ହେଲା ଉଠିଆ ମୁଣ୍ତ ଯୋଗୁଁ ସମୁଦ୍ର ଜୁଆର ଭୟଙ୍କର ଭାବେ ସ୍ଥଳପଥକୁ ମାଡ଼ି ଆସୁଛି। ସାତଭାୟାର ମା’ଙ୍କ ମନ୍ଦିରକୁ ବାଲି ମେଦ ସୁରକ୍ଷା ଦେଉଥିଲା। ଜୁଆର ମନ୍ଦିର ଯାଏ ଆସୁଥିଲେ ମଧ୍ୟ ମନ୍ଦିର ସୁରକ୍ଷିତ ଅବସ୍ଥାରେ ଥିଲା। ମାତ୍ର ଗତ ୩ଦିନ ମଧ୍ୟରେ ସମୁଦ୍ର ଭୟଙ୍କର ହୋଇ ମନ୍ଦିର ନିକଟରେ ଥିବା ବାଲି ମେଦକୁ ଭସାଇ ନେବା ପରେ ମନ୍ଦିର ଉପରେ ମାଡ଼ ନେଇଥିଲା। ମନ୍ଦିର ଭିତରେ ଓ ବାହାରେ ଗଦା ହୋଇଥିବା ବାଲିକୁ ଭସାଇ ନେବା ପରେ ମନ୍ଦିର ତଳୁ ବାଲି ଓ ମାଟି ଭସାଇ ନେଇଛି।

ସମ୍ବନ୍ଧିତ ଖବର