ମଥୁରାନଗରୀ: କଂସ ନିଧନ ସହ ବିଶ୍ୱ ପ୍ରସିଦ୍ଧ ବରଗଡ଼ ବିରାଟ ଧନୁଯାତ୍ରା ଶେଷ ହୋଇଛି। ଦୀର୍ଘ ଏଗାର ଦିନର କଂସ ରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଉ ଶୁଭିବ ନାହିଁ ସେହି ପ୍ରକମ୍ପିତ ଅଟ୍ଟହାସ୍ୟ। ନିରବୀ ଯାଇଛି ରଙ୍ଗମହଲ ଓ ରାଜଦରବାର। ଅପସରି ଯାଇଛି ନାଟ୍ୟାଭିନୟ। ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇ ମହାରାଜ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଛି।
ଧନୁଯାତ୍ରାର ଶେଷ ଦିବସର ନାଟ୍ୟାଭିନୟ କ୍ରମରେ କୃଷ୍ଣ-ବଳରାମଙ୍କ ମଥୁରା ଭ୍ରମଣ କରିଛନ୍ତି। ସେମାନଙ୍କ ଅଲୌକିକ ଶକ୍ତି ସମ୍ପର୍କରେ ଗୁପ୍ତଚରଙ୍କଠାରୁ ଜାଣି ମହାରାଜ ପୁଣି ସେହି ଦୈବବାଣୀକୁ ମନେ ପକାଇଥିଲେ। ଅସ୍ଥିର, ବିଚଳିତ ହୋଇ ଉଠିଥିଲେ ମହାରାଜ କଂସ। ମାତ୍ର ତାଙ୍କୁ ଅାଶ୍ୱାସନା ଦେବା ପାଇଁ ମହାମନ୍ତ୍ରୀ ଶକ୍ରାଜିତ, ସେନାପତି ହଂସଧ୍ୱଜ, ଚାଣୁର ମୁଷ୍ଟିକ ଏବଂ ମଲ୍ଲବୀର ନିଜ ନିଜ ବଳ ପରାକ୍ରମ ବଖାଣିଥିଲେ। ମହାରାଜଙ୍କ ଅାଦେଶ ପାଇବା ମାତ୍ରେ କୃଷ୍ଣ-ବଳରାମଙ୍କୁ ବଧ କରିବେ ବୋଲି କହିଥିଲେ। ମହାରାଜ କଂସ ଏହି ଅାଶ୍ୱାସନା ବାଣୀ ଶୁଣି ସାମାନ୍ୟ ଅାଶ୍ୱସ୍ତି ଅନୁଭବ କରିଥିଲେ। ମନର ଦ୍ୱନ୍ଦ୍ୱକୁ ପାସୋରିବା ପାଇଁ ପୁଣି ସୁରାପାନ କଲେ। ନୃତ୍ୟଗୀତର ଅାସରରେ ମସଗୁଲ ରହିଥିଲେ।
/sambad/media/post_attachments/wp-content/uploads/2024/01/281dbfeb-ad9a-447f-b82a-b01e7f5a7068.jpg)
ଦୃଶ୍ୟାଭିନୟ କ୍ରମରେ କୃଷ୍ଣ-ବଳରାମ ମଥୁରା ଭ୍ରମଣ ସମୟରେ ଗୋବିନ୍ଦପାଲି ବିବେକାନନ୍ଦ ଛକଠାରେ ସ୍ବାଗତୋତ୍ସବ ହୋଇଥିଲା। ତାପରେ ପ୍ରଥମେ ଧନୁ ରଖାଯାଇଥିବା ହାଟପଦାସ୍ଥିତ ମଂଚ ପାଖରେ କୃଷ୍ଣ-ବଳରାମ ପହଂଚି ଶିବଧନୁ ଭଙ୍ଗ କରିଥିଲେ। ଏହାପରେ ସେନାପତି ସାତ୍ୟକୀ ଭଗବାନ ଶ୍ରୀକୃଷ୍ଣ ଶରଣାଗତ ହେବା ସହ ଲୋକମଣ୍ଡପ ପଡିଆସ୍ଥିତ ରାଜଦରବାରେ ଥିବା ମହାରାଜା କଂସ ପାଖକୁ ନେଇଯାଇଥିଲେ। ମାତ୍ର କୁବଳୟା ହସ୍ତୀ ବାଟ ଓଗାଳି ଥିଲା। କୁବଳୟା ହସ୍ତୀ ସହିତ ଯୁଦ୍ଧ କରି କୃଷ୍ଣ-ବଳରାମ ତାକୁ ବଧ କରିଥିଲେ। ପରେ ଘମାଘୋଟ ଯୁଦ୍ଧରେ କୃଷ୍ଣ-ବଳରାମଙ୍କ ହାତରେ ଅଷ୍ଟମଲ୍ଲ ନିହତ ହୋଇଥିଲେ। ଏହା ଜାଣି ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ ମହାରାଜ କଂସ। ଏହାପରେ କୃଷ୍ଣ-ବଳରାମ ଉଠି ଆସିଥିଲେ ରାଜଦରବାର ଉପରକୁ। ସେମାନଙ୍କୁ ଦେଖି ମହାରାଜ କଂସଙ୍କର ଶକ୍ତି କ୍ରମଶଃ କ୍ଷୟ ହେବାକୁ ଲାଗିଥିଲା। ସେ ନିଜକୁ ଅସହାୟ ମନେ କରିଥିଲେ। ସତେ କ'ଣ ଦୈବବାଣୀ ସତ ହେବ? ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ହାତରେ କ'ଣ ମୋର ବିନାଶ ଘଟିବ? ଏପରି ବିଚଳିତ ହୋଇଉଠୁଥିଲେ ମହାରାଜ। ରାଜ ଦରବାରର ଏପଟରୁ ସେପଟକୁ ପଦଚାଳନା କରିଛନ୍ତି। ତଥାପି ନିଜକୁ ସମ୍ଭାଳି ଯୁଦ୍ଧ ଘୋଷଣା କରିଥିଲେ। ମାମୁଁ-ଭଣଜାଙ୍କ ସମରରେ ମାମୁଁ କଂସ ହୋଇଥିଲେ ଧରାଶାୟୀ। ଦରବାର ତଳକୁ ଗଡ଼ିପଡ଼ି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।ଏହାପରେ କୃଷ୍ଣ-ବଳରାମ ଉଗ୍ରସେନଙ୍କୁ ପାଛୋଟି ନେଇ ପୁଣିଥରେ ମଥୁରା ସିଂହାସନରେ ବସାଇଥିଲେ। କଂସ ବଧ ପରେ ଆନନ୍ଦରେ ଉତ୍ଫୁଲ୍ଲିତ ମଥୁରାବାସୀ ଲଡୁ ବାଣ୍ଟି ଖାଇଥିଲେ। ଆଜି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ସମ୍ପନ୍ନ ହେବା ସହିତ ଦ୍ୱାପର ଯୁଗର ପରିକଳ୍ପିତ ମଥୁରାନଗରୀ ପୁଣି ଥରେ ଅାଧୁନିକ ବରଗଡ଼ ସହରରେ ପରିବର୍ତ୍ତିତ ହୋଇଛି।
ମହୋତ୍ସବ ସମିତିର ସଂପାଦକ ସୁରେଶ୍ବର ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଅତିଥି ଭାବରେ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ତଥା ଉପସଭାପତି ପବିତ୍ର ବେହେରା ଯୋଗ ଦେଇଥିଲେ। ଏହି ଅବସରରେ ସ୍ମରଣିକା 'ଧନୁସ୍ପ୍ରଭା' କୁ ଉନ୍ମୋଚନ କରାଯାଇଥିଲା। ଅତିଥିଙ୍କ ସହ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ସ୍ମରଣିକା କମିଟିର ସଦସ୍ୟ ପତିତପାବନ ସାହୁ, ମନୋରଞ୍ଜନ ସାହୁ, ଲିପସିତ ମିଶ୍ର, ସଙ୍କୀର୍ତ୍ତନ ଜାଲ ପ୍ରମୁଖ ଏହାର ଉନ୍ମୋଚନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/5893a393-269c-407a-8b59-9bc8365099bd.jpg)