ପାଖେଇ ଆସୁଛି ଫନି : ପୁରୀଠାରୁ ୨୮୫ କିମି ଦୂରରେ ରହିଛି ବାତ୍ୟା

ଭୁବନେଶ୍ୱର : ପୁରୀକୁ ପାଖେଇ ପାଖେଇ ଆସୁଛି ସାମୁଦ୍ରିକ ବାତ୍ୟା ଫନି । ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୁରୀର ଆହୁରି ନିକଟତର ହେବାରେ ଲାଗିଛି ବାତ୍ୟା ଫନି । ପୁରୀ ଠାରୁ ବର୍ତ୍ତମାନ ସମୟରେ ୨୮୫ କିମି ଦୂରରେ ରହିଛି ବାତ୍ୟା । ଅନ୍ୟପଟେ ବିଶାଖାପାଟଣା ଠାରୁ ବାତ୍ୟାର ଅବସ୍ଥିତି ୧୬୦ କିମି ଦୂରରେ ରହିଛି । ତେବେ ଆସନ୍ତାକାଲି ୮ଟାରୁ ୧୦ଟା ଭିତରେ ଫନି ଲ୍ୟାଣ୍ଡଫଲ କରିବ ବୋଲି ଖବର ମିଳିଥିବା ବେଳେ ଏହି ସମୟରେ ଘଣ୍ଟା ପ୍ରତି ସର୍ବାଧିକ ୨୧୦ କିମି ବେଗରେ ପବନ ବହିବ ବୋଲି ଆଶଙ୍କା କରାଯାଉଛି । ପୂର୍ବରୁ ସର୍ବାଧିକ ୨୦୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ ହେଉଥିଲା । ତେବେ ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ଅତି କମରେ ୧୭୦ କିମି ରହିବ ବୋଲି ଆଶଙ୍କା କରାଯାଉଛି । 

ବାତ୍ୟା ଫନିର ଭୟାବହତାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୪ ଲକ୍ଷ ଲୋକଙ୍କୁ ୮୭୯ଟୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ୩ ଲକ୍ଷ ୩୧ ହଜାର ୭୯୪ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ପୁରୀରେ ୨୨ ହଜାର ୨୫୦, ଖୋର୍ଦ୍ଧାରେ ୪ ହଜାର ୯୯୩, ନୟାଗଡ଼ରେ ୯୮୨, ରାୟଗଡ଼ାରେ ୭ ହଜାର ୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଗଞ୍ଜାମରେ ୧ ଲକ୍ଷ ୮୨ ହଜାର ୮୧୫, ଯାଜପୁରରେ ୨୯ ହଜାର ୫୦୦, ଭଦ୍ରକରେ ୨୪, ୬୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

ସମ୍ବନ୍ଧିତ ଖବର