କଟକ: ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଆଜି ମଧ୍ୟାହ୍ନରେ ପରଲୋକ ହୋଇଛି। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ତାଙ୍କର ଶେଷ ଦର୍ଶନ ଲାଗି ମରଶରୀରକୁ କଟକ ବାସଭବନରେ ରଖାଯାଇଛି। ସେ ୨୦୦୮ରୁ ୨୦୧୦ ଯାଏ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଦାୟିତ୍ବ ନିର୍ବାହ କରିଥିଲେ।
/sambad/media/post_attachments/wp-content/uploads/2023/01/ଗାନ୍ଧୀ-1024x750.jpg)
ହୁସେନ ରବି ଗାନ୍ଧୀ ୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ଯାଜପୁର ଜିଲ୍ଲାର ହାଲଡିଗଡିଆ ଗାଁର ମୁଫତିବାଗରେ ତାରାକୋଟର ଶାସକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ମହମ୍ମଦ ମୋଜାମିଲ ହୁସେନଙ୍କ ଜ୍ୟେଷ୍ଠ ପୁତ୍ର ଏବଂ ତାରାକୋଟ ରାଜ୍ୟର ଶେଷ ଶାସକ ଦାବିରୁଦ୍ଦିନ ମହମ୍ମଦ ଖାନ୍ ବାହାଦୂରଙ୍କ ନାତି। ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ମେହମୁଦ ହୁସେନ୍ ତାଙ୍କର ସାନ ଭାଇ। ସେ ୧୩ଟି ପୁସ୍ତକର ରଚୟିତା। ଏଥିମଧ୍ୟରେ ମୁକ୍ତ ପୂର୍ବାସା, ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ, ଆଜିର ଗଳ୍ପ ଓ ଗଳ୍ପ ସମ୍ଭାର ଆଦି ବେଶ୍ ଚର୍ଚ୍ଚିତ। ହୁସେନ ରବି ଗାନ୍ଧୀ ‘ଉତ୍କଳ ପ୍ରସଙ୍ଗ’ର ବି ସଂପାଦନା କରିଥିଲେ।
ଛାତ୍ର ଜୀବନରୁ ହୁସେନ ରବି ଗାନ୍ଧୀ ରାଜନୀତିରେ ସକ୍ରିୟ ଥିଲେ। ସେ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟର ସଭାପତି ନିର୍ବାଚିତ ହୋଇଥିଲେ। ତେବେ ୧୯୮୫ ବିଧାନସଭା ନିର୍ବାଚନରେ ସେ କୋରେଇ ନିର୍ବାଚନ ମଣ୍ଡଳୀରୁ ଜାଗ୍ରତ ଓଡ଼ିଶାର ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ। ଏହାପରେ ୧୯୮୮ରେ ଜନତା ଦଳରେ ଯୋଗ ଦେଇଥିଲେ। ତାଙ୍କୁ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଥିଲା। ୧୯୯୮ରେ ବିଜୁ ଜନତା ଦଳ ପ୍ରତିଷ୍ଠା ହେବା ଦିନଠାରୁ ୨୦୦୫ ଯାଏ ସେ ବିଜେଡିର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଥିଲେ।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ହୁସେନ ରବି ଗାନ୍ଧୀଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ନିଜର ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/5801591f-ea1b-42b8-9c72-05c2bb645f7b.jpg)